ମୟୂରଭଂଜ: ମୃତ ଶିଶୁ-ମା’ଙ୍କୁ ରାସ୍ତାରେ ଥୋଇ ଦେଲା ୧୦୨ ଆମ୍ବୁଲାନ୍ସ, କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ

ରାଇରଙ୍ଗପୁର: ମୃତ ଶିଶୁ ଓ ମା’ଙ୍କୁ ଅଧାବାଟରେ ୧୦୨ ଆମ୍ବୁଲାନ୍ସ ଥୋଇ ଦେଇ ଚାଲିଯିବା ଘଟଣା ଗୁରୁବାର ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଜାମଦା ଥାନା ଅନ୍ତର୍ଗତ ତରଣା ପଂଚାୟତ ଅନ୍ତର୍ଗତ ମାନଧୀର ଗ୍ରାମର ଗଣେଶ୍ୱର ମହାକୁଡଙ୍କ ପୁଅ ବିବେକ ମହାକୁଡଙ୍କ ସ୍ତ୍ରୀ ଆଜି ନିଜର ୬ ମାସର ଶିଶୁକୁ ନେଇ ରାଇରଙ୍ଗପୁର ହସ୍‌ପିଟାଲ ନେଇ ଯାଇଥିଲେ। ସେଠାରେ ଶିଶୁଟିର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାକୁ ଡାକ୍ତର ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ସ୍ଥାନାନ୍ତର କରିଥିଲେ।

ହସ୍‌ପିଟାଲ ପକ୍ଷରୁ ସ୍ଥାନାନ୍ତର କରାଯିବା ପରେ ୧୦୨ ଆମ୍ବୁଲାନ୍ସ ମା’-ଶିଶୁକୁ ନେଇ ବାରିପଦା ଅଭିମୁଖେ ବାହାରିଥିଲା। ବାଙ୍ଗିରିପୋଷି ପାଖାପାଖି ବାଟରେ ଶିଶୁଟିର ଅବସ୍ଥା ଆହୁରି ସଂକଟ ହେବାରୁ ଆମ୍ବୁଲାନ୍ସ ଚାଳକ ବିଷୋଇ ହସ୍‌ପିଟାଲ ନେଇ ଯାଇଥିଲେ। ମାତ୍ର ବିଷୋଇ ହସ୍‌ପିଟାଲରେ ସେହି ସମୟରେ କୌଣସି ଡାକ୍ତର ନଥିଲେ। ଏହା ପରେ ଗାଡ଼ିର ଚାଳକ ମା’ ଓ ମୃତ ଶିଶୁକୁ ରାସ୍ତା କଡ଼ରେ ଥୋଇ ଦେଇ ସେଠାରୁ ଚାଲି ଯାଇଥିଲେ।

ଏହି ଘଟଣା ଜାଣିବା ପରେ ଏସ୍‌ଡିଏମ୍‌ଓ ଛତିଶ ଚନ୍ଦ୍ର ମହାନ୍ତ ସ୍ୱର୍ଗରଥ ପଠାଇ ମୃତ ଶିଶୁକୁ ହସ୍‌ପିଟାଲ ଆଣିଥିଲେ। ମୃତବୋଲି ଜଣାପଡ଼ିବା ପରେ ଶିଶୁଟିର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ନେଇ ସ୍ଥାନୀୟ ସରପଂଚ ରାଜରାମ ବାଗେଙ୍କ ନେତୃତ୍ୱରେ ଉତ୍ତେଜିତ ଗ୍ରାମବାସୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର