ବନ୍ତଳା: ଦନ୍ତା ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ। ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳର କଞ୍ଜା ଗ୍ରାମରେ ଘଟିଛି ଏଭଳି ଘଟଣା।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, ବନ୍ତଳା ଥାନା ଅନ୍ତର୍ଗତ କଞ୍ଜା ଗ୍ରାମର ଝୁନ୍ତୁରି ମହାରଣା(୬୬)ଆଜି ସକାଳୁ ଗାଁ ପାଖ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ତେବେ କେନ୍ଦୁପତ୍ର ତୋଳୁଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡି ଯାଇଥିଲେ ଝୁନ୍ତୁରି । ଦନ୍ତାଟି ଝୁନ୍ତୁରିଙ୍କୁ ସମ୍ମୁଖରେ ଦେଖି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ବିଳମ୍ବିତ ସମୟ ପର୍ଯ୍ୟନ୍ତ ବୃଦ୍ଧାଜଣଙ୍କ ଘରକୁ ନଫେରିବାରୁ ତାଙ୍କ ଝିଅ ସେହି ଅଞ୍ଚଳକୁ ଖୋଜିବାକୁ ଯାଇଥିଲେ। ଖୋଜାଖୋଜି ପରେ ଦିନ ପ୍ରାୟ ୧୨ଟା ବେଳେ ତାଙ୍କର ମର ଶରୀର ଦେଖି ଗ୍ରାମବାସୀମାନଙ୍କୁ ଜଣାଇଥିଲେ ଝୁନ୍ତୁରିଙ୍କ ଝିଅ। ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏବେ ତଦନ୍ତ ଆରମ୍ଭ କରିଛନ୍ତି। ସେଠାରେ ଏପର୍ଯ୍ୟନ୍ତ ମୃତଦେହଟି ପଡି ରହିଥିବା ବେଳେ ବନ୍ତଳା ପୁଲିସ ସେଠାରେ ପହଞ୍ଚିନଥିବା ଜଣାପଡିଛି। ତେବେ ବନ ବିଭାଗର କର୍ମଚାରୀମାନେ ହାତୀମାନଙ୍କର ଗତିବିଧି ଉପରେ ନଜର ରଖୁନଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହେଉଛି।