ଆନନ୍ଦପୁର ଶିଳ୍ପ କରିଡର ଏବେ ଜମି ମାଫିଆଙ୍କ କବ୍‌ଜାରେ

ସରକାରୀ ଜମିକୁ ନିଜର କହି ବିକି ଦେଉଛନ୍ତି

ଆନନ୍ଦପୁର: ଆନନ୍ଦପୁର ପୌରାଞ୍ଚଳରେ ଥିବା ଶିଳ୍ପ କରିଡର ଏବେ ଜମି ମାଫିଆଙ୍କ କବଜାରେ ରହିଛି। ବହୁ ସରକାରୀ ଜମିକୁ ନିଜର କହି ବିକି୍ର ଚାଲିଛି। ଘସିପୁରା ତହସିଲ ଅଞ୍ଚଳରେ ଏହାର ବହୁ ଉଦାହରଣ ସାମନାକୁ ଆସୁଛି। ସରକାରୀ ଜମିକୁ  ବେଆଇନ୍ ଭାବେ  ଲୋକଙ୍କୁ ବକି ମାଲାମାଲ ହେଉଥିବା ଅଭିଯୋଗ ଉଠିଛି। ରାଜସ୍ବ ବିଭାଗର କର୍ମଚାରୀଙ୍କ ଅଜାଣତରେ ଏହି କାରବାର ଅସମ୍ଭବ ହୋଇଥିବାରୁ ଏନେଇ ସନ୍ଦେହ ସୃଷ୍ଟି ହେଉଛି। ଅପରପଟେ ସରକାରୀ ଦର ଯାହା ରହିଛି ତା’ଠାରୁ ଅଧିକ ଦରରେ ଜମି ବିକ୍ରି ହେଉଥିବାରୁ ସରକାରୀ ରାଜସ୍ବ ବି ହାନୀ ହେବାରେ ଲାଗିଛି।

ଆନନ୍ଦପୁର ପୌରାଞ୍ଚଳର ବ୍ଳକ ୨, ୩, ୪ ଅଞ୍ଚଳରେ ୫୦୦ଏକକରୁ ଊର୍ଦ୍ଧ୍ବ ସରକାରୀ ଜମି ରହିଛି। ଏକଦା ଏହାକୁ ଆନନ୍ଦପୁରର ଶିଳ୍ପ କରିଡ଼ରଭାବେ ବିବେଚନା କରାଯାଇଥିଲା। ତେବେ ଏଠାକାର ଅର୍ଦ୍ଧାଧିକ ଜମି ଏବେ ଜବରଦଖଲରେ। ଏପରିକି କେତେକ ଜମିରେ ଲୋକମାନେ ବହୁତଳ ବିଶିଷ୍ଟ ଘର ମଧ୍ୟ ନିର୍ମାଣ କରିଛନ୍ତି। କେତେକ ଜାଲ ପଟ୍ଟାକୁ ଢାଲକରି ସରକାରୀ ଜମିରେ ପଥର ପୋତିଥିବାବେଳେ ତାରବାଡ଼ ଘେରାଉ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବାହାରୁ ଆସୁଥିବା ଲୋକମାନେ କିଛି ଜାଣିନଥିବାରୁ ଏହି ଜମି କିଣ ଫସି ଯାଉଛନ୍ତି। ପୂର୍ବରୁ ଦଖଲରେ ରଖିଥିବା ବ୍ୟକ୍ତିମାନେ ବେଆଇନ ଭାବେ କୋର୍ଟ ପେପରରେ ଚୁକ୍ତିନାମା କରି ସରକାରୀ ଜମିକୁ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି। ସରକାରୀ ଜମିରେ ଏହାପରେ ଗୃହନିର୍ମାଣ କରାଯାଉଛି। ଏଭଳି ଅନେକ ଗୃହ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜବରଦଖଲ ଉଚ୍ଛେଦ କରାଯାଉ ନଥିବାରୁ ସେମାନେ ପୁଣି ପ୍ରଭାବଶାଳୀ ବ୍ୟକ୍ତି ଓ ରାଜସ୍ବ ଅଧିକାରୀଙ୍କୁ ଧରି ଘର ନିର୍ମାଣ ସମ୍ପୂର୍ଣ୍ଣ କରୁଛନ୍ତି। ଶୈଲଙ୍ଗ ମୌଜା ବିଜି ‌ମୋଟର୍ସଠାରୁ ଶୈଲଙ୍ଗ ମଠ ରାସ୍ତାରେ ଇତିମଧ୍ୟରେ ଅନେକ ଜବରଦଖଲକାରୀ ଗୃହନିର୍ମାଣ କରିଛନ୍ତି। ରାଜସ୍ବ ବିଭାଗ ପକ୍ଷରୁ କେବଳ ଏନକ୍ଲୋଜମେଣ୍ଟ କେସ୍ କରି ନିଜର ଦାୟିତ୍ବ ଶେଷ କରୁଛନ୍ତି। ଏପଟେ ଘସିପୁରା ତହସିଲରେ ଅନେକ ଭୂମିହୀନଙ୍କ ଜମିକୁ ଦଲାଲମାନେ ବିକ୍ରି କରାଇବାରେ ସକ୍ଷମ ହୋଇଛନ୍ତି।

ଇନ୍ଦୁପୂରା ମୌଜାରେ ଜଣେ ବ୍ୟକ୍ତି ଭୂମିହୀନଭାବେ ସରକାରଙ୍କଠାରୁ ଚାଷ କରିବାପାଇଁ ଏକ ଏକର ୨୫ଡିସିମିଲ ଜମି ପାଇଥିଲେ। ସରକାରୀ ନିୟମ ଅନୁସାରେ ଏହି ଜମି ବିକ୍ରି ଯୋଗ୍ୟ ନୁହେଁ। ତେବେ ଚଞ୍ଚକତା କରାଯାଇ ମିଥ୍ୟା ସ୍ବାସ୍ଥ୍ୟ ରିପୋର୍ଟ ଅନୁସାରେ ଏହାର ୮ଡିସିମିଲ ଜମିକୁ ବିକ୍ରି କରାଯାଇଛି। ଭୂମିହୀନଙ୍କ ଜମିରେ ଏବେ ବହୁତଳ ଘର ନିର୍ମାଣ ଚାଲିଛି। ଏନେଇ ରାଜସ୍ବ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କାରାଯାଇଛି। ଆନନ୍ଦପୁର ପୌରାଞ୍ଚଳ ଘସିପୁରା ଅଞ୍ଚଳରେ  ଜମି ଡିସିମିଲ ପିଛା ୪୦ରୁ ୪୫ହଜାର ଟଙ୍କା ସରକାରୀ ଦର ରହିଥିବାବେଳେ  ଏହା ଏବେ ଏକଲକ୍ଷରୁ ପାଞ୍ଚଲକ୍ଷ ଟଙ୍କା ଦରରେ ବିକ୍ରୟ ହେଉଥିବା‌ବେଳେ କିଛି ଜମି ଦଲାଲ ସକ୍ରିୟ ହୋଇପଡିଛନ୍ତି। ଗ୍ରାମାଞ୍ଚଳର ଲୋକମାନଙ୍କୁ ପ୍ରଲୋଭିତ କରି ଚଢା ଦରରେ ମଧ୍ୟ ଜମିବିକ୍ରି କରାଯାଉଥିବାରୁ ଏହାକୁ ନେଇ କେତେକ ସ୍ଥାନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର