ତାଗିଦ୍ କରି ଚୁପ୍ ରହିଗଲା ଓଡ଼ିଶା, ୪ ମାସରେ ପୋଲ ନିର୍ମାଣ ସାରିଦେଲା ଆନ୍ଧ୍ର

ରାୟଗଡ଼ା: ଫେବ୍ରୁଆରିରେ ଭୂଇଁରୁ ଉଠିନଥିଲା ପୋଲ। ତାଗିଦ୍ ପରେ ନିର୍ମାଣ କାମକୁ ବନ୍ଦ ରଖିଥିଲା ଆନ୍ଧ୍ର। ବିବାଦ ଥମିବା ପରେ ଓଡ଼ିଶା ପ୍ରଶାସନ ଚୁପ୍ ରହିବା ସହ ସୀମାନ୍ତ ଉପରୁ ନଜର ହଟାଇଥିଲା। ଯାହାର ସୁଯୋଗ ନେଇ ବିବାଦୀୟ ସ୍ଥଳରେ ଆନ୍ଧ୍ର ନିର୍ମାଣ କରିଛି ପୋଲ। ତାହା ପୁଣି ଓଡ଼ିଶା ସୀମାର ୧୦ରୁ ୧୫ ଫୁଟ ଭିତରକୁ ଆସି। ପୋଲ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆପ୍ରୋଚ୍ ରୋଡ୍ ନିର୍ମାଣ ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ଆନ୍ଧ୍ର ଅଧିକାରୀ ଆସିବା ପରେ ଘଟଣା ସଂପର୍କରେ ଜାଣିଛି ରାୟଗଡ଼ା ପ୍ରଶାସନ।

କୋଟିଆ ବିବାଦ ପରେ ଓଡ଼ିଶା ସୀମାନ୍ତରେ ଆନ୍ଧ୍ର କରୁଥିବା ସମସ୍ତ ନିର୍ମାଣଧୀନ କାମକୁ ବନ୍ଦ ରଖିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଥି ସହିତ ପ୍ରତି ସପ୍ତାହରେ ଜିଲ୍ଲାସ୍ତରୀୟ ଅଧିକାରୀ ସୀମାନ୍ତ ଗ୍ରାମକୁ ଗସ୍ତ କରି ସ୍ଥିତି ପରଖିବାକୁ ନିର୍ଦେଶ ହୋଇଛି। ହେଲେ ସରକାରଙ୍କ ନିର୍ଦେଶନାମାକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ କିଭଳି ଫୁ’ କରି ଉଡ଼ାଇ ଦେଇଛି ତାହାର ବଡ଼ ଉଦାହରଣ ରାୟଗଡ଼ା ବ୍ଲକ୍ ସାନଲୁକୁଟି ଗାଁରେ ଆନ୍ଧ୍ର ନିର୍ମାଣ କରିଥିବା ପୋଲ କାମରୁ ସ୍ପଷ୍ଟ।

ଫେବ୍ରୁଆରିରେ ପୋଲ କାମ ଆରମ୍ଭ ହେଉଥିବା ବେଳେ ଓଡ଼ିଶା ଜାଗାକୁ ଆନ୍ଧ୍ର ଅକ୍ତିଆର କରିଥିବାରୁ ନିର୍ମାଣ କାମ ବନ୍ଦ ରଖିଥିଲା ପ୍ରଶାସନ। କିଛି ଦିନ କାମ ବନ୍ଦ ପରେ ଏ ଦିଗରେ ଆଉ କୌଣସି ପଦକ୍ଷେପ ନେଇନଥିଲା ରାୟଗଡ଼ା ପ୍ରଶାସନ। ଫଳରେ ସାନଲୁକୁଟି ଗ୍ରାମବାସୀଙ୍କ ସହମତିରେ ପୁଣି ଥରେ ଆନ୍ଧ୍ର ପୋଲ ନିର୍ମାଣ କାମ ଆରମ୍ଭ କରିଥିଲା। ଇତି ମଧ୍ୟରେ ପୋଲର ୪ଟି ପିଲର ନିର୍ମାଣ ସରିବା ସହ ଆନ୍ଧ୍ର ପାର୍ଶ୍ବରେ ଥିବା ଦୁଇଟି ପିଲର ମଧ୍ୟରେ ଛାତ ନିର୍ମାଣ ଶେଷ ହୋଇଛି। ଓଡ଼ିଶା ପାର୍ଶ୍ବରେ ଥିବା ଅନ୍ୟ ଦୁଇ ପିଲର ମଧ୍ୟରେ ଛାତ ପକାଇବା ସହ ଆପ୍ରୋଚ୍ ରୋଡ୍ ନିର୍ମାଣ ଲାଗି ଅନୁମତି ନେବାକୁ ଆନ୍ଧ୍ରର ବିଜୟନଗରମ ପ୍ରଶାସନ ସୋମବାର ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ପରେ ପ୍ରଶାସନ ପୋଲ ନିର୍ମାଣ ସଂପର୍କରେ ଜାଣିଥିଲା। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଅନୁମତି ପ୍ରଦାନ ପାଇଁ ମନା କରିବା ପରେ ରାୟଗଡ଼ା ବିଡ଼ିଓ ଲକ୍ଷ୍ମୀନାରାୟଣ ସାବତ, ତହସିଲଦାର ଉମାଶଙ୍କର ବେହେରା ସାନଲୁକୁଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ଥିତି ଅନୁଧ୍ୟାନ ପରେ ଓଡ଼ିଶା ସୀମାର ୧୦ରୁ ୧୫ ଫୁଟ ଭିତରେ ଆନ୍ଧ୍ର ନିର୍ମାଣ କରୁଥିବା ପୋଲର ଦୁଇଟି ପିଲର ଏବଂ ଆପ୍ରୋଚ ରୋଡ୍ ରହିଛି।

ନିର୍ମାଣ କାମ ବନ୍ଦ ରଖିବାକୁ ପ୍ରଶାସନିକ ଅଧିକାରୀ ରୋକଠୋକ୍ ଭାବେ କହିବା ପରେ ଆନ୍ଧ୍ର ଅଧିକାରୀ ଫେରି ଯାଇଥିଲେ। ଓଡ଼ିଶା ସୀମାରେ ଅନାଧିକାର ପ୍ରବେଶ, ନିର୍ମାଣ ମନା ସଂପର୍କିତ ଫଳକ ଲାଗିବା ସହ ସେଟେଲମେଣ୍ଟ୍ ସମୟରେ ସୀମା ଚିହ୍ନଟ ହୋଇଥିବା ପଥର ମଧ୍ୟ ରହିଛି। ଏହା ସତ୍ତ୍ବେ ଆନ୍ଧ୍ର ଓଡ଼ିଶାକୁ ଚକମା ଦେଇ ୪ ମାସ ମଧ୍ୟରେ ପୋଲ ନିର୍ମାଣ ସାରିଦେଲା। ଯାହାର ସାମାନ୍ୟତମ ସୁରାକ୍ ଓଡ଼ିଶା ପ୍ରଶାସନ ପାଇନଥିବାରୁ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଓଡ଼ିଶାର ସାନଲୁକୁଟି ଗାଁ ଦେଇ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ବୀରାପାଡୁ ପଞ୍ଚାୟତର ଲାଡ୍ଡା ଗ୍ରାମ ରହିଛି। ଏହି ଗାଁକୁ ଯିବା ପାଇଁ ଓଡ଼ିଶା ଉପରେ ଲାଡ୍ଡାବାସୀ ନିର୍ଭର କରୁଥିବାରୁ ଆନ୍ଧ୍ର ସାନଲୁକୁଟି ଗାଁ ନିକଟରେ ଥିବା ନାଳ ଉପରେ ପୋଲ ନିର୍ମାଣ ଜାରି ରଖିଛି। ବହୁ ବର୍ଷ ପରେ ଗାଁ ନାଳ ଉପରେ ଆନ୍ଧ୍ର ସରକାର ପୋଲ ନିର୍ମାଣ କରୁଥିବାରୁ ଓଡ଼ିଶାର ସାନଲୁକୁଟି ଗ୍ରାମବାସୀ ମଧ୍ୟ ଯାତାୟତ ସୁବିଧା ଦୃଷ୍ଟିରୁ ଆନ୍ଧ୍ରକୁ ସମର୍ଥନ କରୁଛନ୍ତି। ଏ ସଂପର୍କରେ ରାୟଗଡ଼ା ବିଡ଼ିଓ ଲକ୍ଷ୍ମୀନାରାୟଣ ସାବତଙ୍କୁ ପଚାରିବାରୁ ଆନ୍ଧ୍ରର ନିର୍ମାଣ କାମକୁ ବନ୍ଦ ରଖାଯାଇଛି। ଆଗାମୀ ଦିଗରେ ଏ ଦିଗରେ ଦୃଢ଼ ପଦକ୍ଷେପ ନିଆଯିବା ସହିତ ବିକାଶ କାମକୁ ଓଡ଼ିଶା ନିଜ ହାତକୁ ନେବ ବୋଲି ବିଡ଼ିଓ ଶ୍ରୀ ସାବତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର