ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ; ଗାଁକୁ ରାସ୍ତା ନାହିଁ…ଅଧାରେ ଅଟକିଲା ଆମ୍ବୁଲାନ୍ସ

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଆଜି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ସ୍ଥାନୀୟ ବ୍ଲକ ବୁର୍ଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁତୁକାଝୋଲା ଗାଁକୁ ରାସ୍ତା ନଥିବା କାରଣରୁ ଗ୍ରାମବାସୀ ଆଶା ଦିଦିଙ୍କ ସହାୟତାରେ ଏକ ଷ୍ଟ୍ରେଚରରେ ୩ କିଲୋମିଟର ଜଣେ ଗର୍ଭବତୀ ମହିଳାଙ୍କୁ ବୋହି ଆଣୁଥିବା ଦେଖିବାକୁ ମିଳିଛି।

କୁତୁକାଝୋଲା ଗାଁର ସବନା ଓ୍ଵାଡେକାଙ୍କ ସ୍ତ୍ରୀ ଜାନକୀ ଓ୍ଵାଡେକା ସୋମବାର ଦିନ ସନ୍ଧ୍ୟାରୁ ପ୍ରସବ ବେଦନାରେ ଛଟପଟ ହେଉଥିଲ। କିନ୍ତୁ ଗାଁଟି ଲକ୍ଷ୍ମୀପୁର ବ୍ଲକ ସଦର ଠାରୁ ୬ କିଲୋମିଟର ଦୂର ପାହାଡ ଉପରେ ରହିଥିବା ବେଳେ ଗାଁକୁ ଭଲ ରାସ୍ତା ନାହିଁ। ଏପରି କି ଅନ୍ଧାର ରାତିରେ ଡାକ୍ତରଖାନା ଆଣିବାକୁ ଭୟ କରି ଓ କୌଣସି ଉପାୟ ନ ପାଇ ଗତକାଲି ରହି ଯାଇଥିଲେ।

ମଙ୍ଗଳବାର ଦିନ ସକାଳ ସାତଟା ବେଳକୁ ଗାଁପାଖ ପାହାଡ ଉପରେ ଚଢି ୧୦୨ ଆମ୍ବୁଲାନ୍ସକୁ ସବନା ଫୋନ କରିଥିଲେ କିନ୍ତୁ ଲକ୍ଷ୍ମୀପୁରରେ ୧୦୨ ଆମ୍ବୁଲାନ୍ସ ଖରାପ ଥିବାରୁ ଗାଁରେ ରହୁଥିବା ଆଶା କର୍ମୀଙ୍କୁ ଜଣାଇଥିଲେ। ପରେ ଆଶା କର୍ମୀ କବିତା ଖରା ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଜଣାଇବା ପରେ ଆମ୍ବୁଲାନ୍ସ ଲକ୍ଷ୍ମୀପୁରଠାରୁ ସାଢେ ତିନି କିଲୋମିଟର ଦୂର ନାଳଚୁଆଁ ଗାଁ ପାଖରେ ପହଞ୍ଚି ଅଟକି ରହିଥିଲା।

ପରେ ଆଶା ଦିଦିଙ୍କୁ ପ୍ରଦାନ କରାଯାଇଥିବା ଏକ ଷ୍ଟ୍ରେଚର ମାଧ୍ୟମରେ ଗାଁର ବିନ୍ଦ୍ୟ ମିଣିଆକା, ଆସଡୁ କୁଲେସିକା, ଜିତୁ ମିଣିଆକା, ସିତ୍ୟ ମିଣିଆକା ଚାଲି ଚାଲି ଗର୍ଭବତୀକୁ ବୋହି ତିନି କିଲୋମିଟର ପାହାଡ କଡ ଦେଇ ଆମ୍ବୁଲାନ୍ସ ପାଖରେ ପହଁଞ୍ଚିଥିଲେ। ସେଠାରୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସରେ ମହିଳାଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧିତ ଖବର