ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲାର ଦଶହରି ଏବଂ ଆମ୍ରପଲ୍ଲୀ ଆମ୍ବ ସାରା ରାଜ୍ୟ ସହ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଉଥିଲା। ଚଳିତବର୍ଷ କିନ୍ତୁ ଦଶହରି ଏବଂ ଆମ୍ରପଲ୍ଲୀ ଆମ୍ବ କମ୍ ଫଳିଥିବାରୁ ଜିଲ୍ଲାରେ ହିଁ ଏହା ମିଳିବ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏହାର ଫାଇଦା ଉଠାଉଛି ଆନ୍ଧ୍ର ଆମ୍ବ। ମାଲକାନଗିରି ବଜାରରେ ଏବେ ଆନ୍ଧ୍ର ଆମ୍ବର ରାଜୁତି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁଣି ଏହି ଆନ୍ଧ୍ର ଆମ୍ବ କିଲୋ ପ୍ରତି ଏକ ଶହ ଟଙ୍କାରେ ବିକ୍ରି ହେଉଛି। ଆମ୍ବର ଚାହିଦାକୁ ଦେଖି ବେପାରୀ ମାନେ ମଧ୍ୟ ଦର କମାଉନଥିବା ଲକ୍ଷ୍ୟ କରାଯାଇଛି।
ଆଗକୁ ସାବିତ୍ରୀ ଅମାବାସ୍ୟା ରହିଥିବା ବେଳେ ବଜାରରେ ଦେଶୀ କିମ୍ବା ଦଶହରି ଓ ଆମ୍ରପଲ୍ଲୀ ଆମ୍ବର ଦେଖା ନଥିବାରୁ ଆନ୍ଧ୍ର ଆମ୍ବକୁ ଆହୁରି ଚଢା ଦରରେ ବେପାରୀ ବିକ୍ରି କରିବେ ବୋଲି ଆଲୋଚନା ହେଉଛି। ଆନ୍ଧ୍ର ଆମ୍ବ ଗୁଡିକକୁ ଜବରଦସ୍ତ ପଚାଯାଇଥିବାରୁ ଏହା ଖାଇବାକୁ ସ୍ବାଦିଷ୍ଟ ଲାଗୁ ନାହିଁ। କିନ୍ତୁ ଲୋକେ ଆମ୍ବ ଭଳି ଫଳକୁ ଛାଡିବାକୁ ନାରାଜ। ଯେତେ ଦର ଥିଲେ ମଧ୍ୟ ଏବଂ ଆମ୍ବ ଖରାପ ଥିଲେ ମଧ୍ୟ ତାକୁ କିଣି ନେଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ଵାଡି ପ୍ରକଳ୍ପ ତରଫରୁ ପ୍ରାୟ ୧୬୦୦ ଏକର ଜମିରେ ଦଶହରି ଏବଂ ଅାମ୍ରପଲ୍ଲୀ ଆମ୍ବ ଗଛ ଲଗାଯାଇଛି। ପୁଣି ଲୋକେ ନିଜ ନିଜ ବାଡି ବଗିଚାରେ ଏହି ଆମ୍ବକୁ ଲଗାଇବାକୁ ଭଲ ପାଉଛନ୍ତି। ଏହି ଦୁଇ ଆମ୍ବର ଜିଲ୍ଲାରେ ପ୍ରଚୁର ହେବା ସହ ବାହାରକୁ ରପ୍ତାନୀ ହେଉଥିଲା।
ଏହି ଦୁଇ ଆମ୍ବର ଚାହିଦା ସବୁଠାରୁ ବେଶୀ। ଦଶହରି ଏବଂ ଆମ୍ରପଲ୍ଲୀ ଆମ୍ବ ପ୍ରବଳ ମିଠା ଥିବାରୁ ଲୋକେ ଏହାକୁ ବେଶୀ ପସନ୍ଦ କରନ୍ତି। ଗତବର୍ଷ କରୋନାର ମାଡ ଆମ୍ବ ବିକ୍ରି ଉପରେ ପଡିଥିଲା। ଗତବର୍ଷ ପ୍ରଚୁର ଆମ୍ବ ଫଳିଥିବାରୁ ଅଭାବି ବିକ୍ରି ହୋଇଥିଲା। ଚଳିତବର୍ଷ ଆମ୍ବ ବଗିଚା ଗୁଡିକରେ ଆମ୍ବ ନଥିବାରୁ ଚାହିଦା ଆକାଶ ଛୁଆଁ ହୋଇଯାଇଛି। ଚଳିତବର୍ଷ ଲୋକେ ଆଉ ଦଶହରି ଏବଂ ଆମ୍ରପଲ୍ଲୀ ଆମ୍ବ ପାଇବେ ନାହିଁ ବୋଲି ବ୍ୟବସାୟୀ ମାନେ କୁହନ୍ତି। ଯଦି ବି କାଁ ଭାଁ ଆସେ ତେବେ ଦର ଆକାଶ ଛୁଆଁହେବ। ପ୍ରତିବର୍ଷ ଦଶହରି ଏବଂ ଆମ୍ରପଲ୍ଲୀ ଆମ୍ବ ଭୁବନେଶ୍ବରରେ ଅନୁଷ୍ଠିତ ଆମ୍ବ ପ୍ରଦର୍ଶନୀରେ ପ୍ରତର୍ଶିତ ହୋଇ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ। ଚଳିତବର୍ଷ ଆମ୍ବ ନଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀମାନେ ଆମ୍ବରୁ ପ୍ରସ୍ତୁତ କରୁଥିବା ଆଚାର ଏବଂ ଆମ୍ବୁଲରେ ମଧ୍ୟ ସମସ୍ୟା ଦେଖାଦେଇଛି। ଦଶହରି ଏବଂ ଆମ୍ରପଲ୍ଲୀ ଆମ୍ବ ବାହାର ରାଜ୍ୟକୁ ମଧ୍ୟ ରପ୍ତାନୀ ହେଉଥିଲା। ବାହାର ଜିଲ୍ଲାର ବେପାରୀମାନେ ଏହି ସମୟରେ ମାଲକାନଗିରିରେ ଡେରା ପକାଉଥିଲେ। ବିଭିନ୍ନ ଗ୍ରାମ ବୁଲି ଅତି କମ୍ ଦରରେ ଆମ୍ବ କିଣି ନେଉଥିଲେ। ଏବେ କିନ୍ତୁ ପରିସ୍ଥିତି ଅଲଗା ହୋଇଯାଇଛି। ଦେଶୀ ଆମ୍ବ ମଧ୍ୟ ବଜାରକୁ ଆସୁନଥିବାରୁ ଆନ୍ଧ୍ର ଆମ୍ବକୁ ଲୋକେ ନେବାକୁ ବାଧ୍ୟ ହେଉଛନ୍ତି। ତେବେ ଲୋକଙ୍କୁ ଆସନ୍ତା ବର୍ଷକୁ ପୁଣି ଅପେକ୍ଷା କରିବାକୁ ପଡିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Mkg-market-re-Andhra-mango-3.jpg)