ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭେଷଜ ବିଶେଷଜ୍ଞ ନ ଥିବାରୁ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଚନ୍ତି। ପ୍ରତିଦିନ ଏଠାକୁ ଆସୁଥିବା ବହୁ ସଂଖ୍ୟାରେ ରୋଗୀ କଟକ ଓ କେନ୍ଦୁଝର ଡାକ୍ତରଖାନାକୁ ରେଫର ହେଉଛନ୍ତି। ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଉପରେ କେନ୍ଦୁଝର ଜିଲ୍ଲା ସମେତ ପଡ଼ୋଶୀ ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଜିଲ୍ଲାର ୧୫ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରୁଛନ୍ତି। ଏଠାରେ ସ୍ଥାୟୀ ଭେଷଜ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଉ ନାହିଁ।

Advertisment

ଚାରିବର୍ଷ ମଧ୍ୟରେ ତିନିଜଣ ଭେଷଜ ବିଶେଷଜ୍ଞ ନିଯୁକ୍ତି ‌ହୋଇଥିବା ବେଳେ ସେମାନେ ସ୍ବଳ୍ପ ସମୟ ରହି ଅନ୍ୟତ୍ର ଚାଲି ଯାଉଛନ୍ତି। କିଛିମାସ ତଳେ ଏଠାରେ ଯୋଗଦେଇଥିବା ଡାକ୍ତର ରାଜେଶ କୁମାର ଜେନାଙ୍କ ସପ୍ତାହେ ତଳେ କେନ୍ଦୁଝର ମେଡ଼ିକାଲ କଲେଜକୁ ବଦଳି ହୋଇଛି। ତାଙ୍କ ବଦଳି ପରେ ଏଠାରେ ରୋଗୀଙ୍କୁ ଦୁର୍ଦ୍ଦଶା ବଢ଼ିଯାଇଛି। ବର୍ଷାଋତୁ ଆସିଯାଇଥିବାରୁ ପ୍ରତିଦିନ ଡାକ୍ତରଖାନା ଆଉ୍‌ଟଡୋରକୁ ବହୁ ସଂଖ୍ୟାରେ ଥଣ୍ଡା, ଜ୍ବର, ଝାଡ଼ା, ସାପ କାମୁଡ଼ା ରୋଗୀ ଆସୁଛନ୍ତି। ସେମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନେକ ବାଧ୍ୟ ହୋଇ କଟକ ଓ କେନ୍ଦୁଝର ଯାଉଛନ୍ତି। ବିଶେଷଜ୍ଞ ନଥିବାରୁ ଏଠାରେ ଏହି ବିଭାଗର ଆଉଟ୍‌ଡୋର୍‌ ମଧ୍ୟ ବନ୍ଦ ହୋଇଯାଇଛି। ଶିଶୁ ବିଭାଗର ଡାକ୍ତର ଅମର ବେହେରାଙ୍କୁ ଭେଷଜ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଆନନ୍ଦପୁର‌ରେ ଜଣେ ହେଲେ ଭେଷଜ ବିଶେଷଜ୍ଞ ନ ଥିବା‌ବେଳେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ୧୦ରୁ ଊର୍ଦ୍ଧ୍ବ ଭେଷଜ ବିଶେଷଜ୍ଞ କାର୍ଯ୍ୟ କରୁଛନ୍ତି। ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଜଣେ ଭେଷଜ ବିଶେଷଜ୍ଞଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଦାବି ହେଉଛି।