ବଲାଙ୍ଗୀର: ବଲାଙ୍ଗୀର ମିଳିତ ଅମଲା ସଂଘ ଆହ୍ବାନରେ ଜୁନ୍ ୧ ତାରିଖରୁ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲା ସମୂହ ଛୁଟିରେ ଥାଇ ଆନ୍ଦୋଳନ କରୁଛନ୍ତି। ସରକାରଙ୍କୁ ମିଳିତ ଅମଲା ମଞ୍ଚର ଦାବି ଓଆର୍ଏସ୍ପି ରୁଲ ୨୦୧୭କୁ କାର୍ଯ୍ୟକାରୀ କରାଯାଉ। ଲେଭେଲ-୪ରୁ ଲେଭେଲ-୯ ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅମଲାଙ୍କ ମୂଳ ଦରମା ବୃଦ୍ଧି ଦାବି କରି ୧୬ ଦିନ ହେଲା ଜିଲ୍ଲାପାଳ କାର୍ଯ୍ୟାଳୟ ଅଗରେ ଆନ୍ଦୋଳନ ଜାରି ରଖିଛନ୍ତି। ଅମଲାଙ୍କ ଏଭଳି କାର୍ଯ୍ୟବନ୍ଦ କରି ଛୁଟିରେ ରହିବା ଦ୍ୱାରା ହିତାଧିକାରୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ପ୍ରଭାବିତ ହୋଇଛି। ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟ ସରକାରଙ୍କ ମୋ ଘର ଯୋଜନାରେ ଋଣ ଆବେଦନ ପାଇଁ ହିତାଧିକାରୀଙ୍କୁ ଆବଶ୍ୟକ କାଗଜପତ୍ର ଯଥା, ଆୟ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ତହସିଲ କାର୍ଯ୍ୟାଳୟଗୁଡ଼ିକରୁ ମିଳୁନାହିଁ। କାରଣ ଅମଲାମାନଙ୍କ ଟେବୁଲ ଖାଲି ପଡ଼ିଛି।
ସେହିପରି ବ୍ଲକ୍ କାର୍ଯ୍ୟାଳୟର ବିଭିନ୍ନ ଯୋଜନାର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଅମଲାଙ୍କ ଅନୁପସ୍ଥିତି ଯୋଗୁଁ ପ୍ରକଳ୍ପ ନଥିପତ୍ର ତିଆରି, କାର୍ଯ୍ୟାଳୟ ଆଦେଶ, ନୂତନ ପ୍ରକଳ୍ପର କାର୍ଯ୍ୟାଦେଶ ପ୍ରଦାନ, ଚେକ୍ବୁକ ଓ ଆର୍ଥିକ କାରବାର, ଡାକ, ସାମାଜିକ ସୁରକ୍ଷା ବିଭାଗର ବିଭିନ୍ନ ସହାୟତା ପାଇଁ ଅନ୍ଲାଇନ୍ ଆବେଦନ କାର୍ଯ୍ୟ ବ୍ଲକ୍ କାର୍ଯ୍ୟଳୟରେ ହୋଇ ପାରୁନଥିବା ଜଣାପଡ଼ିଛି। ସ୍କୁଲ ଖୋଲିବାକୁ ଆଉ ଅଳ୍ପଦିନ ଥିବା ବେଳେ ଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଦୂର ଦୁରାନ୍ତରୁ ଗରିବ ହିତାଧିକାରୀ ବିଭିନ୍ନ କାର୍ଯ୍ୟ ପାଇଁ ସରକାରୀ କାର୍ଯ୍ୟାଳୟକୁ ଆସୁଛନ୍ତି। କିନ୍ତୁ ଅମଲାମାନେ ଛୁଟିରେ ଥିବା କହି ଅଧିକାରୀମାନେ ଫେରାଇ ଦେଉଛନ୍ତି। ଫଳତଃ ଅମଲାଙ୍କ ସମୂହ ଛୁଟି ଆନ୍ଦୋଳନରେ ହିତାଧିକାରୀଙ୍କ ସମେତ ସରକାରଙ୍କ ସରକାରୀ ଯୋଜନା ପ୍ରଭାବିତ ହୋଇଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ଜିଲ୍ଲାସ୍ତରୀୟ ଅମଲାମାନେ। ସରକାର ଓ ଅମଲାଙ୍କ ଜିଦ୍ରେ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଥିବାରୁ ଦୁଇ ପକ୍ଷ ଆପୋସ ଆଲୋଚନା କରି କୌଣସି ନିଷ୍କର୍ଷ ବାହାର କରିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।