ଫୁଲବାଣୀ: ଆମ୍ବୁଲାନସରେ ରୋଗୀ ନେବା ବଦଳରେ ଗଂଜେଇ ଚାଲାଣ ହେଉଛି। କନ୍ଧମାଳରୁ ଭୁବନେଶ୍ୱରକୁ ଆମ୍ବୁଲାନସରେ ଗଂଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୁଲିସ ଅତର୍କିତ ଚଢ଼ାଉ କରି ସେଥିରୁ ୨ ବସ୍ତା ଗଂଜେଇ ଜବତ କରିଛି। ଜବତ ଗଞ୍ଜେଇର ଓଜନ ୮୨ କିଲୋ ବୋଲି ପୁଲିସ କହିଛି। ରୋଗୀ ନେବା ବାହାନା କରୁଥିବା ଗାଡ଼ିର ଚାଳକ ତଥା ମାଲିକ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରତମାଟିର ଅଜୟ କୁମାର ପ୍ରଧାନକୁ ପୁଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଅଜୟ ନିଜର ଖାଲି ଆମ୍ବୁଲାନସ ଧରି ଫିରିଙ୍ଗିଆକୁ ଆସିଥିଲା। ଭୃଙ୍ଗୁଯୋଡ଼ି ପଞ୍ଚାୟତ କୁଡୁରାହା ଗାଁ ନିକଟରେ ଆମ୍ବୁଲାନସ (ନଂ ଓଡି-୦୨-ବିଇ-୭୭୬୧)କୁ ରଖି ଅଜୟ କାହାର ଘରକୁ ଯାଇଥିଲା। କିଛି ଲୋକ କୁଆଡ଼େ ଗାଡ଼ି ଆସିଛି ବୋଲି ପଚାରିବାରେ ଅଜୟ ରୋଗୀ ଆଣିଥିଲି ବୋଲି କହିଥିଲା। କେଉଁ ରୋଗୀ ବୋଲି ପଚାରିବାରେ ଅଜୟ ସେମିତି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲା। ଗଂଜେଇ ଚକରରେ ଆମ୍ବୁଲାନସ ଆସିଥିବା ସନ୍ଦେହ କରି କିଛି ଲୋକ ଏ ନେଇ ଏସପିଙ୍କୁ ଫୋନ କରି ଜଣାଇଥିଲେ।
ଏସପି ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶମତେ ପୁଲିସ କୁଡୁରାହା ନିକଟରେ ଚଢ଼ାଉ କରିଥିଲା। କୌଶଳକ୍ରମେ ଆମ୍ବୁଲାନସ ଧରି ପଳାଇ ଯିବାକୁ ଅଜୟ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରି ନେଇଥିଲା। ଆମ୍ବୁଲାନସ ଖାନତଲାସ ପରେ ସେଠାରୁ ଗଂଜେଇ ଭର୍ତ୍ତି ୨ଟି ବସ୍ତା ମିଳିଥିଲା। ପୂର୍ବରୁ ଅଜୟ ଏଭଳି କାମ କରିଛି କି ନାହିଁ। ଆଉ ଏହି କାମରେ କିଏ ସଂପୃକ୍ତ ଅଞ୍ଚନ୍ତି କି ନାହିଁ ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ବିଳନୀରେ ଫିରିଙ୍ଗିଆ ଥାନାଧିକାରୀ ଶ୍ୟାମସୁନ୍ଦର ରାଓ ଉପସ୍ଥିତ ଥିବା ବେଳେ ଗିରଫ ଅଭିଯୁକ୍ତ ଅଜୟକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/plbjan25-ambulance-re-ganjei.jpg)