ବାଲେଶ୍ବର: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୪ ଏବଂ ୧୫ ତାରିଖ ଦୁଇଦିନିଆ ବାଲେଶ୍ବର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବାଲେଶ୍ବର ସହରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରି ୧୩ ତାରିଖ ଅପରାହ୍ନ ୧ଟା ସମୟରେ ଶ୍ରୀ ହରିଚନ୍ଦନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଜାନୁଆରି ୧୪ ତାରିଖ ପୂର୍ବାହ୍ନ ୧୧ଟା ୪୫ ମିନିଟ୍ରେ ବାଲେଶ୍ବର ସହରର ଶାନ୍ତିକାନନରେ ହେବାକୁ ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳନ ଏବଂ ଫକୀରମୋହନ ସାହିତ୍ୟ ପରିଷଦର ରତ୍ନୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାପରେ ୧ଟା ୧୫ ମିନିଟ୍ରେ ବାଲେଶ୍ବର ଟାଉନହଲ ପରିସରରେ ସ୍ଥାପିତ ରାଜା ବୈକୁଣ୍ଠନାଥ ଦେବଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ।
ଏହାପରେ ସଂଧ୍ୟା ୫ଟାରେ ରାଜ୍ୟପାଳ ସହର ଉପକଣ୍ଠ ମଠସାହିରେ ଥିବା ସୁଲଗ୍ନା କଲେଜ ପରିସରକୁ ଯିବେ। ସୁଲଗ୍ନା ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଏବଂ ଏହାପରେ ବାଲେଶ୍ବର ପ୍ରତିଭା ବିକାଶ ଟ୍ରଷ୍ଟର ସଦସ୍ୟ, ବାଲେଶ୍ବର ସହରର ବିଶିଷ୍ଟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ମାନଙ୍କ ସହ ସର୍କିଟ୍ ହାଉସରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଜାନୁଆରି ୧୫ ତାରିଖରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ସୋର ବ୍ଲକ ଅଭଣା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପରେ ସେହିଦିନ ଭଦ୍ରକ ଜିଲ୍ଲା ଗସ୍ତ କରି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ରେ ଭଦ୍ରକ ସହରସ୍ଥିତ ଟାଉନ ହଲରେ ଭଦ୍ରକ ଜିଲ୍ଲା ନାଗରିକ ସମ୍ବର୍ଦ୍ଧନା ସମିତିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଜାନୁଆରି ୧୬ ତାରିଖରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ବିଜୟୱାଡ଼ା ପ୍ରତ୍ୟାବର୍ତ୍ତନ କରିବେ।