କୋଟିଆର ଦୁଃଖ: ଲୁଗା ଭାର ଯେଉଁଠି ଆମ୍ବୁଲାନ୍ସ

କୋରାପୁଟ: ଦୀର୍ଘଦିନ ଧରି ଭାରତ ସ୍ବାଧୀନ ହୋଇଥିଲେ ବି ଏଯାଏଁ ଅନେକ ଗାଁକୁ ମୌଳିକ ସେବା ଅପହଞ୍ଚ ରହିଛି। ଓଡ଼ିଶାର କୋରାପୁଟ ଜିଲ୍ଲାରେ ଏହାର ଅନେକ ଛାପ ଦେଖିବାକୁ ମିଳିଛି। ବିଶେଷ କରି ଓଡ଼ିଶାର କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ଦୃଶ୍ୟ ଅତୀବ ଯନ୍ତ୍ରଣା ଦାୟକ। ଅତ୍ୟାବଶ୍ୟକ ସେବାର ଅପହଞ୍ଚ ଆଜି କୋଟିଆ ପାଇଁ ଦୁଃଖ ପାଲଟିଯାଇଛି। ରାସ୍ତା ଭଳି ମୌଳିକ ସେବା ଅଭାବରୁ ରୋଗୀଙ୍କ ପାଇଁ ଲୁଗା ଭାର ଆମ୍ବଲାନ୍ସର ସ୍ଥାନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରବିବାର ସୀମାଗାଡା ଗାଁର ଜଣେ ଆସନ୍ନ ପ୍ରସବାଙ୍କ କ୍ଷେତ୍ରରେ ଏଭଳି ସେବା ଦେଖିବାକୁ ମିଳିବା ପରେ କୋଟିଆର ବିକାଶ ପାଇଁ ସରକାରଙ୍କ କେତେ ଆନ୍ତରିକତା ରହିଛି ତାହା ସ୍ପଷ୍ଟ ହୋଇଯାଇଛି।

ସୀମାଗାଡା ଗାଁ ରହିଛି ପଞ୍ଚାୟତଠାରୁ ଅନେକ ଦୂରରେ। ପାହାଡିଆ ଗାଁ ହୋଇଥିବାରୁ ଉକ୍ତ ଗାଁକୁ କେବଳ ପାଦଚଲା ରାସ୍ତାଟିଏ ପଡ଼ିଛି। ଉକ୍ତ ଗାଁର ଜାନି ବୁରୁଜାଙ୍କ ସ୍ତ୍ରୀ ଜାନୀ ଅନିତା(୨୪)ଙ୍କ ରବିବାର ସକାଳେ ଗର୍ଭଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ୧୦୮କୁ ଯୋଗାଯୋଗ କରିଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ଯାଇପାରି ନଥିଲା। ଗାଁଠାରୁ ୪ କିମି ଦୂର ବିଜାଗୁଡା ନିକଟରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଡ୍ରାଇଭର ଗାଁକୁ ଯାଇଥିଲେ। ତାଙ୍କୁ ଲୁଗା ଭାରରେ ସୀମାଗାଡା ଗାଁରୁ ବିଜାଗୁଡାକୁ ଅଣାଯିବାକୁ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ପ୍ରତାପ ନାୟକ, ସ୍ବାମୀ ଜାନି ବୁରୁଜା ଓ ଆଶାକର୍ମୀ ବନ୍ଦୋବସ୍ତ କରିଥିଲେ। ଲୁଗା ଭାରରେ ବୋହି ଅନିତାଙ୍କୁ ବିଜାଗୁଡା ଅଣାଯିବା ପରେ  ସେଠାରୁ ଆମ୍ବୁଲାନ୍ସରେ ତାଙ୍କୁ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ବିଜାଗୁଡା ଯାଏ ପାହାଡିଆ ରାସ୍ତାରେ ଜୀବନକୁ ପାଣି ଛଡ଼ାଇ ଏମାନେ ଏତେ ରାସ୍ତା ଜଣେ ଗର୍ଭବତୀଙ୍କୁ ଆଣିଥିଲେ। କେବଳ ଅନିତା ନୁହଁନ୍ତି ଏମିତି ଅନେକ ମହିଳାଙ୍କୁ ଅଣାଯାଇଛି।ତଥାପି ପ୍ରଶାସନର ରାସ୍ତାଟିଏ ପାଇଁ ଚେତା ପଶୁନି। ଗାଁରେ ୨୫ରୁ ଅଧିକ ପରିବାର ରହୁଛନ୍ତି। ଅନ୍ୟ ଦିନ ଅପେକ୍ଷା ବର୍ଷା ଋତୁରେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଜାଗୁଡାରୁ ସୀମାଗାଡା ଯାଏ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏକ ରାସ୍ତା ପାଇଁ ଦୁଇବର୍ଷ ହେଲା ପ୍ରସ୍ତାବ ରହିଛି। ଏହି ଯୋଜନା କେବଳ ପ୍ରସ୍ତାବରେ ହିଁ ରହିଯାଇଛି। ଖାଲି ରାସ୍ତା ନୁହେଁ, ପାନୀୟ ଜଳ, ଶିକ୍ଷା, ବିଜୁଳି ଆଦି କ୍ଷେତ୍ରରେ ବି ଏମାନଙ୍କ ଯନ୍ତ୍ରଣା କହିଲେ ନସରେ। ଯେମିତି ଯନ୍ତ୍ରଣା ଏମାନଙ୍କ ଚିର ସହଚର ପାଲଟିଯାଇଛି।

କୋଟିଆ ପାଇଁ ରାଜ୍ୟ ସରକାର ୧୫୦ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରିଥିବାବେଳେ ହସ୍ପିଟାଲ, ଥାନା ସହ ପ୍ରତି ଗାଁକୁ ରାସ୍ତା ନିର୍ମାଣ କରାଯାଇଥିବା କୁହାଯାଉଛି। ଯାହାର ବାସ୍ତବତା ନାହିଁ। ଏହାର ତଦନ୍ତ କରାଗଲେ ଉକ୍ତ ଟଙ୍କା ଯାଉଛି କୁଆଡ଼େ ତାହାର ରହସ୍ୟ ଜଣାପଡିବ ବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର