ଅମୃତ ସରୋବର ଯୋଜନାକୁ ପୁରିଲା ବର୍ଷେ, ମନ୍ଥରଗତିରେ ପୁନରୁଦ୍ଧାର

ଚିହ୍ନଟ ୮୧ଟି ପୋଖରୀରୁ ୩ଟିର ହଜିଯାଇଛି ଅସ୍ତିତ୍ୱ

ଖୋର୍ଦ୍ଧା: ସ୍ୱାଧୀନତା ୭୫ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ଏପ୍ରିଲ ୨୦୨୨ରେ କେନ୍ଦ୍ର ସରକାର ପ୍ରତି ଜିଲ୍ଲାର ୭୫ଟି ପୁରାତନ ପୋଖରୀ, ହ୍ରଦ ଆଦିର ପୁନରୁଦ୍ଧାର ଓ ମରାମତି କରିବାକୁ ଅନୁଦାନ ଦେଇଥିଲେ। ଏହା ମଧ୍ୟରେ ୧ବର୍ଷ ପୂର୍ତ୍ତି ହେବାକୁ ବସିଛି ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଅନୁଦିତ ହୋଇଥିବା ୮୧ ଟି ପ୍ରକଳ୍ପରୁ ୬୬ଟି ପ୍ରକଳ୍ପ ଏଯାଏଁ ଆରମ୍ଭ ହୋଇ ପାରିନାହିଁ। ବିଭାଗରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକର ୧୩୨ଟି ପୁରୁଣା ହ୍ରଦ, ପୋଖରୀ, ସରୋବରର ପୁନରୁଦ୍ଧାର ପାଇଁ ଚିହ୍ନଟ କରାଯାଇଥିଲା। ଏହା ମଧ୍ୟରୁ ୮୧ଟି ପ୍ରକଳ୍ପ ପାଇଁ ଅନୁଦାନ ମିଳିଥିଲା। ଯୋଜନା ଅନୁସାରେ ଏପ୍ରିଲ ୨୦୨୩ ସୁଦ୍ଧା ସମସ୍ତ ପ୍ରକଳ୍ପ ଶେଷ ହେବା ଲକ୍ଷ୍ୟ ରଖାଯାଇଥିଲା।

ତେବେ ପ୍ରଶାସନିକ ଅପରାଗତା କାରଣରୁ ୩ଟି ଚିହ୍ନଟ ହୋଇଥିବା ପୋଖରୀକୁ ଏଥିରୁ ବାଦ ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗରୁ ମିଳିଥିବା ସୂଚନାନୁସାରେ, ପ୍ରସ୍ତାବିତ ହୋଇଥିବା ୩ଟି ପୋଖରୀ ସର୍ବେକ୍ଷଣ ସମୟରେ ଚିହ୍ନଟ ହୋଇପାରିଲା ନାହିଁ, ଅର୍ଥାତ୍ ପୋଖରୀ ଥିବା ସରକାରୀ ନଥିରେ ରହିଛି କିନ୍ତୁ ବାସ୍ତବରେ ଏହା ଭୂପୃଷ୍ଠରେ ଏହାର ଅସ୍ତିତ୍ୱ ନାହିଁ। ତେବେ କୌଣସି ମତେ ଚିହ୍ନଟ ହୋଇଥିବା ୭୮ଟି ପ୍ରକଳ୍ପରୁ ଚଳିତ ଜାନୁଆରୀ ମାସ ସୁଦ୍ଧା ୫୨ଟିର ସରଜମିନ ସର୍ବେକ୍ଷଣ ଶେଷ ହୋଇଛି ଓ ୨୩ଟିର କାମ ଆରମ୍ଭ ହୋଇଛି। ଜାନୁଆରୀରେ ଏନେଇ ଅନୁଷ୍ଠିତ ପ୍ରଶାସନ, ସାଂସଦ ଓ ଜନପ୍ରତିନିଧିଙ୍କ ମିଳିତ ସମୀକ୍ଷା ବୈଠକରେ ମାର୍ଚ୍ଚ ଶେଷ ସୁଦ୍ଧା ୩୫ଟି ପ୍ରକଳ୍ପ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ମାର୍ଚ୍ଚ ମାସ ଶେଷ ହେବାକୁ ଆଉ ୧୦ ଦିନ ରହିଛି, କିନ୍ତୁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟରୁ କେବଳ ୧୫ଟି ପ୍ରକଳ୍ପ ଶେଷ ହୋଇଛି।

ଚିହ୍ନଟ ହୋଇଥିବା ୭୮ଟି ପ୍ରକଳ୍ପ ମଧ୍ୟରୁ ଏୟାର୍ଫିଲ୍ଡ କପିଳପ୍ରସାଦର ଗୋଟିଏ, ବାଲିଅନ୍ତା ବ୍ଲକର ୮, ବାଲିପାଟଣା ୮, ବାଲୁଗାଁ ୭, ବାଣପୁର ୮, ବେଗୁନିଆ ୫, ବୋଲଗଡ଼ ୯, ଚନ୍ଦକା ୨, ଜଙ୍କିଆ ୮, ଜଟଣୀ ୫, ଖୋର୍ଦ୍ଧା ୩, ଖୋର୍ଦ୍ଧା ସଦର ୪, ନିରାକାରପୁର ୨, ତମାଣ୍ଡେ ୧ ଓ ଟାଙ୍ଗୀ ୭ଟି। କିନ୍ତୁ ଟାଙ୍ଗୀ, ତମାଣ୍ଡୋ, ନିରାକାରପୁର, କପିଳପ୍ରସାଦରେ କୌଣସି ପ୍ରକଳ୍ପ ଆରମ୍ଭ ହୋଇନଥିବା ବେଳେ ଖୋର୍ଦ୍ଧା ଓ ଖୋର୍ଦ୍ଧା ସଦରର ୭ଟି ପ୍ରକଳ୍ପ ମଧ୍ୟରୁ କେବଳ ଦୁଇଟି ଶେଷ ହୋଇଛି। ଜଟଣୀର ୫ଟିରୁ ୧, ଜଙ୍କିଆର ଗୋଟିଏ, ବୋଲଗଡ଼ର ୩ଟି, ବେଗୁନିଆ ୨ଟି, ବାଣପୁର ୧, ବାଲୁଗାଁ ୨, ବାଲିପାଟଣା୧, ବାଲିଅନ୍ତା ୨ଟି ପୋଖରୀ କାମ ଶେଷ ହୋଇଛି। ସୂଚନାଯୋଗ୍ୟ, ପ୍ରକଳ୍ପ ଯୋଜନାନୁସାରେ, ଯେଉଁ ପୋଖରୀ ଓ ହ୍ରଦ ଅତିକମ୍ରେ ୧ ଏକର ପରିସୀମା ଓ ଜଳଧାରଣ କ୍ଷମତା ୧୦ହଜାର କ୍ୟୁବିକ୍ ମିଟର କିମ୍ବା ଅଧିକରହିଥିବ, ସେଭଳି ପୋଖରୀର ପୁନରୁଦ୍ଧାର ପାଇଁ ଅନୁଦାନ ମିଳିବ। ଚିହ୍ନଟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ମନରେଗା, ୧୫ତମ କେନ୍ଦ୍ର ଅର୍ଥ କମିଶନ ଅନୁଦାନ କିମ୍ବା ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା ଅନୁଦାନରୁ ଖର୍ଚ୍ଚ କରାଯିବ। ଖୋର୍ଦ୍ଧା ଜିଲ୍ଲାର ଚିହ୍ନଟ ହୋଇଥିବା ୭୮ଟି ପ୍ରକଳ୍ପର କାମ ମନରେଗା ଯୋଜନାରୁ ଅନୁଦିତ ହୋଇଥିଲା।

ସମ୍ବନ୍ଧିତ ଖବର