ହାଥରସ୍‌ ମାମଲା: ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦାବିରେ ରାଜରାସ୍ତାରେ ଗର୍ଜିଲେ ଆମ୍ବେଦକରବାଦୀ ସଂଗଠନ

ଭବାନୀପାଟଣା: କେନ୍ଦ୍ର ଓ ଉତ୍ତରପ୍ରଦେଶର ବିଜେପି ସରକାରରେ ନାରୀର ଇଜ୍ଜତ ଓ ବଞ୍ଚି ରହିବାର ଅଧିକାର ସମାପ୍ତ ହେବାରେ ଲାଗିଛି ବୋଲି କହିଛି ଆମ୍ବେଦକରବାଦୀ ସଂଗଠନ । ଜଣକ ପରେ ଜଣେ ଦଳିତ ଉପରେ ଅତ୍ୟାଚାର ବଢିଚାଲିଥିବାବେଳେ ଦଳିତ ମହିଳାଙ୍କ ଉପରେ ଗଣଦୁଷ୍କର୍ମ ଓ ହତ୍ୟା ସମସ୍ତ ପୈଶାଚିକତାର ସୀମା ଉଲ୍ଲଂଘନ କରିସାରିଛି। ଏହାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ହୁତୁହୁତୁ ହୋଇ ଜଳୁଥିବାବେଳେ ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରରେ ଦଳିତ ନାବାଳିକାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ସାରା ଦେଶରେ ଏହି ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଥିବାବେଳେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଏହାର ଝଲକ ଦେଖିବାକୁ ମିଳିଛି। କରୋନା କଟକଣା ସତ୍ତ୍ୱେ ଜିଲ୍ଲାର ସମସ୍ତ ଆମ୍ବେଦକରବାଦୀ ସଂଗଠନ ଏକଜୁଟ୍‌ ହୋଇ ହାଥରସ ଓ ବଳରାମପୁରର ଦଳିତ ବାଳିକାଙ୍କ ଉପରେ ପାଶବିକ ଅତ୍ୟାଚାରକୁ କଡା ଶବ୍ଦରେ ନିନ୍ଦା କରିବା ସହ ଏହା ମାନବିକତାର ହତ୍ୟା ବୋଲି ଅଭିହିତ କରିଛି।

ଏନେଇ ଏକ ବିଶାଳ ଶୋଭାଯାତ୍ରା ଭବାନୀପାଟଣା ସହରର ଷ୍ଟ୍ୟାଚୁ ଛକରୁ ବାହାରି ଟାଉନ ଥାନା ସମ୍ମୁଖକୁ ଯାଇଥିଲା। ସେଠାରେ ଏକ ପ୍ରତିବାଦ ସଭାରେ ଉତ୍ତରପ୍ରଦେଶର ଯୋଗୀ ସରକାର ଉପରେ ଏହି ସଂଗଠନର ନେତା ଓ କର୍ମୀମାନେ ପ୍ରବଳ ବର୍ଷିଥିଲେ। ସମାଜସେବୀ ସତ୍ୟବାଦୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଏପିଆଇର ଛବିଲାଲ ନିଆଲ, ପ୍ରିୟଙ୍କା ବେମାଲ, ଦଳିତ ଆଦିବାସୀ ମହାସଙ୍ଘର ଧର୍ମେନ୍ଦ୍ର ନାଏକ, ପରମାନନ୍ଦ ମାଝୀ, ପ୍ରମୁଖ ଦଳିତ ଯୁବତୀ ଓ ବଳରାମପୁର ପୀଡିତାଙ୍କୁ ନ୍ୟାୟ ଦାବି କରିବା ସହ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର