ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଅଞ୍ଚଳରେ କୋଭିଡ ଆକ୍ରାନ୍ତଙ୍କୁ କଟକ ଅଶ୍ୱିନୀ ହସପିଟାଲରେ ଛାଡି ଆସିବା ପରେ ଗ୍ରାମବାସୀ ଡ୍ରାଇଭରଙ୍କୁ ବାଟ ଓଗାଳିବା ଘଟଣା ଗତକାଲି ସମ୍ବାଦରେ ପ୍ରକାଶ ପାଇବା ପରେ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଥିଲା । ଏ ନେଇ ଆଜି ଜିଲ୍ଲାପାଳଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇବା ଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି ।
କଳାହାଣ୍ଡି ଜିଲ୍ଲାପାଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଗତ ଏପ୍ରିଲ ୪ ତାରିଖ ଦିନ ରାତି ସାଢ଼େ ୧୦ଟାରେ କଳାହାଣ୍ଡି ଜିଲ୍ଲାରେ ଗୋଟିଏ କୋଭିଡ-୧୯ ପଜିଟିଭ କେସ ଜଣାପଡିଥିଲା । ଆକ୍ରାନ୍ତ ରୋଗୀଙ୍କୁ ଏପ୍ରିଲ ୫ ତାରିଖ ଦିନ ଭବାନୀପାଟଣା ସହରସ୍ଥିତ ମାଁ ମାଣିକେଶ୍ୱରୀ ହସପିଟାଲର ଆମ୍ବୁଲାନ୍ସ ଗାଡି ନଂ ଓଡ଼ି ୦୮ଯେ ୦୪୫୫ ଆରଟିଓ ଙ୍କ ରିକ୍ୟୁଜିସନ କ୍ରମେ ଡ୍ରାଇଭର ବନମାଳୀ ସେଠୀଙ୍କ ସହିତ ଏପ୍ରିଲ ୫ ତାରିଖ ଦିନ ସକାଳ ସାଢେ ୬ଟାରେ ସିଡିଏମ ଅଫିସରେ ରିପୋର୍ଟ କରିଥିଲେ । ଡ୍ରାଇଭର ବନମାଳୀ ସେଠୀଙ୍କୁ ଷ୍ଟାଣ୍ଡର୍ଡ଼ ଅପରେସନ ପ୍ରସିଜୋର ଅନୁଯାୟୀ ତାକୁ ତାଲିମ ଦେବା ସହିତ ମାସ୍କ, ଗ୍ଲୋଭ, ସେନିଟାଇଜର ବ୍ୟବହାର ଉପରେ ମଧ୍ୟ ପରାମର୍ଶ ଦିଆଯାଇଥିଲା ।
ବନମାଳୀ ସେଠୀ ଆକ୍ରାନ୍ତଙ୍କୁ ନେବାକୁ ମନା କରିବା ପରେ ତା ସହିତ ଯିବା ପାଇଁ ଜିଲ୍ଲା ସଦର ମୁଖ୍ୟ ଡାକ୍ତରଖାନାର ଡ୍ରାଇଭର ଈଶ୍ୱର କୁମାର ସାହୁ ସାହୁଙ୍କୁ ସାଥିରେ ଯିବା ପାଇଁ ନିର୍ଦେଶ ଦେବା ସହ ତାଲିମ ପ୍ରଦାନ କରାଯାଇଥିଲା । ଭବାନୀପାଟଣା ସିଡିଏମଓ ଅଫିସରୁ ଆମ୍ବୁଲାନ୍ସ ବାହାରିବା ପାଇଁ ଡ୍ରାଇଭର ବନମାଳୀ ସେଠୀଙ୍କ ନାରାଜ ଯୋଗୁଁ ୩ ଘଣ୍ଟା ବିଳମ୍ବ ହୋଇଥିଲା । ଗତ ଏପ୍ରିଲ ୫ ତାରିଖ ସନ୍ଧ୍ୟା ୬ଟାରେ ଆକ୍ରାନ୍ତ ଙ୍କୁ ନେଇ କଟକ ଅଶ୍ୱିନୀ ହସପିଟାଲରେ ପହଂଚାଇଥିଲା ।ସେଠାରୁ ଫେରି ଭବାନୀପାଟଣାରେ ଏପ୍ରିଲ ୬ ତାରିଖ ସକାଳେ ପହଞ୍ଚି ଥିଲା । ପ୍ରୋଟୋକଲ ଅନୁଯାୟୀ ଭବାନୀପାଟଣା ସଦରମୁଖ୍ୟ ଡାକ୍ତରଖାନାରେ ଗାଡିକୁ ସାନିଟାଇଜ କରାଯାଇଥିଲା ।
ଡ୍ରାଇଭରଙ୍କ ଅଭିଯୋଗ ଯେ, ମାଣିକେଶ୍ୱରୀ ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ କାର୍ଯ୍ୟରୁ ବାହାର କରିଦେଇଛନ୍ତି ଏବଂ ତା ନିଜ ଗାଁ ଲୋକେ ଘରକୁ ଯିବା ପାଇଁ ବାରଣ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲିକ କାର୍ଯ୍ୟରୁ ବାହାର କରିଥିବା ଘଟଣା କୁ ଅସ୍ବୀକାର କରିଛନ୍ତି । ମାଲିକ କହିବା ଅନୁଯାୟୀ ରୋଗୀଙ୍କୁ ନେବା ପାଇଁ ଡ୍ରାଇଭର ମନା କରିଛି ବୋଲି କହିଥିଲେ। ଡ୍ରାଇଭର ସଦରମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବକୁ ମନା କରିଛି। ବର୍ତ୍ତମାନ ଡ୍ରାଇଭର ମ୍ୟୁନିସିପାଲଟି ନାଇଟ ସେଲଟରରେ ରହିବାର ବ୍ୟବସ୍ଥା କରିବା ସହିତ ମ୍ୟୁନିସିପାଲଟି ପକ୍ଷରୁ ତାର ଖାଦ୍ୟପେୟ ଵ୍ୟଵସ୍ଥା ପାଇଁ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ର ଏକ ଟିମ ଡ୍ରାଇଭର ଗାଁ କୁ ଯାଇ କୋଭିଡ ଉପରେ ତାଲିମ ଦେବା ସହିତ ଗାଁକୁ ଯିବାକୁ ଡ୍ରାଇଭରକୁ ଅନୁମତି ଦେବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଆକ୍ରାନ୍ତଙ୍କୁ ଛାଡି ଆସିଥିବା ଡ୍ରାଇଭର ହଟହଟା ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/ambulance.png)