କରୋନା ଚିକିତ୍ସା ପାଇଁ ଆନ୍ଧ୍ରର ଲୁଟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନୟାନ୍ତ ରୋଗୀ ଓ ସଂପର୍କୀୟ

ଜୟପୁର: ସଂକ୍ରମଣ ଜୋର ଧରିଛି। ଜୀବନ ମରଣ ସମସ୍ୟା। ଏଭଳି ସମୟରେ ଟଙ୍କା ନ ଦେଲେ ଚିକିତ୍ସା ନାହିଁ। ମହାମାରୀ ସମୟରେ ଚିକିତ୍ସା ନାଁରେ ଏବେ ପଡୋଶୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର କିଛି ଘରୋଇ ଡାକ୍ତରଖାନା ରୋଗୀଙ୍କ ଠାରୁ ଅର୍ଥ ଶୋଷୁଥିବା କିଛି ରୋଗୀ ଓ ତାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।

ରୋଗୀଙ୍କ ଡିସଚାର୍ଜ କରିବା ପୂର୍ବରୁ ରୋଗୀଙ୍କ ପରିବାର ଧାର କରଜ କରି ଟଙ୍କା ଜମା କରିବା ପରେ ରୋଗୀଙ୍କୁ ଡାକ୍ତରଖାନା ଗୁଡ଼ିକ ଛାଡୁଛନ୍ତି। ପ୍ରଥମ ପର୍ଯ୍ୟାୟ ସମୟରେ ଯେଉଁ ଶଯ୍ୟା ଓ ଚିକିତ୍ସାସେବା ଯେଉଁ ପରିମାଣର ରହିଥିଲା ତାହାର ଦୁଇ ଗୁଣା ଏବେ ଡାକ୍ତରଖାନା ଗୁଡିକ ଦାବି କରୁଥିବା କହିଛନ୍ତି ପି. ତିରୁପତି ରାଓ, ଶିଶିର ପାଣିଗ୍ରାହୀ। ବହୁ ଲୋକେ ଜୟପୁର କୋଭିଡ୍ ହସ୍ପିଟାଲ କିମ୍ବା କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ନେବା ବଦଳରେ ବିଶାଖାପାଟଣା ଯାଉଛନ୍ତି। କିନ୍ତୁ ସେଠାରେ ବିଭିନ୍ନ ଡାକ୍ତରଖାନାରେ ଶଯ୍ୟା , ଅକ୍ସିଜେନ୍ ରହିତ ଶଯ୍ୟା, ଭେଣ୍ଟିଲେଟର ଆଦି ନଥିବା ପ୍ରଥମରେ କୁହାଯାଉଛି।

ରୋଗୀଙ୍କ ସଂପର୍କୀୟ ମାନେ ବହୁ ଅନୁରୋଧ ପରେ ଶଯ୍ୟା ମିଳିବ କିନ୍ତୁ ପୂର୍ବରୁ ରହିଥିବା ଦର ଠାରୁ ଡ଼େର ଅଧିକା ବୋଲି ମଧ୍ୟସ୍ତ, ଏଜେଣ୍ଟ ମାନେ କହୁଛନ୍ତି। କିଛି ରୋଗୀ ଗୁରୁତର ଅବସ୍ଥାରେ ସେଠାକୁ ଯିବା ପରେ ଶଯ୍ୟା ବି ତୁରନ୍ତ ଯୋଗାଇବା ବଦଳରେ ଦୁଇରୁ ତିନୋଟି ଡାକ୍ତରଖାନାକୁ ବୁଲାଇବା ପରେ ପୂର୍ବରୁ କୁହାଯାଇଥିବା ଡାକ୍ତରଖାନା ବଦଳରେ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଏହା ପରେ ବିଭିନ୍ନ ପରୀକ୍ଷା ବାହାରେ ରହିଥିବା ବଡ ବଡ ଫ୍ୟାଥଲ୍ୟାବ ଓ ଡାଇଗ୍ନୋସିସ୍ କେନ୍ଦ୍ରକୁ ଯାଇ କରାଇବାକୁ କୁହାଯାଉଛି।

ପୂର୍ବରୁ ସିଟି ସ୍କାନ ପାଇଁ ୫ହଜାର ନିଆଯାଉଥିବା ବେଳେ ଏବେ ଏହାର ୫ଗୁଣାରୁ ଅଧିକା ନିଆଯାଉଥିବା କହିଛନ୍ତି ତିରୁପତି, ଶିଶିର ଓ ଶ୍ରୀନିବାସ ପଟ୍ଟନାୟକ। ଡାକ୍ତରଖାନାରୁ ଡାଇଗ୍ନୋସିସ୍ କେନ୍ଦ୍ରକୁ ନିଆ ଅଣା କରୁଥିବା ଆମ୍ବୁଲାନସ୍ ଭଡ଼ା ବି ୨ରୁ ୩ଗୁଣା ଅଧିକା ନିଆଯାଉଛି। ପୂର୍ବରୁ ବିଭିନ୍ନ ସ୍ବାସ୍ଥ୍ୟ ବୀମା କାର୍ଡ଼ ଜରିଆରେ ଚିକିତ୍ସାସେବା ଯୋଗାଉଥିବା ବେଳେ ଏବେ ଡାକ୍ତରଖାନା ଗୁଡ଼ିକ ମନା କରୁଥିବା କହିଛନ୍ତି ଶ୍ରୀନିବାସ।

ବହୁ ରୋଗୀ ଅମ୍ଲଜାନସ୍ତର କମିବା ପରେ ଯାଉଥିବା ବେଳେ ସେଠାରେ ଅମ୍ଲଜାନ ସିଲଣ୍ଡର ପାଇଁ ବି ଅଧିକା ଟଙ୍କା ନିଆଯାଉଛି। ପୂର୍ବରୁ ଔଷଧ ଓ ଚିକିତ୍ସା ସେବା ଆଦି ବାବଦରେ କେତେ ଟଙ୍କା ନିଆଗଲା କୁହାଯିବା ସହ ବିବରଣୀର ବିଲ୍ ଦିଆଯାଉଥିବା ବେଳେ ଏବେ ସିଧାସଳଖ ଭାବେ ଆଡମିସନ୍ ସମୟରେ ହିଁ ଏସବୁ ଦିଆଯିବନି କେବଳ ମୈଖିକ ଭାବେ କୁହାଯିବ ବୋଲି କୁହାଯିବା ସହ ଆର୍ଥିକଶୋଷଣ କରାଯାଉଛି ବୋଲି ତିରୁପତି, ଶିଶିର ଓ ଶ୍ରୀନିବାସ କହିଛନ୍ତି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ କିଭଳି ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର