‘ଆଜାଦୀକା ଅମୃତ ମହୋତ୍ସବ’ରେ ତ୍ରିରଙ୍ଗାମୟ କୋରପୁଟ

କୋରାପୁଟ: ‘ଆଜାଦୀ କା ଅମୃତ ମହୋତ୍ସବ’ ଓ  ‘ହର ଘର ତିରଙ୍ଗା’ ଅଭିଯାନରେ ଆଜି ତ୍ରିରଙ୍ଗାମୟ ହୋଇଛି କୋରାପୁଟ। ବିଏସଏଫ ପକ୍ଷରୁ ମାରାଥାନ କରାଯାଇଥିବାବେଳେ ପୌରପାଳିକା ପକ୍ଷରୁ ବିଶାଳ ଶୋଭାଯାତ୍ରା ଏବଂ କୋରାପୁଟରେ ୭୫ ଫୁଟ ଲମ୍ବର ଜାତୀୟ ପତାକାକୁ ନେଇ ନଗର ପରିକ୍ରମା କରାଯାଇଛି। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜୟପୁର ଏବଂ କୋରାପୁଟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି।

ସେହିପରି ସମସ୍ତ ବିଦ୍ୟାଳୟ, ଡିଏଭି ମହାବିଦ୍ୟାଳୟ ଏବଂ ଲୋକ ବିକାଶ ମଞ୍ଚ ପକ୍ଷରୁ ଏହି ଉତ୍ସବକୁ ମହାସମାରୋହରେ ପା‌ଳନ କରାଯାଇଛି। ଅନ୍ୟପକ୍ଷରେ ବିଏସଏଫ (ସୀମା ସୁରକ୍ଷା ବଳ) ପକ୍ଷରୁ କୋରାପୁଟରେ ଆଜି ଏକ ମିନି ମାରାଥନ୍ (୧୦ କିଲୋମିଟର) ଆୟୋଜନ କରାଯାଇଥିଲା। ମାରାଥନକୁ ଫ୍ଲାଗ୍ ଅଫ୍ କରିଥିଲେ ୬୫ ବିଏନ୍ ବିଏସଏଫ କମାଣ୍ଡାଣ୍ଟ ଟି ଏନ୍ ରେଡ୍ଡି ଏବଂ କୋରାପୁଟ ଏସପି ବରୁଣ ଗୁଣ୍ଟାପଲ୍ଲୀ। ଏହି କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ, ସେକ୍ଟର ବିଏସଏଫ କୋରାପୁଟ ଏବଂ ୧୫୧ ବିଏନ୍ ବିଏସଏଫ କମାଣ୍ଡାଣ୍ଟ ଅଜୟ କୁମାର ଯୋଗ ଦେଇଥିଲେ।

Sambad

ଏଥିରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଲୟ, ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସ୍ପୋର୍ଟସ ହଷ୍ଟେଲ, ସାଇ ସ୍ପୋର୍ଟସ କ୍ଲବ ସୁନାବେଡା, ଜବାହର ନାଭୋଦୟ ବିଦ୍ୟାଲୟ, ଓଡିଶା ଆଦର୍ଶ ବିଦ୍ୟାଲୟରୁ ପ୍ରାୟ ୫୦୦ ନାଗରିକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ଏବଂ ଵିଜ୍ଞାନ ଅନ୍ତରାଷ୍ଟୀୟ ଡିଗ୍ରି କଲେଜ କୋରାପୁଟ ତଥା ବିଭିନ୍ନ ବର୍ଗର ଆଖପାଖ ଅଞ୍ଚଳଗୁଡିକର ବିଏସଏଫ କର୍ମଚାରୀଙ୍କ ସହିତ ଉଚ୍ଚ ଆଶା ଓ ଆକାଂକ୍ଷା ଏବଂ ପ୍ରେରଣାର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ଇଭେଣ୍ଟକୁ ସଫଳ ତଥା ସ୍ମରଣୀୟ କରାଇଥିଲେ।

Sambad

ବିଜେତାମାନଙ୍କୁ ୬୫ ବିଏନ୍ ବିଏସଏଫ ତରଫରୁ ନଗଦ ପୁରସ୍କାର ପ୍ରଦାନ କରିଥିଲେ କମାଣ୍ଡାଣ୍ଟ ଟି ଏନ୍ ରେଡ୍ଡି। ଏଥିରେ ରଶ୍ମୀ ରଂଜନ ନାୟକ ପ୍ରଥମ, ଘାସିରାମ ବୋରା ଦ୍ୱିତୀୟ ଏବଂ ଦ୍ରୀଶାନ୍ତ ପଣ୍ଡା ୧୦କିମି ବର୍ଗରେ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ୫୦୦୦, ୩୦୦୦ ଏବଂ ୨୦୦୦ ଟଙ୍କା ନଗଦ ପୁରସ୍କାର ହାସଲ କରିଥିଲେ। ବିଏସଏଫଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କୋରାପୁଟ ଡିଏଜି କଲେଜ ପକ୍ଷରୁ ଲଣ୍ଡିଗୁଡା ଓ ଗୌଉଡ ଗୁଡା ଓ ଜେଏନଭି କଲେଜରେ ଆଜାଦି କି ମହୋତ୍ସବ-ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଦୀପକ କୁମାର ପଟ୍ଟନାୟକଙ୍କ ସହ ବହୁ କର୍ମଚାରୀ ଉପସ୍ତିତ ରହିଥିଲେ। ସେହିପରି ଲୋକ ବିକାଶ ମଂଞ୍ଚ ପକ୍ଷରୁ ଆଦିତ୍ୟ ନଗରରେ ରହିଥିବା କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୧୨ଟି ବ୍ଲକର ୮୨ଟି ପଞ୍ଚାୟତର ୩୮୨ ଗାଁରେ ଗ୍ରାମସଭା କରାଯାଇ ପାନୀୟ ଜଳ, ସ୍କୁଲ ସମସ୍ୟା ଓ ସ୍ବାସ୍ଥ୍ୟ ସେବାର ଉନ୍ନତି କରାଯିବାକୁ ପଦକ୍ଷେପ ନିଆଯିବ। ଏନେଇ ସ୍ଥାନୀୟ ବିଡିଓ, ଲୋକପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସଭାପତି ଗୋପିନାଥ ପୂଜାରୀ ଓ ସମ୍ପାଦକ ଜତିନ ପାଙ୍ଗୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର