ସାନଲୁକୁଟି ପରେ ପାଲମତୁଳସୀରେ ଆନ୍ଧ୍ରର ଦାଦାଗିରି; ଓଡ଼ିଶା ଲୋକଙ୍କ ଜମି ଅକ୍ତିଆର କରି କରୁଛି ରାସ୍ତା

ରାସ୍ତା ନିର୍ମାଣକୁ ବିରୋଧ, ଚିହ୍ନଟ ସିମେଣ୍ଟ ଖୁଣ୍ଟ ଉପାଡ଼ି ଫୋପାଡ଼ିଲେ ଗ୍ରାମବାସୀ

ରାୟଗଡ଼ା: ସାନଲୁକୁଟି ପରେ ଏବେ ପାଲମତୁଳସୀରେ ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ନିଜର ୩ଟି ଗାଁକୁ ରାସ୍ତା ସଂଯୋଗୀକରଣ ପାଇଁ ଆନ୍ଧ୍ର ସରକାର ଓଡ଼ିଶା ଲୋକଙ୍କ ଚାଷ ଜମିକୁ ଅକ୍ତିଆର କରି ରାସ୍ତା ତିଆରି ପାଇଁ ଯୋଜନା କରିଛି। ପ୍ରାଥମିକ ପର୍ଯ୍ୟାୟରେ ଜମି ଚିହ୍ନଟକରଣ ପ୍ରକ୍ରିୟା ସହ ରାସ୍ତାର ଉଭୟ ପାର୍ଶ୍ବରେ ସିମେଣ୍ଟ୍ ଖୁଣ୍ଟ୍ ପୋତିଛି ଆନ୍ଧ୍ର। ଆନ୍ଧ୍ରର ଏପରି ଦାଦାଗିରିକୁ ପାଲମତୁଳସୀବାସୀ ବିରୋଧ କରିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ପୋତାଯାଇଥିବା ସିମେଣ୍ଟ୍ ଖୁଣ୍ଟକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି। ରାୟଗଡ଼ା ବ୍ଲକ୍ ଦୁର୍ଗାପାଡୁ ପଞ୍ଚାୟତର ପାଲମତୁଳସୀ ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗିଛି।

ନିଜ ସ୍ବାର୍ଥ ପୂରଣ ପାଇଁ ଆନ୍ଧ୍ର ସରକାର ଏବେ ପାଲମତୁଳସୀ  ଗାଁ ଉପରେ ନଜର ପକାଇଛନ୍ତି। ପାଲମତୁଳସୀ ଗାଁ ପରେ ଆନ୍ଧ୍ରର ଜୁଲେଙ୍କା, କିତିଲାମ୍ବା, ୱାର୍ଡଜଙ୍ଗ ଗାଁ ରହିଛି। କିନ୍ତୁ ଉକ୍ତ ୩ ଗାଁକୁ ଯାତାୟତ ପାଇଁ ଆଜି ସୁଦ୍ଧା ଆନ୍ଧ୍ର ସରକାର ରାସ୍ତା ଖଣ୍ଡିଏ ନିର୍ମାଣ କରିବାରେ ସକ୍ଷମ ହୋଇନାହାନ୍ତି। ଏହି ୩ ଗାଁକୁ ଓଡିଶାର ଭୌଗୋଳିକ ସୀମା ଚାରିପଟୁ ଆବଦ୍ଧ କରି ରହିଥିବାରୁ ଗାଁକୁ ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର ସରକାରଙ୍କ ନିକଟରେ ସରକାରୀ ଜମି ନାହିଁ। ଅନ୍ୟପକ୍ଷରେ ଆନ୍ଧ୍ରକୁ ରାସ୍ତା ନିର୍ମାଣ ପାଇଁ ଜାଗା ଛାଡ଼ିବାକୁ ଓଡ଼ିଶା ସରକାରଙ୍କ ପାଖରେ ମଧ୍ୟ ସରକାରୀ ଜମି ନାହିଁ। ଫଳରେ ଆନ୍ଧ୍ର ସରକାର ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବେସରକାରୀ ଜମି ହଡ଼ପ କରିବାକୁ ମସୁଧା କରିଛନ୍ତି।

ରାସ୍ତା ନଥିବାରୁ ଆନ୍ଧ୍ରର ୩ ଗ୍ରାମବାସୀ ସରକାରଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଥିବାରୁ ଆନ୍ଧ୍ରର ଗାଇପକା ପଞ୍ଚାୟତ ସରପଞ୍ଚ ଭୀମା ରାଓ ପାଲମତୁଳସୀବାସୀଙ୍କୁ ଜମି ପ୍ରଦାନ ଲାଗି ଅନୁରୋଧ କରିଥିଲେ। ଗ୍ରାମର ଅଧିକାଂଶ ଜମି ଜଙ୍ଗଲ ଜମି କିସମର ହୋଇଥିବା ଦର୍ଶାଇ ଗାଇପକା ସରପଞ୍ଚ ପାଲମତୁଳସୀ ବାସୀଙ୍କୁ ପ୍ରଲୋଭନ ଦେଖାଇ ମନାଇଥିଲେ। ଫଳରେ ପାଲମତୁଳସୀ ଗାଁର ମିନା ପୁଆଲା, ଜାଇତା ପୁଆଲା, ଦିଅଁ ପୁଆଲା, ନିରୁନ ପୁଆଲା, ମୋହନ ପୁଆଲା ସମସ୍ତେ ନିଜ ମାଲିକାନାରେ ଥିବା ଜାଗା ଖଣ୍ଡେ ଲେଖାଏ  ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ରକୁ ପ୍ରଦାନ କରିଥିଲେ।

Sambad

ଜମି ହାତେଇବା ପରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଆନ୍ଧ୍ରର କୃପମଠାରୁ ବିରିପାଡୁ ପର୍ଯ୍ୟନ୍ତ ନିର୍ମାଣ ହୋଉଥିବା ରାସ୍ତାକୁ ଜୁଲେଙ୍କା, କିତିଲାମ୍ବା ଓ ୱାର୍ଡଜଙ୍ଗ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲେ ଆନ୍ଧ୍ର ସରକାର। ଓଡ଼ିଶା ସରକାର ଓ ରାୟଗଡ଼ା ଜିଲ୍ଲା ପ୍ରଶାସନର ଅଜାଣତରେ ରାଚ୍ଚାପାଡୁ ଛକରୁ ଏହି ୩ ଗାଁକୁ ରାସ୍ତା ନିର୍ମାଣ କାମ ଆନ୍ଧ୍ର ଆରମ୍ଭ କରିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ସିମେଣ୍ଟ୍ ଖୁଣ୍ଟ୍ ପୋତିଥିଲା।

କୋଟିଆ ଘଟଣା ପଦାକୁ ଆସିବା ପରେ ଗ୍ରାମବାସୀ ଆନ୍ଧ୍ରର ଚକ୍ରାନ୍ତ ବୁଝିପାରି ଜମି ବାବଦକୁ କ୍ଷତିପୂରଣ ମାଗିଥିଲେ। ହେଲେ ଆନ୍ଧ୍ର କ୍ଷତିପୂରଣ ଦେବାକୁ ମନା କରିବା ପରେ ଗ୍ରାମବାସୀ ରାସ୍ତା ନିର୍ମାଣକୁ ବିରୋଧ କରିବା ସହ ସିମେଣ୍ଟ୍ ଖୁଣ୍ଟକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି। ଗ୍ରାମବାସୀ କହିଛନ୍ତି, ବାପ, ଅଜା କାଳରୁ ଆମେ ଏହି ଜମିରେ ଚାଷ କରି ବଞ୍ଚି ଆସୁଛୁ। ଆନ୍ଧ୍ର ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କରିବାକୁ ଆମ ଜମିକୁ ବିଭିନ୍ନ ପ୍ରଲୋଭନ ଦେଖାଇ ହଡ଼ପ କରି ନେଇଛି। ପୂର୍ବରୁ ଆମେ ଆନ୍ଧ୍ରର ଚକ୍ରାନ୍ତ ବୁଝିପାରିନଥିଲୁ। ଓଡ଼ିଶା ସୀମା ଭିତରକୁ ଆସି ଆନ୍ଧ୍ର ଆମ ଜମି ହଡ଼ପ କରିବାକୁ ଚକ୍ରାନ୍ତ କରିଥିବାରୁ ଆମେ ତୀବ୍ର ବିରୋଧ କରିବୁ। ଆନ୍ଧ୍ର ସରକାର ରାସ୍ତା ନିର୍ମାଣ କାମରୁ ନ ଓହରିଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

କୋଟିଆ ଘଟଣା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ସୀମାନ୍ତ ଗାଁ ପରିଭ୍ରମଣରେ ଯାଇଥିବା ସମୟରେ ଘଟଣା ସଂପର୍କରେ ଅବଗତ ହୋଇଥିଲେ। ସୀମାନ୍ତରେ ଆନ୍ଧ୍ରର କାର୍ଯ୍ୟକଳାପ ଉପରେ ସଂପୂର୍ଣ୍ଣ ନଜର ରଖାଯାଇଛି। କୌଣସି ପରିସ୍ଥିତିରେ ଓଡ଼ିଶାରେ ଆନ୍ଧ୍ରର କୌଣସି ଉନ୍ନୟନମୂଳକ କାମକୁ ପ୍ରଶୟ ଦିଆଯିବନାହିଁ ବୋଲି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର