କୋରାପୁଟ କଫି ଜିଆଇ ମାନ୍ୟତାକୁ ଆନ୍ଧ୍ରର ହଡ଼ପ ମସୁଧା

କୋରାପୁଟ କଫିକୁ ଆରକୁ ଭ୍ୟାଲି କଫି ବୋର୍ଡ ଅଧୀନରେ କିଏ ଦେଲା ଜିଆଇ ମାନ୍ୟତା?

କୋରାପୁଟ: ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା କାହିଁରେ କ’ଣ । ଅନଲାଇନରେ କୋରାପୁଟ କଫି ବିକ୍ରି ଆରମ୍ଭ ହେବା ପରେ ବିଶ୍ୱ କୋରାପୁଟକୁ ଯେତିକି ଜାଣିିଥିଲା ଏବେ ତାହା କାହିଁକିରେ କେତେ ବଢି ଗଲାଣି । କଫି କହିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ରହୁଥିବା ଚାଷୀଙ୍କୁ ବୁଝାଉଛି । ମୁଖ୍ୟମନ୍ତ୍ରୀ କୋରାପୁଟ କଫି ବିକ୍ରି ପାଇଁ ଅନଲାଇନ ୱେବସାଇଟ ପ୍ରସ୍ତୁତ କରିଥିବାବେଳେ କୋରାପୁଟ, ଭୂବନେଶ୍ୱର ଓ ପୁରୀ ପରି ବଡ ସହରରେ ତିନି ତିନିିଟି ଅଫଲାଇନ ଷ୍ଟୋରରେ ବିକ୍ରି ହେଉଛି କୋରାପୁଟ କଫି ।

ତେବେ କୋରାପୁଟର ଆରବିକା କଫିକୁ କେବେ ଭୌଗଳିକ ସଂଙ୍କେତ( ଜିଆଇ) ମାନ୍ୟତା ମିଳିବ । କୋରାପୁଟ କଫିର ସମସାମୟିକ ଭାବେ କର୍ଣ୍ଣାଟକର କୁର୍ଗ ଆରବିକା କଫି, ଚିକ୍‌ମାଗଲୁର ଆରବିକା କଫି, ବାବାବୁଧଗିରିସ୍ ଆରବିକା କଫି, କେରଳର ୱାୟେଣ୍ଡା ରୋବୁଷ୍ଟା କଫି ଓ ଆନ୍ଧ୍ର ପ୍ରଦେଶର ଆରକୁ ଭାଲି ଆରବିକା କଫିକୁ ୨୦୧୯ରେ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି । ଆରକୁ ଭ୍ୟାଲିରେ ଚାଷ ହେଉଥିବା କଫିକୁ ଆଦିବାସୀମାନେ ଚାଷ କରୁଥିବାବେଳେ କଫି ବୋର୍ଡ ଏହାର ମାର୍କେଟିଂ ଦାୟିତ୍ୱ ନେଇଛି । ଏହା ଏବେ ଦେଶ ବିଦେଶରେ ନାଁ କରିଥିବାବେଳେ କୋରାପୁଟ କଫି କେବେ ଜିଆଇ ଟ୍ୟାଗ ମିଳିବ ସେନେଇ ବ୍ୟବସ୍ଥା ଆରମ୍ଭ ହୋଇପାରିନି ।

ଅନ୍ୟପକ୍ଷରେ କୋରାପୁଟ କଫି ବୋର୍ଡ ଏବେ ବି ଆରକୁ ଭ୍ୟାଲି କଫି ବୋର୍ଡ ଅଧୀନରେ ରହିଛି । ୨୦୧୯ରେ ହୋଇଥିବା ଜିଆଇ ଟ୍ୟାଗରେ ଆରକୁ ଭ୍ୟାଲି କଫି ବୋର୍ଡ ଅଧୀନରେ ପାଦେରୁ, ପେଦାବାୟୁଲୁ, ମୁଚିଂପୁଟ, ଜି.ମାଡୁଗୁଲା, ହୁକୁମପେଟା, ଆରକୁ, ଡୁମ୍ବୁରିଗୁଡା, ଅନନ୍ତଗିରି, ଜି.କେଭେଦୀ ଓ ଚିଣ୍ଟାପାଲି ପରି ଅଞ୍ଚଳ ରହିଥିବାବେଳେ କୋରାପୁଟ ଜିଲ୍ଲା ଧୀରେ ଧୀରେ କଫି ଚାଷ କରୁଥିବାରୁ ଏହାକୁ ତାହା ସହିତ ମିଶାଯାଇଛି । ଖାଲି ସେତିକି ନୁହେଁ କନ୍ଧମାଳ, ରାୟଗଡା, କେଉଁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ଯୋଡାଯାଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲାରେ ପ୍ରାୟ ୫୦୦୦ ହେକ୍ଟର ଜମିରେ କଫି ଚାଷ କରାଯାଉଥିବାବେଳେ ୨୨୫୫ରୁ ଅଧିକ ଚାଷୀ ରହିଛନ୍ତି । ଆରକୁ ଆରବିକା କଫି ଯୋଡାଯାଇଥିବାରୁ କୋରାପୁଟ କଫିର ଅସ୍ତିତ୍ୱ ହଜିଯିବା ଆଶଙ୍କା ଦେଖାଦେଇଛି ।

୧୯୩୦ ମସିହାରୁ କୋରାପୁଟ ଜିଲ୍ଲାରେ କଫି ଉତ୍ପାଦନ ହେଉଛି । ରାଜୟପୁର ରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ତାଙ୍କ ବଗିଚାରେ କଫି ଚାଷ ଆରମ୍ଭ କରିଥିଲେ ।୧୯୬୦ ମସିହା ବେଳକୁ ଏହା କୋରାପୁଟ ଜିଲ୍ଲା ସହ କନ୍ଧମାଳ, ରାୟଗଡା, କେଉଁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଥିଲା । ଏବେ ବି କୋରାପୁଟ ଜିଲ୍ଲାର ଆରବିକା କଫିରେ ସ୍ୱତନ୍ତ୍ର ଟେଷ୍ଟ ରହିଥିବାବେଳେ କାହିକି ଏହାକୁ ଜିଆଇ ମାନ୍ୟତା ବେଳେ ଆରକୁ ଭ୍ୟାଲି ଆରବିକା କଫି ଭାବେ ପରିଗଣିତ ହେଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି ।
ଏନେଇ କୋରାପୁଟ କଫିବୋର୍ଡର ଏସଏଲଓ ଉପେନ୍ଦ୍ର ସାହା କହିଛନ୍ତି ଯେ, କୋରାପୁଟ କଫିର ସ୍ୱତନ୍ତ୍ରତା ରହିଛି । ଜିଆଇ ଟ୍ୟାଗ ପାଇବାକୁ ହେଲେ ଉତ୍ପାଦନ, ବ୍ୟବସାୟ ଓ ଟେଷ୍ଟକୁ ପ୍ରାଥମିକତା ଦେବାକୁ ପଡିବ । ଏଥିପାଇଁ ଚେଷ୍ଠା ଜାରି ରଖିଚୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର