‘ଆମେ ଡୁମାଲ୍‌’ ସଂସ୍କୃତି ସମାବେଶ; ଭାଷା ହିଁ ଜାତି ଗଢ଼ିବାର ମାଧ୍ୟମ: ସୌମ୍ୟରଂଜନ

ବରଗଡ଼/ଥୁଆପାଲି: ମାତୃଭାଷା ହିଁ ସବୁଠୁ ମଧୁର ଭାଷା। ଏହି ଭାଷା ହିଁ ସମାଜ ଏବଂ ଜାତିକୁ ଏକତାର ସୂତ୍ରରେ ବାନ୍ଧିଥାଏ। ଏହାଦ୍ବାରା ମଣିଷ ସମାଜ ସମୃଦ୍ଧ ହୁଏ। ସିଧା ଭାଷାରେ, ଭାଷା ହିଁ ଜାତି ଗଢ଼ିବାର ମାଧ୍ୟମ ବୋଲି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତ ରଖିଛନ୍ତି। ଭେଡ଼େନ ବ୍ଲକ୍‌ ରୁଷୁଡ଼ାଠାରେ ଅନୁଷ୍ଠିତ ‘ଆମେ ଡୁମାଲ୍‌’ ସଂସ୍କୃତି ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଡୁମାଲ୍‌ ଜାତିକୁ ଗୋଟିଏ ସମୃଦ୍ଧ ଜାତି ଭାବେ ବିବେଚନା କରିଥିଲେ। ସେ କହିଲେ, ‘ମୁଁ’କୁ ଛାଡ଼ି ‘ଆମେ’କୁ ଆପଣେଇବାକୁ ପଡ଼ିବ। ଏହାଦ୍ବାରା ଗଣତନ୍ତ୍ର ସୁସ୍ଥ ହେବ। କାରଣ ଲୋକଙ୍କୁ ଏକାଠି କରିବା ହିଁ ଗଣତନ୍ତ୍ରର ମୂଳଲକ୍ଷ୍ୟ। ଏକାଠି ହେବା ସହ ସହମତି ବି ଲୋଡ଼ା। ଗୋଟିଏ ମତରେ ସହମତି ହେଲେ ହିଁ ବିକାଶ ସମ୍ଭବ। ତେଣୁ ବାରମ୍ବାର ଏକାଠି ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଏହି ସମାବେଶର ସମ୍ମାନିତ ଅତିଥି ଅତାବିରା ବିଧାୟିକା ସ୍ନେହାଂଗିନୀ ଛୁରିଆ ନିଜ ଅଭିଭାଷଣରେ ନିଜ ମାଟିର ବିକାଶ ହିଁ ସମସ୍ତଙ୍କ ପ୍ରଥମ କର୍ତବ୍ୟ ବୋଲି କହିଥିଲେ। ସେ ଆହୁରି କହିଲେ, ଜନ୍ମମାଟି, ଜାତି ଏବଂ ପୂର୍ବପୁରୁଷ ହେଲେ ସମାଜ ପାଇଁ ସବୁକିଛି। ସମାଜ ଓ ଜାତି ହେଲା ମା’ ସଦୃଶ। ସମାଜ ଏବଂ ଜାତିର ବିକାଶ ନହେଲେ ନିଜର ବିକାଶ ଅସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଭେଡ଼େନ ବ୍ଲକ୍‌ ବିଜେଡି ସଭାପତି ହରିଶଂକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗୁଣମଣି କର୍ମୀ, ବ୍ଲକ୍‌ ଅଧ୍ୟକ୍ଷ ଡୋଳାମଣି କ୍ଷେତି, ଶିକ୍ଷାବିତ୍‌ ଯୁଧିଷ୍ଠିର ମହାର, ଅତାବିରା ଜିଲ୍ଲା ପରିଷଦ ସଭ୍ୟା ମୀରା ବଘାର, ଡୁମାଲ ସମାଜର ରାଜ୍ୟ ସଭାନେତ୍ରୀ ହେମାବତୀ କର୍ଣ୍ଣ, ଅତାବିରା ବ୍ଲକ୍‌ ଅଧ୍ୟକ୍ଷା ରୀତା ସାହୁ, ବ୍ଲକ୍‌ କଳାକାର ସଂଘ ସଭାପତି ସାଗର ମହାକୁର, ଭେଡ଼େନ ଜିଲ୍ଲା ପରିଷଦ ସଭ୍ୟ ସୁବାସ ହୋତା, ଅବସରପ୍ରାପ୍ତ କୃଷି କର୍ମଚାରୀ ଫକୀର କର୍ଣ୍ଣ ଏବଂ ସନ୍ତୋଷିନୀ କର୍ଣ୍ଣ ମଂଚାସୀନ ଥିଲେ। ଏହି ଅବସରରେ ‘ଆମେ ଡୁମାଲ୍‌’ ମୁଖପାତ୍ର, ପାକ୍ଷିକ ପତ୍ରିକା ଡୁମାଲ୍‌ ସମାଚାର, ତ୍ରିଲୋଚନ କମ୍ପଙ୍କ ରଚିତ ମାହେଶ୍ବରୀ ଚାଳିଲା, ପଦ୍ମନ କର୍ଣ୍ଣଙ୍କ ଲିଖିତ ଶକ୍ତି ଝଙ୍କାର ଏବଂ ଫକୀର କର୍ଣ୍ଣଙ୍କ ପ୍ରସ୍ତୁତିରେ ଡୁମାଲ ଜାତିର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ଅନ୍ୟପକ୍ଷରେ କୃତୀ ଛାତ୍ରଛାତ୍ରୀ ଅନ୍ବେଷା ବେହେରା, ତନିଷ୍କ ମହାକୁର ଏବଂ ଆର୍ଯ୍ୟଦେବ ପ୍ରଧାନ, କଳାକାର ଲୁକୁ ବେହେରା, ସନ୍ତୋଷ ବେହେରା, ଉତ୍ତମ ବେହେରା ଏବଂ ସାଗର ମହାକୁର, ଡା. ମନୋରଂଜନ ମହାକୁର ଏବଂ ଧନୁର୍ଜୟ ମାହାରଙ୍କୁ ସମ୍ମାନିତ କରାଯାଇଥିଲା। ‘ଆତ୍ମା’ର ସଭାପତି ସୁରେନ୍ଦ୍ର କର୍ମୀ ଧନ୍ୟବାଦ ଦେଇଥିଲେ। ଏଥିସହ ସମାବେଶ ସ୍ଥଳରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର