ପାରାଦୀପରେ ଆନ୍ଧ୍ର ଭୋଟ୍ ବ୍ୟାଙ୍କ୍: ପୌର ନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ଟିମ୍‌ର ସର୍ଭେ ଆରମ୍ଭ

ଜଗତସିଂହପୁର: ବର୍ଷ ବର୍ଷ ଧରି ପାରାଦୀପରେ ରହି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁଫଳ ପାଇଥିବା ଷଣ୍ଢକୁଦ ବସ୍ତିର ଶତାଧିକ ହିତାଧିକାରୀ ଏବେ ଆନ୍ଧ୍ରର ଭୋଟର। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ବେଶ୍ ତତ୍ପର ହୋଇ ଉଠିଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୌର ନିର୍ବାହୀ ଅଧିକାରୀ ସୌରୀନ୍ଦ୍ର କୁମାର ରାଉତରାୟଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ବସ୍ତି ଛାଡ଼ି ଯାଇଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିବ। ଏହାପରେ ହିଁ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ୁଛି। ଆନ୍ଧ୍ରର ଇଷ୍ଟ ଗୋଦାବରୀ ଜିଲ୍ଲା ଦାନେୟାପାଟ୍ଟାରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ଷଣ୍ଢକୁଦରୁ ଶତାଧିକ ଲୋକ ଯାଇଛନ୍ତି। ସେମାନେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେଏଠାକୁ ଫେରି ଆସିବେ। ଏହାପରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଆଉ ଏକ ପଂଚାୟତରେ ଭୋଟ୍ ପାଇଁ ମଧ୍ୟ ଏଠାରୁ ଲୋକ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ବର୍ତମାନ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର କଡ଼ା ନଜର ଏହି ବସ୍ତି ଉପରେ ରହିଛି।

ଆଜି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଉତରାୟ ଷଣ୍ଢକୁଦ ବସ୍ତିରେ ପହଁଚି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ୧୭,୧୮ ଓ ୧୯ ନମ୍ବର ୱାର୍ଡର ଯୋଗାଣ ଅଧିକାରୀ, ୱାର୍ଡ ଅଧିକାରୀ, ସ୍ବଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ଡିଲରମାନଙ୍କୁ ନେଇ ଏକ ବୈଠକ କରିଛନ୍ତି। ଏହା ପରେ ବେଶ୍ ସନ୍ତର୍ପଣରେ ପୌରପାଳିକା ପକ୍ଷରୁ ବସ୍ତି ଛାଡ଼ି ଯାଇଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ଫଳରେ ଏଠାରୁ ଯିବା ପାଇଁ ଯୋଜନା କରୁଥିବା ଓ ସେଠାରୁ ଆସିବା ପାଇଁ ପ୍ରସ୍ତୁତ ହେଉଥିବା ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ବସ୍ତି ଛାଡ଼ି ଯାଇଥିବା ଲୋକମାନଙ୍କର ଅଡ଼ୁଆ ବେଶି ବଢ଼ିଛି। ତାଲିକା ପ୍ରସ୍ତୁତ ହୋଇ ସାରିବା ପରେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାର ସମସ୍ତ ଯୋଜନା ଏହି ଲୋକମାନଙ୍କ ପାଇଁ ବନ୍ଦ କରିଦେବା ଆଶଙ୍କା ରହିଛି। ଗୋଟିଏ ଦେଶ ଗୋଟିଏ ପରିଚୟ ପତ୍ର। ସରକାରଙ୍କ ଏହି ନିୟମରୁ ଷଣ୍ଢକୁଦ ବାଦ୍‌ ପଡ଼ିଛି। ପ୍ରତ୍ୟେକ ପଂଚାୟତ ନିର୍ବାଚନରେ କୁଆଡ଼େ ଏହି ତେଲୁଗୁ ଭାଷାଭାଷୀ ଲୋକମାନେ ଆନ୍ଧ୍ର ଯାଆନ୍ତି ଓ ପାରାଦୀପରେ ପୌରପାଳିକା ନିର୍ବାଚନ ସମୟରେ ସେମାନେ ଏଠାକୁ ଆସନ୍ତି। ଏହି କାରବାର ପ୍ରତ୍ୟେକ ଥର ଚାଲୁଥିଲେ ମଧ୍ୟ ଏ ସଂକ୍ରାନ୍ତରେ କେହି ବି କେମିତି ଟେର୍ ପାଉନଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବସ୍ତି ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବେ ଗୋଟିଏ ଥାନା ଜଟାଧାରୀ ମୁହାଣ ରହିଛି। ଏତେ ସଂଖ୍ୟାରେ ଲୋକ ବସ୍ତି ଛାଡ଼ି ଯାଉଥିବା ବେଳେ ପୁଲିସ ବି କେମିତି ଜାଣି ପାରିଲା ନାହିଁ, ତାହା ବୁଝାପଡ଼ୁ ନାହିଁ। ପ୍ରତ୍ୟେକ ଦିନ ନୂଆ ନୂଆ ଲୋକ ଆସି ଷଣ୍ଢକୁଦରେ ରହୁଛନ୍ତି। ସେମାନଙ୍କର ଠିକଣା ପୁଲିସ ପାଖରେ ରହୁଛି କି ନାହିଁ, ତାହା ମଧ୍ୟ ଜଣାପଡ଼ୁ ନାହିଁ। ନା ସବୁ ଜାଣି ପୁଲିସ ଚୁପ୍ ରହୁଛି? ଯଦି ଏତେ ବଡ଼ ଘଟଣା ସମ୍ପର୍କରେ ପୁଲିସ ଜାଣିପାରୁ ନାହିଁ। ତେବେ ସେଠାରେ କୌଣସି ଏକ ବଡ଼ ଧରଣର ଅଘଟଣା ହେଲେ, ଏଥିପାଇଁ ଦାୟୀ କିଏ ରହିବ ବୋଲି ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର