କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ; ଘଟଣା ସ୍ଥଳରେ ଜଣେ ମୃତ, ଜଣେ ଗୁରୁତର, ୫ ଆହତ

ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ର ଟାଙ୍ଗୀ ବଇଁଚୁଆ ଠାରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଛି। ଆଜି ଭୋର ପ୍ରାୟ ୬ ଟା ସମୟରେ ରାଜପଥ ଉପରେ ପାର୍କିଂ ହୋଇଥିବା ଏକ କଣ୍ଟେନର ଟ୍ରକ୍ ପଛରେ ଏକ ଘରୋଇ ଆମ୍ବୁଲାନ୍ସ ପିଟିହୋଇଛି। ଆମ୍ବୁଲାନ୍ସ ରେ ଥିବା ୪ ଜଣ ବ୍ୟକ୍ତି ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ କୁ ପଠାଯାଇଥିବା ବେଳେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଛି। ସୂଚନା ମୁତାବକ ଡ଼ବ୍ଲ୍ୟୁ.ବି -୩୩-ସି-୬୦୬୮ ନମ୍ବର ବିଶିଷ୍ଟ ବୋଲେରୋ ଆମ୍ବୁଲାନ୍ସ ରେ କଲିକତାର ମେଦିନପୁରରୁ ରୋଗୀ ଓ ସମ୍ପର୍କୀୟଙ୍କୁ ଧରି କଟକ ବଡ଼ ମେଡିକାଲ ଅଭିମୁଖେ ଆସୁଥିଲା।

ବଇଁଚୁଆ ଛକ ଠାରେ ରାଜପଥ ଉପରେ ଛିଡା ହୋଇଥିବା ଓଡ଼ି- ୦୧- କ୍ୟୁ- ୪୧୭୩ ନମ୍ବର ବିଶିଷ୍ଟ କଣ୍ଟେନର ଟ୍ରକ୍ ପଛରେ ଏହି ଆମ୍ବୁଲାନ୍ସ ଟି ଭାରସ୍ୟାମା ହରାଇ ଦ୍ରୁତ ଗତିରେ ପିଟି ହୋଇଯାଇଥିଲା। ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଥିଲା। ରାଜପଥ ଆମୁଲାନ୍ସ ଓ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗାଡି ଭିତରୁ ସମସ୍ତ ଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ଡ୍ରାଇଭର ପାଖ ସିଟରେ ବସିଥିବା ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହିତ ଗୁରୁତର ଡ୍ରାଇଭର ଓ ଅନ୍ୟ ଚାରି ଜଣଙ୍କୁ କଟକ ବଡ ମେଡିକାଲକୁ ପଠା ଯାଇଥିଲା। କଟକ ବଡ଼ ମେଡିକାଲରେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟାଙ୍ଗୀ ପୋଲିସ୍ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବର୍ତମାନ ସୁଦ୍ଧା ମୃତ ଓ ଆହତକଙ୍କ ପରିଚୟ ମିଳିପାରିନାହିଁ।

ସମ୍ବନ୍ଧିତ ଖବର