ଜିଲ୍ଲା ସଦର ମହକୁମାରେ ଅମଲାଙ୍କ ଧାରଣା ଜାରି

ରବିବାର ଭୁବନେଶ୍ୱରରେ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ

ଖୋର୍ଦ୍ଧା: ନିଯୁକ୍ତିରେ ଜିଲ୍ଲାସ୍ତରୀୟ ଅମଲାଙ୍କ ଯୋଗ୍ୟତା ବଢ଼ାଇଛନ୍ତି ଏହା ସହ ବେତନ ବଢ଼ାଇନାହାନ୍ତି ରାଜ୍ୟ ସରକାର । ଯୋଗ୍ୟତା ସହ ବେତନ ବଢ଼ାଇବା ଦାବିରେ ଜିଲ୍ଲାସ୍ତରୀୟ ଅମଲାଙ୍କ ଚାଲିଥିବା ସମୂହ ଛୁଟି କାର୍ଯ୍ୟକ୍ରମ ଆଜି ତୃତୀୟ ଦିନରେ ପହଂଚିଛି । ଗତକାଲିର ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆସନ୍ତା କାଲି ଭୁବନେଶ୍ୱରରେ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ ବୋଲି ମିଳିତ ମଂଚ ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ଭଳି ଆଜି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅମଲାମାନେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହାପରେ ସେଠାରେ ଏକ ପ୍ରତିବାଦ ସଭା ହୋଇଥିଲା । ଏଥିରେ ମଂଚର ମିଳିତ କର୍ମକର୍ତାମାନେ ଅମଲାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ନୀତିର ତୀବ୍ର ସମାଲୋଚନା କରିଥିଲେ । ଧାରଣା ସ୍ଥଳକୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆସି ଯୋଗ ଦେବା ସହ ସେମାନଙ୍କ ଦାବି ଯୁକ୍ତିଯୁକ୍ତ ବୋଲି ସମର୍ଥନ ଜଣାଇଥିଲେ । ଏନେଇ ମଂଚର ଜିଲ୍ଲା ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା କହିଛନ୍ତି ଯେ ଶୁକ୍ରବାର ମଂଚ ସହ ରାଜ୍ୟ ସରକାରଙ୍କ ଦୁଇ ଦଫା ଆଲୋଚନା ହୋଇଥିଲା । ମଂଚର ଦାବି ଥିଲା ଯେ ସରକାର ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ, କିନ୍ତୁ ସରକାର ପ୍ରଥମେ ଆନେ୍ଦାଳନ ପ୍ରତ୍ୟାହୃତ କରିବାକୁ କହିଥିଲେ । ଫଳରେ ଉଭୟ ମୁଖ୍ୟ ଶାସନ ସଚିବ ଓ ଯୁଗ୍ମ ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ବିଫଳ ହୋଇଛି । ଆସନ୍ତାକାଲି ରବିବାର ଥିବାରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ନାହିଁ । ପ୍ରତ୍ୟେକ ଜିଲ୍ଲାର ୫-୬ଜଣ ପ୍ରତିନିଧି ଦଳ ଭୁବନେଶ୍ୱରରେ ପରବର୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବେ ।

ସମ୍ବନ୍ଧିତ ଖବର