ଜଙ୍ଗଲପାଡ଼ୁରେ ପଶି ଆଡ଼ିବନ୍ଧ ନିର୍ମାଣ କଲା ଆନ୍ଧ୍ର

ତହସିଲଦାରଙ୍କ ଅନୁଧ୍ୟାନ, ପ୍ରଶାସନର ଅବହେଳାକୁ ଦୋଷ ଦେଲେ ଗ୍ରାମବାସୀ

ଗୋଷାଣୀ: ସୀମାନ୍ତ ଗ୍ରାମରେ ଓଡ଼ିଶା ସରକାରଙ୍କ ପ୍ରଶାସନିକ ଅବହେଳାର ଫାଇଦା ନେଉଛି ଆନ୍ଧ୍ର। ଯାହାର ସଦ୍ୟ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ବଡ଼ଗୋଷାଣୀ ପଞ୍ଚାୟତ ସୀମାନ୍ତ ଜଙ୍ଗଲପାଡ଼ୁ ଗ୍ରାମରେ। ଆନ୍ଧ୍ର ଜଳସମ୍ପଦ ବିଭାଗ ଅଧୀନରେ ଆନ୍ଧ୍ର ଚାଷୀ ଓ ଶ୍ରମିକ ଓଡ଼ିଶା ସୀମାରେ ପଶି ଆଡ଼ିବନ୍ଧ ନିର୍ମାଣ ଓ ମରାମତି କରିଛନ୍ତି। ୨୦ ବର୍ଷ ତଳେ ଆନ୍ଧ୍ର ସରକାର ଓଡ଼ିଶା ସୀମାରେ ଥିବା କୃଷ୍ଣସାଗର ଡାହାଣ ପାର୍ଶ୍ବର ଚେକ୍ ଡ୍ୟାମ୍‌ରେ ଆଡ଼ିବନ୍ଧ ନିର୍ମାଣ କରିଥିବା ବେଳେ ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ ନହୋଇ ଭାଙ୍ଗରୁଜି ପଡ଼ି କାମରେ ଲାଗୁନଥିବା ଆଡ଼ିବନ୍ଧକୁ ଶୁକ୍ରବାର ପୁଣି ଥରେ ଆନ୍ଧ୍ର ଚାଷୀ ମରାମତି କରିଛନ୍ତି। ଚେକ୍‌ ଡ୍ୟାମ୍‌ରେ ଆନ୍ଧ୍ର ସରକାର ଅର୍ଥ ବିନିଯୋଗ କରି ନିର୍ମାଣ କାମ ସାରି ଦେଇଛନ୍ତି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ଚେତିଥିବା ବେଳେ ଆଜି ସନ୍ଧ୍ୟାରେ ଘଟଣାସ୍ଥଳରେ ତହସିଲଦାର ଅଚ୍ୟୁତାନନ୍ଦ ଜାନି ପହଞ୍ଚି ଏହାର ଅନୁଧ୍ୟାନ କରିଛନ୍ତି। ସରପଞ୍ଚ ପି. ମୋହନ ରାଓଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ଏ ନେଇ ପଚରାଉଚରା କରିଛନ୍ତି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଲା ସବୁ ସମୟରେ ପ୍ରଶାସନର ଅବହେଳା କରୁଥିବାରୁ ଆନ୍ଧ୍ର ସରକାର ନିଜ ଫାଇଦା ପାଇଁ ଗ୍ରାମରେ ପଶି ଉନ୍ନୟନ କାମ କରୁଛନ୍ତି। ଗ୍ରାମବାସୀଙ୍କ କହିବା ପ୍ରକାରେ, ଓଡ଼ିଶା ସୀମାରେ ଆନ୍ଧ୍ର ଚାଷୀ ଚେକ୍ ଡ୍ୟାମକୁ ମରାମତି କରୁଥିବା ଦେଖି ଜଙ୍ଗଲପାଡ଼ୁ ଗ୍ରାମବାସୀ ତୁରନ୍ତ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ବୀରେନ୍ଦ୍ର ସାହୁଙ୍କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ କନିଷ୍ଠ ଯନ୍ତ୍ରୀ ପହଞ୍ଚି ଥିଲେ ବି ଆନ୍ଧ୍ର ଚାଷୀ ଓ ଶ୍ରମିକ ଏହାକୁ ଭ୍ରୁକ୍ଷେପ ନକରି ମରାମତି କାମ ଜାରି ରଖିଥିଲେ। ସୀମାନ୍ତ ଅଞ୍ଚଳରେ ପ୍ରଶାସନର ସ୍ଥାଣୁତା ଯୋଗୁଁ ଏପରି ସମସ୍ୟା ବାରମ୍ବାର ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରି ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀଙ୍କୁ ଘେରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିବା ପରେ ଘଟଣାସ୍ଥଳରେ ଏସ୍‌ଡିଓ ଆଶିଷ ମଲ୍ଲିକ ପହଞ୍ଚି କୃଷକନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ଉପସ୍ଥିତିରେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ମୁକୁଳିଥିଲେ। ତଳଦିନେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର ଗଙ୍ଗାବାଡ଼ରେ ଆନ୍ଧ୍ରର ଦାଦାଗିରିକୁ ନେଇ ସୃଷ୍ଟି ହୋଇଥିବା ବିବ‌ାଦ ଥମି ନଥିବା ବେଳେ ଏବେ ପୁଣି ପ୍ରଶାସନର ନିରବତାକୁ ଦେଖି ଓଡ଼ିଶା ମାଟିରେ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଚଳାଇଛି ଆନ୍ଧ୍ର। ଉନ୍ନୟନ କାମ କରି ସ୍ଥାନୀୟ ଲୋକଙ୍କ ମନଜିଣି ଓଡ଼ିଶା ସୀମା‌ କବ୍‌ଜା କରିବାକୁ ପଡ଼ୋଶୀ ଆନ୍ଧ୍ର ସରକାର ଏବେ ଆଉଥରେ ହୀନ ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳିଛି। ଓଡ଼ିଶା କ୍ଷୁଦ୍ର ଜଳସେଚନ ବିଭାଗର ଅବହେଳା ପାଇଁ ଆନ୍ଧ୍ର ଚାଷୀ ମାନେ ସେମାନଙ୍କ ପ୍ରୋତ୍ସାହନରେ ଓଡ଼ିଶାରେ ପଶି ଚେକ୍ ଡ୍ୟାମ୍ ଓ କେନାଲ ନିର୍ମାଣ, ମରାମତି କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ସୀମାନ୍ତ ଅଞ୍ଚଳ ମଧ୍ୟ ଆନ୍ଧ୍ରର ବୋଲି ଆନ୍ଧ୍ର ସରକାର ଦାବି କରିବ। ତେଣୁ ତୁରନ୍ତ ଏହାର ପ୍ରତିକାର କରିବା ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାର ଏହି ଚେକ୍‌ଡ୍ୟାମ୍‌ ଯୋଗେ ଆନ୍ଧ୍ରର ଶତାଧିକ ଏକର ଜମିସେଚିତ ହେଉଛି।

ସମ୍ବନ୍ଧିତ ଖବର