ଜୟପୁର: ଜୟପୁର ଚିକିତ୍ସାଳୟର ଆମ୍ବୁଲାନସ୍ ଚାଳକ ମନୋରଂଜନ ମହାନ୍ତି(୪୫)ଙ୍କର ଆଜି ସକାଳ ସାଢ଼େ ୭ଟା ବେଳେ ଡାକ୍ତରଖାନା ପରିସରରେ ମୃତ୍ୟୁ ହୋଇଯାଇଛି। ଗତକାଲି ମନୋରଂଜନ ଡିଏଚଏଚର ଆମ୍ବୁଲାନସରେ ନାଇଟ୍ ଡ୍ୟୁଟି କରିଥିଲେ। ଆଜି ସକାଳୁ ସେ କୋଭିଡ୍ ଭ୍ୟାକ୍ସିନ୍ ଆଣିବା ପାଇଁ ଡ୍ୟୁଟି ଦିଆଯାଇଥିଲା। ଡିଏଚଏଚ ପରିସରରେ ଥିବା ଡ୍ରାଇଭର ବିଶ୍ରାମଗୃହରେ ସେ ଶୋଇଥିଲେ। ସେଠାରେ ସେ ସକାଳୁ ରକ୍ତବାନ୍ତି କରି ଗୁରୁତର ହୋଇପଡ଼ିଥିଲେ। ତା ପରେ ତାଙ୍କୁ ଅନ୍ୟ ସହକର୍ମଚାରୀ ମାନେ ଡାକ୍ତରଙ୍କ ନିକଟକୁ ନେବା ବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ପ୍ରଥମ ପର୍ଯ୍ୟାୟ କରୋନା ଆସିବା ପୂର୍ବରୁ ସେ ଘରୋଇ ବସର କଣ୍ଡକ୍ଟର ଭାବେ କାମ କରି ଆସୁଥିଲେ। ତାଙ୍କର ପତ୍ନୀ ତଥା ପୁରୁଣାଗଡ଼ର ପୂର୍ବତନ କାଉନସିଲର ଜ୍ୟୋତ୍ସ୍ନା ରାଣୀ ମହାନ୍ତି, ୧୨ ବର୍ଷର ମୁକ ଓ ୧୯ବର୍ଷର ଝିଅଙ୍କୁ ନେଇ ତାଙ୍କ ପରିବାର। ନିଜ ଘର ନବରଙ୍ଗପୁରରେ ହୋଇଥିଲେ ହେଁ ସେ ପୁରୁଣାଗଡ଼ରେ ଭଡା ଘର ନେଇ ପରିବାରକୁ ନେଇ ଖୁସିରେ ରହୁଥିଲେ। କରୋନା ଆସିବା ପରେ ବସ ଚଳାଚଳ ସଂପୁର୍ଣ୍ଣ ରୁପେ ବନ୍ଦ ହୋଇଯାଇଥିଲା। କାମଧନ୍ଧା ହରାଇ ବହୁ ଦିନ ଖାଲିରେ ରହିଥିଲେ।
ପରିବାର ପ୍ରତିପୋଷଣ ଚିନ୍ତା କରି ସେ କାମ ଖୋଜି ବୁଲୁଥିଲେ। ସେ ସମୟରେ କୋଭିଡ୍ ହସ୍ପିଟାଲର ଆମ୍ବୁଲାନସ ପାଇଁ ଚାଳକର ଆବଶ୍ୟକତା ପଢ଼ିଥିଲା। ଆଉଟସୋର୍ସିଂସଂସ୍ଥା ଜରିଆରେ ସେ ଚୁକ୍ତିଭିତ୍ତିକ ଚାଳକ ଭାବେ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟ କରୋନାରେ ସେ ବହୁ ମୃତକଙ୍କର ଶେଷକୃତ୍ୟରେ ବି ନିଜକୁ ସାମିଲ କରିଥିଲେ।
ପ୍ରଥମ ପର୍ଯ୍ୟାୟ ସାମାନ୍ୟ ସ୍ବାଭାବିକ ହେବା ସମୟରେ ସେ ପୁଣି କିଛି ଦିନ ପାଇଁ ହାଇଦ୍ରାବାଦ୍ ଯାଉଥିବା ଏକ ଘରୋଇବସରେ କଣ୍ଡକ୍ଟର ଭାବେ କାମ କରିବାକୁ ଯାଇଥିଲେ। ସେଠାରେ ସେ କୋରନାରେ ସଂକ୍ରମିତ ହୋଇଥିଲେ। ଜୟପୁର କୋଭିଡ୍ ହସ୍ପିଟାଲ ଖୋଲିନଥିବାରୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜ କୋଭିଡ୍ ହସ୍ପିଟାଲରେ ମାସାଧିକ କାଳ ରହି ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଫେରିଥିଲେ। ଗତ ୨୨ଦିନ ହେବ ସେ ପୁଣି ଆମ୍ବୁଲାନସ୍ ଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।
ଏ ନେଇ ସୂଚନା ପାଇବା ପରେ ଜୟପୁର ସଦରଥାନା ପକ୍ଷରୁ ଏକ ଅପମୃତ ମାମଲା ରୁଜୁ କରି ଶବବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଛନ୍ତି। ପରିବାରର ସେ ହିଁ ଜଣେ ମୁଖ୍ୟ ମୁରବୀ ଏବଂ ଆୟକାରୀ ବ୍ୟକ୍ତିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ୨ଝିଅଙ୍କୁ ନେଇ କିଭଳି ପାଳିବେ ସେ ଚିନ୍ତାରେ ପଡ଼ିଛନ୍ତି। କୌଣସି ବଦାନ୍ୟ ବ୍ୟକ୍ତି ଓ ପ୍ରଶାସନ ସହଯୋଗର ହାତ ବଢ଼ାଇବାକୁ ପତ୍ନୀ ଜ୍ୟୋତ୍ସ୍ନା ଅନୁରୋଧ କରିଛନ୍ତି। ଉକ୍ତ ଆଉଟସୋର୍ସିଂ ସଂସ୍ଥା ପକ୍ଷରୁ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ୧୦ହଜାର ଟଙ୍କାର ସହାୟତା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/jpr-monoranjan-1-1.jpg)