ଚମ୍ପୁଆ: ଚାଉଳ ନେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ପଡ଼ିଯାଇ ରବିବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସୋମବାର ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏବିଡିଓ ଚୁନୁ ହାଁସଦାଙ୍କ ନେତୃତ୍ବ‌ରେ ଏକ ଟିମ୍‌ ପହଞ୍ଚି ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି।

Advertisment

ଚମ୍ପୁଆ ବ୍ଲକ୍‌ ରଙ୍ଗାମାଟିଆ ପଞ୍ଚାୟତ ରୁଆଁଗୋଡ଼ା ଗ୍ରାମର ଯୋଗୀ ନାଏକଙ୍କ ସ୍ତ୍ରୀ ବିଳାସ ନାଏକ (୭୦) ରବିବାର ପୂର୍ବାହ୍ନ ୧୦ଟାବେଳେ ତିନିମାସର ଚାଉଳ ଆଣିବାକୁ ୭ କିଲୋମିଟର ଦୂରରେ ଥିବା ହୃଦୁରାମପୁର ଗ୍ରାମକୁ ଯାଇଥିଲେ। ସେ ଚାଉଳ ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ହଠାତ୍‌ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବିଡିଓ ଚୁନୁ ହାଁସଦା‌, ଭଣ୍ଡା ଆର୍‌ଆଇ ପାର୍ଥସାରଥି ବାରିକ, ଏଆର୍‌ଆଇ ଇପିଲ୍‌ ହେମ୍ବ୍ରମ, ଯୋଗାଣ ନିରୀକ୍ଷକ ବିଷ୍ଣୁ ମହାରଣା, ଯୋଗାଣ ଅଧିକାରୀ ମଙ୍ଗଲ ସିଂ ଓ ପିଇଓ ପୂର୍ଣ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ପିଡିଏସ୍‌ ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ପ୍ରଥମେ ପହଞ୍ଚିଥିଲେ। ଚାଉଳ ବଣ୍ଟନ ଠିକ୍‌ ଭାବେ କରାଯାଉଛି କି ନାହିଁ ଓ କେଉଁ କାରଣରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଲା ସେ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ମୃତକଙ୍କ ଘରକୁ ଯାଇ ତଦନ୍ତ କରିଥିଲେ।