ବୌଦ୍ଧ: ଏବେ ବି ବୌଦ୍ଧ ଜିଲ୍ଲାର ୫୦ଟି ଗାଁ’କୁ ଆମ୍ବୁଲାନ୍ସ ଗଡ଼ିବା ଭଳି ରାସ୍ତା ନାହିଁ। ରାସ୍ତାରେ ଅଟକିଛି ଏହି ଗ୍ରାମଗୁଡ଼ିକର ବିକାଶ। ରାସ୍ତା ଦୁରବସ୍ଥା ଯୋଗୁଁ ଚିକିତ୍ସାରେ ବିଳମ୍ବ ହେଉଛି। ଯଦ୍ବାରା ଅକାଳରେ ଲୋକଙ୍କ ଜୀବନ ଯାଉଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ବ୍ଲକ୍‌ ଗୁନ୍ଦୁଲିଆ ପଞ୍ଚାୟତ କିରମାଖୋଲ ଗାଁ’ରେ। ଗାଁ ରାସ୍ତା କାଦୁଅରେ ଦୀର୍ଘ ସମୟ ଆମ୍ବୁଲାନ୍ସ ଫସି ରହିବାରୁ ବିଳମ୍ବିତ ଚିକିତ୍ସା ଯୋଗୁଁ ଜଣେ ମହିଳାଙ୍କ ଜୀବନ ଯାଇଛି। ପ୍ରାପ୍ତ ସୂଚନାନୁସାରେ ଗାଁ’ର ବନବାସୀ କହଁର (୪୮ ବର୍ଷ) ଶନିବାର ସକାଳ ପ୍ରାୟ ୧୦ଟା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ।

Advertisment

ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଡକା ହେଲା। ଖାଲି ଆମ୍ବୁଲାନ୍ସ ରାସ୍ତାର କାଦୁଅ ଅତିକ୍ରମ କରି ଗାଁ’ରେ ଦିନ ୧୦.୩୦ରେ ପହଞ୍ଚିଥିଲା। ମାତ୍ର ରୋଗୀଙ୍କୁ ନେଇ ଆସିବା ବେଳକୁ କାଦୁଅରେ ଫସି ଯାଇଥିଲା। ଏପରିକି ଗନସରଗୁଡ଼ି ପର୍ଯ୍ୟନ୍ତ ୬ କିମି ରାସ୍ତା ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଲା। ଫଳରେ ଗୁରୁତର ରୋଗୀଙ୍କୁ ଅପରାହ୍‌ଣ ୩ଟା ୨୩ ମିନିଟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତୁରନ୍ତ ତାଙ୍କୁ ଆଶୁ ଚିକିତ୍ସା ବିଭାଗରେ ଚକିତ୍ସା ଆରମ୍ଭ କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ରାତି ୧୦ଟାରେ ବନବାସୀଙ୍କ ମୃତ୍ୟୁ ଘଟିଥିଲା। ରାସ୍ତା ଯୋଗୁଁ ୪ ଘଣ୍ଟା ବିଳମ୍ବରେ ଚିକିତ୍ସା ଆରମ୍ଭ ହୋଇଥିବାରୁ ବନବାସୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।