ରାୟଗଡ଼ାରେ ଆନ୍ଧ୍ର ମେଣ୍ଟାଉଛି ମାଛ ଚାହିଦା, ବାର୍ଷିକ ନିଅଣ୍ଟ ୫୦୦ ମେଟ୍ରିକ୍ ଟନ୍

୨ ବର୍ଷ ହେଲା ବନ୍ଦ ପଡିଛି ବିକ୍ରମପୁର ଯାଁଳା ଉତ୍ପାଦନ କେନ୍ଦ୍ର

ରାୟଗଡ଼ା: ଜିଲ୍ଲାର ୧୧ ଲକ୍ଷ ଲୋକଙ୍କ ମଧ୍ୟରୁ ୯.୯୦ ଲକ୍ଷ ଲୋକ ଆମିଷ ପ୍ରିୟ। ଚିକେନ୍, ମଟନ୍ ଅପେକ୍ଷା ୯୦ ପ୍ରତିଶତ ଲୋକଙ୍କ ପସନ୍ଦ ମାଛ। ତଦନୁଯାୟୀ ଜିଲ୍ଲାର ବାର୍ଷିକ ମାଛ ଚାହିଦା ରହିଛି ୯୨୮୦ ମେଟ୍ରିକ୍ ଟନ୍। ରାୟଗଡ଼ାରୁ ବାର୍ଷିକ ୮୯୨୬ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଥିବା ବେଳେ ନିଅଣ୍ଟ ପଡୁଛି ୪୭୫.୮୫ ମେଟ୍ରିକ୍ ଟନ୍। ନିଅଣ୍ଟ ପଡୁଥିବା ପାଖାପାଖି ୫୦୦ ମେଟ୍ରିକ୍ ଟନ୍ ମାଛର ଚାହିଦା ମେଣ୍ଟାଉଛି ଆନ୍ଧ୍ର। ଆନ୍ଧ୍ର ବଦଳରେ ରାୟଗଡ଼ା ଜିଲ୍ଲାର ଗୁଣପୁର, ପଦ୍ମପୁର, ଗୁଡାରି, ରାମନାଗୁଡା ଅଞ୍ଚଳରୁ ଉତ୍ପାଦନ ‌ହେଉଥିବା ମାଛର ଚାହିଦା ବଜାରରେ ବେଶ୍ ରହିଛି। କିଲୋ ପ୍ରତି ୨୨୦ ଟଙ୍କାରେ ବିକ୍ରି ହେବା ସତ୍ତ୍ବେ ବଜାରକୁ ଆସିବା ସଙ୍ଗେ ସଙ୍ଗେ ସରିଯାଉଛି।

ଦେଶୀ ମାଛର ଚାହିଦା ବଢ଼ୁଥିବାରୁ ରାୟଗଡ଼ା ଜିଲ୍ଲାବାସୀଙ୍କ ଚାହିଦା ମେଣ୍ଟାଇବାକୁ ସରକାର ମାଛ ଚାଷୀଙ୍କ ପାଇଁ ବହୁ ଯୋଜନା କରିଛନ୍ତି। ଜିଲ୍ଲାର ୨୭୦୦ ଚାଷୀ ସରକାରୀ ଯୋଜନାରେ ସାମିଲ୍ ହୋଇ ମାଛ ଚାଷ କରୁଛନ୍ତି। ଅନ୍ୟପକ୍ଷରେ ମତ୍ସ୍ୟ ପୋଖରୀ ଯୋଜନ‌ାରେ ଚାଷୀଙ୍କ ପାଇଁ ଖୋଳାଯାଇଛି ୨୦୦ରୁ ଉର୍ଦ୍ଧ୍ବ ପୋଖରୀ। ବଡନାଳ, ସିଲିଟିଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ମିଶାଇ ୫ଟି ଡ୍ୟାମ୍, ବଂଶଧାରା, ନାଗାବଳୀ, କଲ୍ୟାଣୀ, ଝଞ୍ଜାବତୀ, ସାନନଦୀ ସମେତ ଛୋଟ କେନାଲରୁ ବାର୍ଷିକ ଉତ୍ପାଦନ ହେଉଛି ୬୫୦୦ ମେଟ୍ରିକ୍ ଟନ୍ ମାଛ। ୨୪୨୬ ମେଟ୍ରିକ୍ ଟନ୍ ବେସରକାରୀ ଉତ୍ସରୁ ବଜାରକୁ ଆସୁଛି। ନିଅଣ୍ଟିଆ ସ୍ଥିତି ଦୂର ପାଇଁ ଚଳିତ ବର୍ଷ ଅଧିକ ୧୦୦ ହେକ୍ଟରରେ ମାଛ ଚାଷ କରିବାକୁ ୨୭ ସ୍ବଂୟ ସହାୟକ ଗୋଷ୍ଠୀକୁ ସାମିଲ୍ କରି ପଞ୍ଚାୟତସ୍ତରରେ ଥିବା ପୋଖରୀକୁ ଲିଜ୍ ଆକାରରେ ନିଆଯାଇଛି। ସେଥି ମଧ୍ୟରୁ ୭୨ ହେକ୍ଟର ପରିମିତ ପୋଖରୀରେ ଯାଁଳା ଛଡାଯାଇଛି।

ଏହା ବାଦ୍ ପଦ୍ମପୁର ବ୍ଲକର ମୁଚୁକିପଦ‌ରରେ ଥିବା ଯାଁଳା ଉତ୍ପାଦନ କେନ୍ଦ୍ର ଜିଲ୍ଲାର ମାଛ ଚାଷୀଙ୍କ ଯାଁଳା ଯୋଗାଇବାରେ ସହାୟକ ହେଉଛି। କିନ୍ତୁ ଗୁଣପୁର ବ୍ଲକରେ ଥିବା ସର୍ବ ପୁରାତନ ବିକ୍ରମପୁର ଯାଁଳା ଉତ୍ପାଦନ କେନ୍ଦ୍ର ରକ୍ଷଣାବେକ୍ଷଣ ଅଭାବରୁ ଗତ ୨ ବର୍ଷ ହେଲା ବନ୍ଦ ପଡିଛି। ୧୯୮୫ ମସିହାରେ ନିର୍ମିତ ୫ ଏକର ପରିମିତ ଏହି କେନ୍ଦ୍ରରୁ ବାର୍ଷିକ ୧୫ ଲକ୍ଷ ଯାଁଳା ଉତ୍ପାଦନ କ୍ଷମତା ରହିଛି। କିନ୍ତୁ ବନ୍ଦ ପଡିଥିବାରୁ ଜିଲ୍ଲାକୁ ଆବଶ୍ୟକ ଯାଁଳା ଏବେ ଭଞ୍ଜନଗର, କୌଶଲ୍ୟାଗଙ୍ଗ, ଚିପିଲିମା, ସାରମଙ୍ଗା ଯାଁଳା ଉତ୍ପାଦନ କେନ୍ଦ୍ରରୁ ଯୋଗାଣ ହେଉଛି। ଏଥି ସହିତ ବେସରକାରୀ ଭାବେ ଥିବା ୬୭ ଯାଁଳା ଉତ୍ପାଦନ କେନ୍ଦ୍ର ଚାଷୀଙ୍କୁ ଯାଁଳା ଯୋଗାଇ ଆସୁଛନ୍ତି। ମାଛ ଚାଷ ପାଇଁ ଆବଶ୍ୟକ ଯାଁଳା ଯୋଗାଇବାକୁ ସରକାର ରାୟଗଡ଼ା ଜିଲ୍ଲାକୁ ବାର୍ଷିକ ୩୨୦ ଲକ୍ଷ ଯାଁଳା ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

୨୦୨୦-୨୧ ମସିହାରେ ସରକାରୀ ଫାର୍ମରୁ ୫୩ ଲକ୍ଷ ଏବଂ ବେସରକାରୀ ଭାବେ ୨୬୩ ଲକ୍ଷ ଯାଁଳା ଉତ୍ପାଦନ ଲକ୍ଷ୍ୟ ଥିବା ବେଳେ ବିଭାଗ ମାତ୍ର ୩୫ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିଲା। ୨୦୨୧-୨୨ରେ ସରକାରୀ ଫାର୍ମରୁ ୬୨ ଲକ୍ଷ ଯାଁଳା ଉତ୍ପାଦନ ଲକ୍ଷ୍ୟ ଥିଲା। କିନ୍ତୁ ହେଲା ୨୫.୧ ଲକ୍ଷ। ସେହିପରି ୨୦୨୨-୨୩ ରେ ୬୦ ଲକ୍ଷ ବଦଳରେ ଏଯାବତ୍ ୪୮ ଲକ୍ଷ ଯାଁଳା ଉତ୍ପାଦନ ହୋଇଛି। ଯାଁଳା ଉତ୍ପାଦନରେ ସମସ୍ୟା ସହିତ ଚାଷୀଙ୍କ କ୍ଷେତ୍ରରେ ଲାଗି ରହିଥିବା ଅନେକ ସମସ୍ୟା ଦୂର କରିବାରେ ମତ୍ସ୍ୟ ବିଭାଗ ବିଫଳ ହୋଇଛି। ମତ୍ସ୍ୟ ପୋଖରୀ ଯୋଜନାରେ ଖୋଳା ଯାଇଥିବା ୨୦୦ରୁ ଉର୍ଦ୍ଧ୍ବ ପୋଖରୀ ମଧ୍ୟରୁ ଅଧିକାଂଶ ପୋଖରୀରେ ପାଣି ରହୁନଥିବାରୁ ଆବଶ୍ୟକ ଅନୁଯାୟୀ ମାଛ ଉତ୍ପାଦନ ହୋଇପାରୁନି। ଡ୍ୟାମ୍ ସହିତ ନଦୀ, ନାଳ ଓ ବେସରକାରୀ ପୋଖରୀରୁ ଯାହା ମାଛ ବଜାରକୁ ଆସୁଛି ତାହା ଲୋକଙ୍କ ଚାହିଦା ମେଣ୍ଟାଇବାରେ ସକ୍ଷମ ହୋଇପାରୁନି। ଫଳରେ ମାର୍କେଟରେ ଆନ୍ଧ୍ର ମାଛ ହିଁ ରାଜ କରୁଛି। ଦୈନିକ ଆନ୍ଧ୍ରରୁ ଟନ୍ ଟନ୍ ମାଛ ଆସୁଥିବା ବେଳେ ଉକ୍ତ ମାଛ ୩/୪ ପୂର୍ବରୁ ଧରା ହୋଇ ବରଫ ଦେଇ ରଖିବା ପରେ ମାର୍କେଟରେ ବିକ୍ରି ହେଉଛି। ଅନ୍ୟ କିଛି ବିକଳ୍ପ ନଥିବାରୁ ଲୋକେ ବାଧ୍ୟ ହୋଇ ଏହି ମାଛକୁ କିଣୁଛନ୍ତି।

ସମ୍ବନ୍ଧିତ ଖବର