ବାରିପଦା ପୌରାଞ୍ଚଳରେ କେମିତି ଚାଲିଛି ଅମୃତ ଯୋଜନା ? ୯୦ ଲକ୍ଷ ଟଙ୍କାର ସୋଲାର୍‌ ପ୍ଲେଟ୍‌ ପ୍ରକଳ୍ପ, କେବଳ ଧର୍ମକୁ ଆଖିଠାର

୧୩ଟି ସ୍ଥାନରେ ପ୍ଲେଟ୍‌ ଲାଗିଛି, କେଉଁଠି ବି କାମରେ ଆସୁନି

ବାରିପଦା : ବିଜୁଳି ଶକ୍ତିକୁ ସଞ୍ଚୟ କରାଯିବ। ସେଥିପାଇଁ ପ୍ରାୟ କୋଟିଏରୁ ମାତ୍ର ୧୦ଲକ୍ଷ କମ ଟଙ୍କା ଖର୍ଚ୍ଚରେ ଲଗାଗଲା ସୋଲାର ପ୍ଲେଟ୍‌। ମାତ୍ର କିଛି ଲାଭ ହେଲାନି। ଯେଉଁ ତିମିରକୁ ସେଇ ତିମିର। ଅଗତ୍ୟା, ଲୋଭୋଲ୍‌ଟେଜ କାରଣରୁ ବିଜୁଳି ଶକ୍ତିରେ ହିଁ କାମ ମେଣ୍ଟୁଛି। ତେବେ ପ୍ରଶ୍ନ ଉଠେ ଯଦି କାମରେ ଲାଗୁନି ତେବେ କଣ ପାଇଁ ହୋଇଥିଲା ଏହି ପ୍ରକଳ୍ପ। ପ୍ରକଳ୍ପର ଉପଯୋଗ ବେଳେ ସମ୍ଭାବ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇଥିଲା ନା ନାହିଁ? ନା କେବଳ କାମ କରିବା ପାଇଁ କରାଯାଇଥିଲା ଏପରି ପ୍ରକଳ୍ପ। ଏପରି ଏକାଧିକ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ପ୍ରଶାସନ। ବାରିପଦା ପୌରାଞ୍ଚଳରେ ସହରୀ ରୂପାନ୍ତରଣ ଅଟଳ ମିଶନ ଯୋଜନା(ଅମୃତ)ରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଛି। ଅମୃତ ଯୋଜନା ମାଧ୍ୟମରେ ବାରିପଦା ପୌରପରିଷଦକୁ ପ୍ରତ୍ୟେକ ବର୍ଷ ସହରର ବିକାଶ ପାଇଁ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଆସିଛି । କିନ୍ତୁ ଏହି ଆର୍ଥିକ ଅନୁଦାନ କିପରି ଭାବେ ଉପଯୋଗ ହୋଇଛି, ତାହା କହିବା ତାତ୍ପର୍ଯ୍ୟପୂର୍ଣ୍ଣ। କହିବାବାହୁଲ୍ୟ ଯେ ବାରିପଦା ପୌରପରିଷଦରେ ସୌରଚାଳିତ ବ୍ୟବସ୍ଥାରେ ପାନୀୟ ଜଳ ଯୋଗାଣ ପମ୍ପ୍‌ ହାଉସ ପରିଚାଳନା ନିମନ୍ତେ ଅମୃତ ଯୋଜନାରୁ ପ୍ରାୟ ୯୦ଲକ୍ଷ ଟଙ୍କା ବ୍ୟୟ ହୋଇଛି। ପୌରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ପୌରାଞ୍ଚଳର ୨୮ଟି ୱାର୍ଡରେ ଏକାଧିକ ପମ୍ପ ହାଉସ ରହିଥିବା ବେଳେ ଏହା ମଧ୍ୟରୁ ମୁର୍ଗାବାଡ଼ି, ଷ୍ଟେସନବଜାର, ଦାରୋଗାଡ଼ାହି, ଲାଲବଜାର, ପୁଲିସ କ୍ଲବ, ଗୋଲାପବାଗ, କୃଷ୍ଣଚନ୍ଦ୍ର ଗୋଲେଇ, ଦେବେନ୍ଦ୍ରପୁର ଓ ବିଜୟ ରାମଚନ୍ଦ୍ରପୁର ଆଦି ସ୍ଥାନରେ ଗୋଟିଏ ଲେଖାଏଁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମଧୁବନରେ ଦୁଇଟି ଲେଖାଏଁ ଏହିପରି ମୋଟ ୧୩ଟି ପମ୍ପ ହାଉସକୁ ବିଦ୍ୟୁତ୍ ଶକ୍ତି ବଦଳରେ ସୌର ଶକ୍ତି ମାଧ୍ୟମରେ ପମ୍ପ ଚଳାଇବା ନିମନ୍ତେ ସୋଲାର ପ୍ଲେଟ୍‌ର ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ଅମୃତ ଯୋଜନାରେ ୯୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ଭୁବନେଶ୍ୱରର ଏକ କମ୍ପାନୀକୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସୋଲାର ପ୍ଲେଟ୍‌ ଲାଗିଥିବା ୧୩ଟି ପମ୍ପ ହାଉସ ମଧ୍ୟରୁ ଷ୍ଟେସନ ବଜାର ପମ୍ପ ହାଉସର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ସମୟରେ ଅନ୍ୟ ୧୨ଟି ପମ୍ପ ହାଉସରେ ପାଣି ଉତ୍ତୋଳନ ନିମନ୍ତେ ମୋଟର ଚଳାଇବା ପାଇଁ ଆବଶ୍ୟକ ଭୋଲଟେଜ ସୋଲାର ପ୍ଲେଟ ଯୋଗାଇବାରେ ଅସମର୍ଥ ହେଉଛି। ତେଣୁ ବିଦ୍ୟୁତ ଶକ୍ତି ଉପରେ ନିର୍ଭର କରିବାକୁ ପଡ଼ୁଛି । ପମ୍ପ ହାଉସରେ ସୋଲାର ପ୍ଲେଟ ଲାଗିବା ଦିନଠାରୁ କୌଣସି ଗୋଟାଏ ଦିନ ସୌର ଶକ୍ତି ମାଧ୍ୟମରେ ପମ୍ପ ଚାଲିବାରେ ସଫଳ ନ ହେବା ଫଳରେ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଲାଗିଥିବା ସୋଲାର ପ୍ଲେଟ୍‌ ବ୍ୟବସ୍ଥା ଏକ ପ୍ରକାର ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗକୁ ଜନସ୍ୱାସ୍ଥ୍ୟ ବିଭାଗ ଏସଡିଓ ସୀତାରାମ ସେଠୀ ଖଣ୍ଡନ କରିବା ସହିତ ସୋଲାର ପ୍ଲେଟ ସଠିକ୍ ଭାବେ କାର୍ଯ୍ୟ କରୁଛି ବୋଲି କହିଛନ୍ତି। ମାତ୍ର କିପରି ଠିକ୍‌ ଭାବେ କାର୍ଯ୍ୟ କରୁଛି ତାହା ବୁଝାଇବାକୁ କିନ୍ତୁ ବିଭାଗୀୟ ଅଧିକାରୀ ଅକ୍ଷମତା ପ୍ରକାଶ କରିଛନ୍ତି। ତେବେ ଏହି ବ୍ୟବସ୍ଥାର ଉପଯୋଗ ବେଳେ କିପରି ବିଭାଗୀୟ ଅଧିକାରୀ ଅଦୂରଦର୍ଶୀତାର ପରିଚୟ ଦେଇଛନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ଜୀବନ ସାହୁ। କେନ୍ଦ୍ରୀୟ ଯୋଜନାର ସୁଫଳ ସାଧାରଣଲୋକଙ୍କ ପାଇଁ ହୋଇଥିବା ବେଳେ ଅଧିକାରୀମାନଙ୍କର ଦାୟିତ୍ବହୀନତା କାରଣରୁ ଏପରି ମହତ୍ତ୍ବାକାଂକ୍ଷୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ଏନେଇ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବା ଉଚିତ୍‌ ବୋଲି ଶ୍ରୀ ସାହୁ ମତବ୍ୟକ୍ତି କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ହୋଇଥିବା ଏହି ପ୍ରକଳ୍ପର ସଠିକ କାର୍ଯ୍ୟାକାରିତା ନେଇ କେଉଁଠି ସମସ୍ୟା ରହିଲା। କାମ କରିଥିବା ସଂସ୍ଥା ନା ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ, କାହାର ଅବହେଳା କାରଣରୁ ଏହା ସଠିକ ଢଙ୍ଗରେ ଉପଯୋଗ ହୋଇପାରୁନି। ଏମିତି ଏକାଧିକ ପ୍ରଶ୍ନରେ ସୋଲାର୍‌ ପ୍ଲେଟ୍‌ ଗୁଡ଼ିକ ସହିତ ଜନସାଧାରଣ ମଧ୍ୟ କେବଳ ଆକାଶକୁ ଚାହିଁ ରହିଛନ୍ତି।

 

ସମ୍ବନ୍ଧିତ ଖବର