ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ; ‘ବିଶ୍ବ ନାୟକ ଆମ୍ବେଦକର ସମାଲୋଚନା ଊର୍ଦ୍ଧ୍ବରେ’ 

ସୁନ୍ଦରଗଡ଼: ‘ଏକ ସୁସ୍ଥ ଓ ବିକାଶିତ ରାଷ୍ଟ୍ର ବା ସମାଜ ଗଠନର ମୂଳମନ୍ତ୍ର ହେଉଛି ସମାନତା, ସ୍ବତନ୍ତ୍ରତା ଓ ଭାତୃତ୍ବଭାବ। ବିଶ୍ବ ନାୟକ ଭାରତରତ୍ନ ଡ. ଭୀମରାଓ ଆମ୍ବେଦକର ଏହି ମନ୍ତ୍ରରେ ଏକ ସୁନ୍ଦର ଭାରତର ପରିକଳ୍ପନା କରିଥିଲେ। ତେଣୁ ସେ କେବଳ ଦଳିତଙ୍କ ତ୍ରାଣକର୍ତ୍ତା ନଥିଲେ, ସେ ଥିଲେ ସମସ୍ତ ଭାରତୀୟଙ୍କ ପଥପ୍ରଦର୍ଶକ। ସବୁ ସମାଲୋଚନାରୁ ଉର୍ଦ୍ଧ୍ବରେ ତାଙ୍କ ବିଚାର ଓ କର୍ମ। ଦୃଢ଼ମନା ଆମ୍ବେଦକରଙ୍କ ପଥ ଅନୁସରଣ କରି ଦେଶ ଗଠନରେ ତାଙ୍କ ବିଚାରକୁ ଉପଯୋଗ କରିବାର ସମୟ ଆସିଛି’।

ସୁନ୍ଦରଗଡ଼ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଡ. ଆମ୍ବେଦକର ଜୟନ୍ତୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରାଧ୍ୟାଆପକ ବିଦ୍ୟାଭୂଷଣ ଶାସନୀ ଆମ୍ବେଦକରଙ୍କ ସମ୍ପର୍କରେ ଆଲୋଚନା କରି ଏହା କହିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗ ଦେଇ କହିଥିଲେ, ‘ଆମ୍ବେଦକରଙ୍କ ପରି ମହାମନୀଷୀମାନେ ଦୃଢ଼ମନା ଥିବାରୁ ସେମାନେ ସଫଳ ହୋଇଥିଲେ, ତେଣୁ ବିଶ୍ବାସକୁ ଆତ୍ମବିଶ୍ବାସରେ ପରିଣତ କରି ଦୃଢ଼ଚିତ୍ତରେ କାର୍ଯ୍ୟ କଲେ ସଫଳତା ନିଶ୍ଚିତ’।

ଅନ୍ୟତମ ବକ୍ତା ଜିଲ୍ଲା ହକି ଆସୋସିଏସନର କାର୍ଯ୍ୟକାରୀ ସଭାପତି ରାମେଶ୍ବର ଟପ୍ପୋ ଡ. ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସଭା ସଞ୍ଚାଳନରେ ଅନୁଷ୍ଠିତ ଏହି ଉତ୍ସବ ପ୍ରାରମ୍ଭରେ ବାବାସାହେବଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆମ୍ବେଦକରଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ରଚନା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ବିଏସ ହାଇସ୍କୁଲର ଅନୁଷ୍କା ମିଶ୍ର, ଧର୍ମଶାଳା ୟୁପି ସ୍କୁଲର କାର୍ତ୍ତିକ ସିଂ, ବ୍ଲକ କଲୋନି ୟୁପି ସ୍କୁଲର ଡେନିଶ ପାଉଲ ଏକ୍କା ଓ ବତ୍କୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ବିଏସ ହାଇସ୍କୁଲର ଷ୍ଟେଲା ଡୁଙ୍ଗଡୁଙ୍ଗ, ସେଣ୍ଟ ମେରୀ ଗାର୍ଲ୍ସ ହାଇସ୍କୁଲର ରାଧିକା ସାହୁ ଓ ଟାଉନ ହାଇସ୍କୁଲର ଅଂଶିକା ସୁରିନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର