ରୋଗୀଣା ବାପାଙ୍କୁ ଡାକ୍ତରଖାନା ନେବାକୁ ନେହୁରା ହେଉଥିଲା କୁନି ପୁଅ, କରୋନା ଭୟରେ ମନା କରିଦେଲେ ଆମ୍ବୁଲାନ୍ସ ଚାଳକ; ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ

ବ୍ରହ୍ମପୁର : ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କରୋନା ସଂକ୍ରମଣ ଭୟରେ ଲୋକମାନେ ମାନବିକତା ଦୃଷ୍ଟିରୁ ଜଣଙ୍କୁ ଯେତିକି ସାହାଯ୍ୟ କରିବା କଥା ସେତିକି  ନ କରି ମୁହଁ ଫେରାଇ ଚାଲି ଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ଆମ୍ବୁଲାନ୍ସ ଚାଳକ ବି ରୋଗୀଙ୍କୁ ନେବାକୁ ମନା କରି ଦେଇଥିବା ଭଳି ଏକ ଅମାନବୀୟ ଘଟଣା ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମରୁ ଆସିଛି।

 

ସୂଚନାଯୋଗ୍ୟ, ସୋମବାର ପ୍ରହଲ୍ଲାଦ ନଗରର ବାସିନ୍ଦା ମନୋଜ ପ୍ରହରାଜ ମଧୁମେହରେ ପୀଡିତ ହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଅମ୍ବୁଲାନ୍‌ସକୁ ଡକା ଯାଇଥିଲା। ଖବର ପାଇ ଆମ୍ବୁଲାନ୍ସ ବି ଘଟଣାସ୍ଥଳରେ ଆସି ପହଞ୍ଚିଥିଲା। କିନ୍ତୁ  ମନୋଜ ପ୍ରହରାଜ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଭାବି ଆମ୍ବୁଲାନ୍ସ ଚାଳକ ଓ ତାଙ୍କ ସହିତ ଆସିଥିବା ଅନ୍ୟ କର୍ମଚାରୀ ତାଙ୍କୁ ନେବା ପାଇଁ ମନା କରି ଦେଇଥିଲେ।  ପ୍ରହରାଜଙ୍କୁ ନେବା ପାଇଁ ୧୦୪ ହେଲ୍ପଲାଇନକୁ ଫୋନ କର ଓ  କୋଭିଡ ଆମ୍ବୁଲାନ୍ସକୁ ଡକାଅ ବୋଲି କହି ଘଟଣାସ୍ଥଳରୁ ଚାଲି ଯାଇଥିଲା ଆମ୍ବୁଲାନ୍ସ। ତେବେ ଏସବୁ ଆଇନ କାନୁନ ବୁଝି ନ ଥିବା ପ୍ରହରାଜଙ୍କର କୁନି ପୁଅ ଅତ୍ୟନ୍ତ ବିକଳ ହୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମୋ ବାପାଙ୍କୁ ଡାକ୍ତରଖାନା ନେଇଯାଅ ବୋଲି କାକୁତିମିନତି କରିଥିଲା। ମାତ୍ର ପିଲାଟିର ବ୍ୟାକୁଳତାକୁ ଖାତିର ନ କରି ଆମ୍ବୁଲାନ୍ସ ଡ୍ରାଇଭର ତା’ବାପାଙ୍କୁ ନ ନେଇ ପଳାଇ ଯାଇଥିଲା।

ରୋଗୀ ବାପାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ ପର୍ଯ୍ୟନ୍ତ ପହଞ୍ଚାଇ ଦେବା ପାଇଁ ପ୍ରହରାଜଙ୍କ କୁନି ପୁଅ ଆମ୍ବୁଲାନ୍ସ ଚାଳକଙ୍କ ପାଖରେ ଯେତେ ନେହୁରା ହୋଇଥିଲେ ହେଁ କେହି ତା’ କଥା ଶୁଣିଲେ ନ ଥିଲେ। ଶେଷରେ ଗାଁ ଦାଣ୍ଡରେ ପଡି ଛଟପଟ ହୋଇ ପ୍ରହରାଜଙ୍କ ଜୀବନ ପୁଅ ସାମ୍ନାରେ ଚାଲି ଯାଇଥିଲା। ବାପାଙ୍କୁ ବଞ୍ଚାଇବା ପାଇଁ କୁନି ପୁଅ ଅନେକ ଚେଷ୍ଟା କରିଥିଲେ ହେଁ ଶେଷରେ ହାର ମାନି ଯାଇଥିଲା।

ସମ୍ବନ୍ଧିତ ଖବର