ଆନ୍ଧ୍ର କବଜାରେ ଓଡିଶାର ଜୁମଡାଙ୍ଗ ଗ୍ରାମ; ପଞ୍ଚାୟତ ନିର୍ବାଚନରେ ଜୁମଡାଙ୍ଗ ଗ୍ରାମବାସୀ ଭୋଟ ଦେବେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସରକାର ନିଜ କବଜାରେ ନେଇସାରିଛନ୍ତି। ଏ ନେଇ ପ୍ରଶାସନ ନିକଟରେ ଖବର ରହିଥିଲେ ମଧ୍ୟ ଏହାକୁ ପ୍ରଶାସନ ଗୁରୁତ୍ବର ସହ ନେଉନଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ସରକାର ଧିରେ ଧିରେ ମାଲକାନଗିରି ଜିଲ୍ଲାର ସୀମାନ୍ତ ଗ୍ରାମ ଗୁଡିକକୁ ନିଜ ଅକ୍ତିଆରକୁ ନେବା ପାଇଁ ସେଠାରେ ସବୁ ସେବା ଯୋଗାଇ ଦେବା ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ସେଠାରେ ପହଞ୍ଚି ନଥିବା ଯୋଗୁଁ ଲୋକେ କୌଣସି ସେବା ପାଇ ପାରୁନାହାନ୍ତି। ଏହାର ଫାଇଦା ଉଠାଇଛି ଆନ୍ଧ୍ର ସରକାର। ଜୁମଡାଙ୍ଗ ଗ୍ରାମକୁ ଆସି ଲୋକଙ୍କୁ ପାନୀୟ ଜଳ, ବିଦ୍ୟୁତ, ରାସ୍ତା, ସ୍କୁଲ, ଭୋଟର କାର୍ଡ, ରାସନ କାର୍ଡ, ଆଧାର କାର୍ଡ ଇତ୍ୟାଦି ଯୋଗାଇ ଦେଉଛି। ଲୋକେ ମଧ୍ୟ ନିଜ ପାଖରେ ଆଧାର କାର୍ଡ, ରାସନ କାର୍ଡ ସହ ଭୋଟ ପରିଚୟ ପତ୍ର ଇତ୍ୟାଦି ପାଇପାରିବା ପରେ ଆନ୍ଧ୍ର ମୁହାଁ ହେଉଛନ୍ତି। କାଁ ଭାଁ ଲୋକଙ୍କୁ ଛାଡିଦେଲେ ସମସ୍ତେ ତେଲୁଗୁ ଭାଷାରେ ହିଁ କଥାବାର୍ତ୍ତା ହେବା ସହ ଆନ୍ଧ୍ର ଲୋକଙ୍କ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଓଡିଶାରେ ରହି ଆନ୍ଧ୍ର ସରକାରଙ୍କର ଗୁଣ ଗାଇବା କେତେ ଯୁକ୍ତିଯୁକ୍ତ ତାହା ସରକାର ଏବଂ ପ୍ରଶାସନ ଅଂଗେ ନିଭାଇବା କଥା। ଏହା ନକ୍ସଲ ପ୍ରବଣ ଅଂଚଳ ହୋଇଥିବାରୁ ସରକାରୀ ବାବୁଙ୍କ ପାଦ ଏଠାରେ ପଡେ ନାହିଁ। ଯାହାର ଫଳସ୍ବରୂପ ଲୋକେ ଆନ୍ଧ୍ର ମୁହାଁ ହେଲେ। ଏଠାରେ ସ୍କୁଲ ଆନ୍ଧ୍ର ସରକାରଙ୍କର ରହିଛି।

ଏଠାରେ ପାନୀୟ ଜଳ ଏବଂ ବିଦ୍ୟୁତ ମଧ୍ୟ ଆନ୍ଧ୍ର ସରକାର ଯୋଗାଇ ଦେଇଛନ୍ତି।କେବଳ ଜୁମଡାଙ୍ଗ ନୁହେଁ ସୀମାନ୍ତର ଅନେକ ଗ୍ରାମ ଏବେ ଆନ୍ଧ୍ର କବଜାକୁ ଚାଲିଯାଇଛି। ଯାହାର ଖବର ପ୍ରଶାସନ ନିକଟରେ ନାହିଁ। ଆନ୍ଧ୍ରରେ ହେବାକୁ ଥିବା ଚଳିତ ପଞ୍ଚାୟତ ନିର୍ବାଚନରେ ମାଲକାନଗିରି ସୀମାନ୍ତ ଗ୍ରାମ ଜୁମଡାଙ୍ଗ ସମେତ ଅନେକ ଗ୍ରାମ ଏଥିରେ ଭାଗ ନେବେ ବୋଲି ଜଣାପଡିଛି। ଲୋକେ ବି ଆନ୍ଧ୍ର ମୁହାଁ ହେବାକୁ ପସନ୍ଦ କରୁଛନ୍ତି। ଓଡିଶା ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ବାଧ୍ୟ ହୋଇ ଆନ୍ଧ୍ର ମୁହାଁ ହେବେ ବୋଲି ଲୋକେ କହନ୍ତି। କୋରାପୁଟ ଜିଲ୍ଲାର କୋଟିଆ ଭଳି ପରିସ୍ଥିତି ଏବେ ମାଲକାନଗିରି ଜିଲ୍ଲାକୁ ଘାରିଛି। ବେଳ ଥାଉ ଥାଉ ତୁରନ୍ତ କୌଣସି ପଦକ୍ଷେପ ନନେଲେ ଆଗକୁ ସବୁ ସୀମାନ୍ତ ଗ୍ରାମ ହାତରୁ ଖସିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

Sambad

ଗତ ଦୁଇ ବର୍ଷ ତଳେ ସମ୍ବାଦରେ ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଦଳ ସେହି ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଗ୍ରାମବାସୀ ଏହି ଦଳକୁ ଦେଖି ସବୁ ରାଗ ସୁଝାଇଥିଲେ। ସ୍ବାଧୀନତାର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଜୁମଡାଙ୍ଗ ଗ୍ରାମ ରହିଛି କି ନାହିଁ ଜିଲ୍ଲା ପ୍ରଶାସନ କିପରି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କରା ଯାଇଥିଲା। ଗମମାଧ୍ୟମରେ ଯାହା ବାହାରିଥିଲା ସେସବୁକୁ ଏହି ତଦନ୍ତକାରୀ ଦଳ ସ୍ବୀକାର କରିଥିଲା। ଆନ୍ଧ୍ର ସରକାର ଧିରେ ଧିରେ ସୀମାନ୍ତ ଗ୍ରାମ ଗୁଡିକକୁ ନିଜ ମାନ ଚିତ୍ରରେ ସ୍ଥାନିତ କରିବାକୁ ଆରମ୍ଭ କରିଛି। ଯାହାକୁ ତୁରନ୍ତ କୌଣସି ବ୍ୟବସ୍ଥା କରା ନଗଲେ ହୁଏତ ଆଗକୁ ଆହୁରି ବିପଦ ବଢିବ ବୋଲି ମତ ପ୍ରକାଶ ପାଇଛି। ଆନ୍ଧ୍ର ସରକାର ସୀମାନ୍ତ ଗ୍ରାମରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେଉଛି।

ଗାଁରେ ଆନ୍ଧ୍ର ସରାକରଙ୍କ ଦ୍ବାରା ଦିଆଯାଉଥିବା ସମସ୍ତ ଯୋଜନା ସଂପର୍କରେ କାନ୍ଥ ବାଡରେ ଲେଖା ଯାଇଛି। ପିଲା ଓଡିଆ ପାଠ ପଢିବା ବଦଳରେ ତେଲୁଗୁ ଭାଷାରେ ପାଠ ପଢୁଛନ୍ତି। ସ୍କୁଲ ମଧ୍ୟ ଓଡିଶାର ନଥିବା ବେଳେ ଆନ୍ଧ୍ର ସରକାର ସ୍କୁଲ କରିଛନ୍ତି। ପାନୀୟ ଜଳ ମଧ୍ୟ ଆନ୍ଧ୍ର ସରକାରଙ୍କ ଦ୍ବାରା ଲୋକଙ୍କୁ ସୁବିଧାରେ ଯୋଗାଇ ଦେଇଛି। ବିଦ୍ୟୁତ ମଧ୍ୟ ଘରେ ଘରେ ପହଞ୍ଚାଇ ଦେଇଛି। କେବଳ କୋରାପୁଟ ଜିଲ୍ଲାର କୋଟିଆ ହିଁ ନୁହେଁ ମାଲକାନଗିରି ଜିଲ୍ଲାର ଆହୁରି ଅନେକ ଗ୍ରାମକୁ ଆନ୍ଧ୍ର ଓ ଛତିଶଗଡ ସରକାର ଅକ୍ତିଆର କରିବାକୁ ବସିଲେଣି। ଯାହାକୁ ନେଇ ଚିନ୍ତା କରିବା କଥା।କିନ୍ତୁ ଜିଲ୍ଲା ପ୍ରଶାସନ ନିଘୋଡ ନିଦରେ ଶୋଇଲା ଭଳି ମନେ ହେଉଛି। ତେବେ ସେତେବେଳେ ତଦନ୍ତକାରୀ ଦଳ ଯେଉଁ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦେଇଥିଲା ସବୁ ସତ୍ୟ ଥିଲା। ଜିଲ୍ଲା ପ୍ରଶାସନ ନିଜର ତତ୍ପରତା ଦେଖାଇ ସ୍ବାସ୍ଥ୍ୟ ବିଭାଗ ସେଠାକୁ ପଠାଇ ଚୁପ ରହିଯାଇଛି। ଆଜିକୁ ଦୁଇ ବର୍ଷ ହେଲା ପୁଣି ଯଥା ପୂର୍ବଂ, ତଥା ପରଂ ସଦୃଶ୍ୟ ଚାଲିଛି। ଏବେ ଯଦି ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନରେ ଏହି ସୀମାନ୍ତ ଗ୍ରାମର ଲୋକଙ୍କୁ ସାମିଲ କରୁଛି ତେବେ ଆଗକୁ ଭୟାନକ ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର