ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ରର କବଜା ଘଟଣା: ପ୍ରଶାସନ ପହଞ୍ଚି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ନଦେବାକୁ ବୁଝାଇଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାଡ ବ୍ଲକର ସୀମାନ୍ତ ଗ୍ରାମ ଜୁମଡାଙ୍ଗକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେଇସାରିଥିବା ବେଳେ ଏନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି।

ଚିତ୍ରକୋଣ୍ଡା ସଡିପିଓ ଏବଂ ପଞ୍ଚାୟତ ଜିଆରଏସ ସମେତ ଏକ ଟିମ ଜୁମଡାଙ୍ଗ ଗ୍ରାମରେ ପହଞ୍ଚି ସ୍ଥିତି ପରୀକ୍ଷା କରିଥିଲେ। ଖବର କାଗଜରେ ଯାହା ବାହାରିଥିଲା ସେସବୁ ଗ୍ରାମରେ ପହଞ୍ଚି ଟିମ ତଦାରଖ ସମୟରେ ପାଇଥିଲା। ଲୋକେ ଓଡିଆରେ କଥାବାର୍ତ୍ତା ନ କରି ତେଲୁଗୁରେ କଥାବାର୍ତ୍ତା କରୁଥିଲେ। ଆନ୍ଧ୍ର ସରକାର ପାଣି,ରାସ୍ତା,ବିଜୁଳି,ଆଧାର କାର୍ଡ,ଜବ୍ କାର୍ଡ,ଭତ୍ତା କାର୍ଡ,ରାସନ କାର୍ଡ ଇତ୍ୟାଦି ସମସ୍ତ ସୁବିଧା କରିଥିବା ତଦନ୍ତ ବେଳେ ଏହି ଟିମ ଦେଖିବାକୁ ପାଇଥିଲା।

ଲୋକଙ୍କୁ ଆନ୍ଧ୍ର ମୁହାଁ ନହେବାକୁ ବୁଝାଯାଇଥିଲା। ପଞ୍ଚାୟତ ନିର୍ବାଚନରେ ଭାଗ ନନେବାକୁ ମଧ୍ୟ ବୁଝାଇ ଦିଆଯାଇଥିଲା। ଓଡିଶା ସରକାରଙ୍କର ସମସ୍ତ ଯୋଜନା ଜୁମଡାଙ୍ଗ ଗ୍ରାମରେ ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏହି ଟିମ୍। ଆଗାମୀ ଦିନରେ ଏଠାରେ ଅଂଗନବାଡି କେନ୍ଦ୍ର ଖୋଲିବା ନେଇ ସିଡିପିଓ ପ୍ରତିଶ୍ରୁତି ଦେଇଥିଲେ। ତେବେ ଗ୍ରାମରେ କେହି ପାଠୁଆ ଝିଅ ରହିଥିଲେ ତାଙ୍କୁ ହିଁ ଏଠାରେ ଅଂଗନବାଡି ଦାୟିତ୍ବ ପ୍ରଦାନ କରାଯିବ ବୋଲି କହିଥିଲେ।କିନ୍ତୁ ଗ୍ରାମରେ ଜଣେ ଚତୁର୍ଥ ଶ୍ରେଣୀ ତେଲୁଗୁ ଭାଷାରେ ପାଠ ପଢିଥିବା ଦେଖିବାକୁ ମିଳିଥିଲା।

ଓଡିଆ ଭାଷାରେ କେହି ପାଠ ପଢି ନଥିବା ଗ୍ରାମରେ ଦେଖିବାକୁ ମିଳିଥିଲା। ତେଣୁ ଗ୍ରାମବାସୀଙ୍କ ସହ ବସି ଏହି ଟିମ ଜଣେ ପାଠୁଆ ଝିଅଙ୍କୁ ଅଂଗନବାଡି ଏବଂ ଆଶା ଦିଦି ରୂପେ ଦାୟିଦ୍ବ ଦେବାକୁ କୁହାଯାଇଥିଲା। ଆଗାମୀ ଦିନରେ ଘାଟ କାଟି କରି ରାସ୍ତା କରାଯିବ ବୋଲି ଜିଆରଏସ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ସ୍କୁଲ ଗୃହ ନିର୍ମାଣ କରାଯାଇ ପାଠ ପଢା ଆରମ୍ଭ କରାଯିବା ନେଇ ମଧ୍ୟ କୁହାଯାଇଥିଲା। ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ଭୋଟ ନଦେବା ପାଇଁ ବୁଝାଇବାରୁ ଲୋକେ ବୁଝିଥିଲେ। କିନ୍ତୁ ଯଦି ବାରମ୍ବାର ଜିଲ୍ଲା ପ୍ରଶାସନ ଗ୍ରାମକୁ ଆସି ସମସ୍ତ ପ୍ରତିଶ୍ରୁତି ଦେଇ ଫେରିଯାଉଥିବାରୁ ଯଦି ପୁଣି ଏଭଳି ମିଥ୍ୟା ପ୍ରତିଶ୍ରୁତି ଦିଆଯାଏ ତେବେ ଆଗାମୀ ଦିନରେ ଆନ୍ଧ୍ର ମୁହାଁ ହେବେ ବୋଲି ଗ୍ରାମବାସୀ ଧମକ ଦେଇଥିଲେ।

ଜିଲ୍ଲା ପ୍ରଶାସନ ତୁରନ୍ତ ଜୁମଡାଙ୍ଗରେ ସମସ୍ତ ମୌଳିକ ସୁବିଧା ପହଞ୍ଚାଇଲେ ହୁଏତ ଲୋକେ ଆନ୍ଧ୍ର ମୁହାଁ ହେବେ ନାହିଁ ବୋଲି କୁହାଯାଇଛି। ପୁଣି ଓଡିଆ ସ୍କୁଲ ହେଲେ ଲୋକେ ପାଠ ପଢିବା ସହ ତେଲୁଗୁ ଭାଷା ଭୁଲିଯିବେ ବୋଲି କୁହାଯାଇଛି। ଗ୍ରାମବାସୀ ଆଦୌ ଓଡିଆରେ କଥା ହୋଇପାରୁ ନଥିବାରୁ ଏହା ଆମ ପାଇଁ ଲଜ୍ଜାର ବିଷୟ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ସଦୃଶ୍ୟ ନହେଉ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର