ଯାଇ ପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ଖଟିଆରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ସୁନ୍ଦରଗଡ଼: ଗାଁକୁ ରାସ୍ତା ନାହିଁ, ଭରା ନାଳରେ ପୋଲ ନାହିଁ। ସେଥିପାଇଁ ଅଧା ବାଟରେ ଅଟକିଗଲା ଆମ୍ବୁଲାନ୍ସ। ଶେଷକୁ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ଯାଏ ରୋଗୀଙ୍କୁ ଅଣାଗଲା । ପରେ ସେଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନା। ବିକାଶର ଏପରି ବିକଳ ଚିତ୍ରଟି ଦେଖିଵାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳସରା ପଞ୍ଚାୟତର କୁମଡ଼ାଫାଲ ଗ୍ରାମରେ। ତେଵେ ଏପରି କଲବଲ ସ୍ଥିତିରେ ଅନ୍ୟ ଏକ ଭଲ ଦୃଶ୍ୟଟିଏ ମଧ୍ୟ ଥିଲା। ଗୁରୁତର ରୋଗୀଙ୍କୁ ଖଟିଆରେ ୨ କିଲୋମିଟର ଵୋହି ନାଳ ପାରି କରିଥିଲେ ଆମ୍ବୁଲାନ୍ସ କର୍ମଚାରୀ। ଖଟିଆରେ ଵୋହିବାର ବିପରୀତ ଚିତ୍ର ମଧ୍ୟରେ କର୍ମଚାରୀଙ୍କ ମାନଵିକତା ସୁନ୍ଦରଗଡ଼ରେ ଚର୍ଚ୍ଚାର ଵିଷୟ ହୋଇଛି।

କୁମଡ଼ାଫାଲ ଗାଁରେ ଆଜି ପର୍ଯ୍ୟନ୍ତ ଯାତାୟତ ପାଇଁ ରାସ୍ତା ନାହିଁ । ଗାଁ ମୁଣ୍ଡ ନାଳରେ ପୋଲ ଵି ନାହିଁ। ଯାହା ଫଳରେ ଏହି ଗାଁ ସମେତ ଆଖପାଖ ଅଞ୍ଚଳର ଅଧିବାସୀମାନେ ଏହି କୁମଡ଼ାଫାଲ ଗାଁ ନାଳ ପାଣିରେ ପଶି ବ୍ଲକ ମୁଖ୍ୟାଳୟ , ଡାକ୍ତରଖାନାକୁ ଆସିଥାନ୍ତି। ବିଶେଷ କରି ରାସ୍ତା ନ ଥିବା ହେତୁ ଏହି ଗାଁ ଲୋକେ ଆମ୍ବୁଲାନ୍ସ ସେବା ମଧ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଗୁରୁତର ରୋଗୀ ହୁଅନ୍ତୁ କି ପ୍ରସୂତି ମହିଳାଙ୍କୁ ଖଟିଆରେ ଦୁଇ କିଲୋମିଟର ବୋହି ନାଳ ପାର କରି ନେଇଥାନ୍ତି ।

ଗୁରୁଵାର କୁମଡାଫାଲ ଗ୍ରାମର ଯୁବକ ଦିଲୀପ ବାରୁଆ ବିଷପାନ କରି ଗୁରୁତର ଥିବା ବେଳେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ। କିନ୍ତୁ ନାଳରେ ପାଣି ବୋହୁଥିବାରୁ ଆମ୍ବୁଲାନ୍ସ ଗାଁ ମଧ୍ୟକୁ ପହଞ୍ଚି ପାରି ନଥିଲା । ଏପଟେ ଧିରେ ଧିରେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା। ସ୍ଥିତିକୁ ଦେଖି ଆମ୍ବୁଲାନ୍ସ ଡ୍ରାଇଭର ଓ ସ୍ବାସ୍ଥ୍ୟକର୍ମୀ ଗାଁ ଲୋକଙ୍କ ସହଯୋଗରେ ରୋଗୀଙ୍କୁ ଖଟିଆରେ ବୋହି ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସରେ ରୋଗୀକୁ ସବଡେଗା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଯାଇଥିଲା । ଚିକିତ୍ସା ପରେ ବଞ୍ଚି ଯାଇଥିଲା ଦିଲୀପଙ୍କ ଜୀବନ । ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତାକୁ ସଲାମ ପ୍ରଶଂସା କରିଥିଲେ ପୀଡିତଙ୍କ ପରିବାର।

ସମ୍ବନ୍ଧିତ ଖବର