ରାୟଗଡା: ଗୁଣପୁର ଉପଖଣ୍ଡ ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା। ପୂର୍ବପୁରୁଷ ଛାଡିଯାଇଥିବା ଶହ ଶହ ଏକର ଜମି ଏବେ ପଡୋଶୀ ଆନ୍ଧ୍ରପ୍ରଦେଶର ବ୍ୟବସାୟୀଙ୍କ ହାତରେ। ପାମୋଲିନ ଚାଷ ନାମରେ ୨୫ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ନିଜ କବଜାରେ ରଖିଛନ୍ତି ଆନ୍ଧ୍ର ପ୍ରଦେଶର ବ୍ୟବସାୟୀମାନେ। ପ୍ରତ୍ୟେକ ମାସରେ ଏକର ପିଛା ଏକାଧିକ ଥର ଏହି ଗଛମାନଙ୍କରୁ ପାମୋଲିନ ମଞ୍ଜି ଉତ୍ପାଦନ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ ଜମି ବାବଦକୁ ଆଦିବାସୀଙ୍କୁ ବର୍ଷ ବର୍ଷ ଧରି ୪ରୁ ୬ ହଜାର ଟଙ୍କା ବାର୍ଷିକ ଦେଇ ଠକି ଚାଲିଛନ୍ତି ଏହି ବ୍ୟବସାୟୀମାନେ। ଆଉ ଶାନ୍ତ ଓ ସରଳତାର ସୁଯୋଗ ନେଇ ବର୍ଷକରେ ଥରେ ଆସି ଆଦିବାସୀ ଲୋକଙ୍କୁ ମନ୍ଦିର ବେଢ଼ାରେ ବସାଇ କିଛି ଲେଖାଇନେଉଛନ୍ତି ବୋଲି ଆଦିବାସୀମାନେ ଅଭିଯୋଗ କରିଛନ୍ତି।

Advertisment

ରାୟଗଡା ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଆଦିବାସୀଙ୍କ ଅସରନ୍ତି କାହାଣୀ। ଏବେ ସୀମା ସେପାଖ କିଛି ବ୍ୟବସାୟୀ ଆଦିବାସୀ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ଏହି ଜିଲ୍ଲାର ମାଟି, ବଂଶଧାରା ନଦୀର ପାଣି ଆଉ ଏଠାକାର ପବନ ବିନିମୟରେ ପାମୋଲିନ ଉତ୍ପାଦନ କରୁଛନ୍ତି। ଜମି ବାବଦକୁ ଚାଷୀଙ୍କ ଜମିକୁ ୧୭ରୁ ୨୫ବର୍ଷ ଧରି ନିଜ କବଜାରେ ରଖି ଏହି ଜିଲ୍ଲାର ଆଦିବାସୀଙ୍କୁ ବର୍ଷ ବର୍ଷ ଧରି ଶୋଷଣ କରିଆସୁଛନ୍ତି। କୌଣସି ସଠିକ ନଥିପତ୍ର ନାହିଁ କି ନିବନ୍ଧକ କାର୍ଯ୍ୟାଳୟରେ ଚୁକ୍ତିନାମା ଲେଖାପଢ଼ା ବି ନାହିଁ। ଚୁକ୍ତିନାମା ନାମରେ ମନ୍ଦିର ପିଣ୍ଡାରେ ବସାଇ ନେଇଯାଉଛନ୍ତି ଲୋକଙ୍କ ଦସ୍ତଖତ। ଗୁଣପୁର ଉପଖଣ୍ଡର ଜଗନ୍ନାଥପୁର, ମାଛଖୁଣ୍ଟି, ଭାଲେରି, ସୁଭଦ୍ରାପୁର, ଆଦି ୧୦ରୁ ଅଧିକ ଗାଁର ଆଦିବାସୀଙ୍କ ଶହ ଶହ ଏକର ଜମିରେ ୧୫/୧୭ ବର୍ଷ ଧରି ଏପରିକି ଆଉ କିଛି ଚାଷୀଙ୍କ ଜମିରେ ୨୩/୨୪ ବର୍ଷ ଧରି ଏହି ଗଛ ଲଗାଇ କରିଆସୁଛନ୍ତି ଲୁଣ୍ଠନ।

ଜଗନ୍ନାଥପୁର ଗ୍ରାମର ଆଦିବାସୀ ଚାଷୀ ଅଙ୍ଗଦ ଶବରଙ୍କ ଶାଶୁଙ୍କ ଜମି ଗତ ୧୭ବର୍ଷ ଧରି ଜଣେ ଡାକ୍ତର ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡିଛି ବୋଲି ସେ ନିଜେ ଅଭିଯୋଗ କରିଛନ୍ତି। ତାଙ୍କ ୨ ଏକର ଜମିରେ ଏହି ଗଛ ଲଗାଯାଇଛି। ଗଛ ଲଗାଇବା ବେଳେ ଏକରକୁ ବାର୍ଷିକ ୩୦୦୦ଟଙ୍କା ଦେଉଥିବା ବେଳେ ୧୭ବର୍ଷ ପରେ ଜମି ବାବଦକୁ ମାତ୍ର ୬ହଜାର ଟଙ୍କା ଦେଉଥିବା ଅଙ୍ଗଦ କହିଛନ୍ତି। ବାରମ୍ବାର ଜମି ମାଗିବା ପରେ ମଧ୍ୟ ୨୫ବର୍ଷର ଚୁକ୍ତି ହୋଇଥିବା କଥା କହି ସମ୍ପୃକ୍ତ ବ୍ୟବସାୟୀ ଜଣକ ଜମି ଫେରାଉନାହାନ୍ତି। ନିଜର ଜମି ଅନ୍ୟକୁ ଦେଇ ବର୍ତ୍ତମାନ ଅନ୍ୟର ଜମି ଭାଗଚାଷକରି ସେଥିରେ ଗୁଜୁରାଣ ମେଣ୍ଟାଉଥିବା ଆଦିବାସୀ ଯୁବକ ଅଙ୍ଗଦ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ସେହିପରି ଗାଁର ଆଦିବାସୀ ଚାଷୀ ନିମାଲ ଶୁକ୍ରୁଙ୍କ ଜମିକୁ ମଧ୍ୟ ପାର୍ବତିପୁରର ଅଂଚଳର ଜଣେ ବ୍ୟବସାୟୀଙ୍କ ନିକଟରେ ଗତ ୧୭ବର୍ଷ ଧରି ନିଜ କବଜାରେ ରହିଛି। ଆଉ ୨୫ବର୍ଷକୁ କଣ୍ଟ କରି ପ୍ରତିବର୍ଷ ଆସି ମନ୍ଦିର ମଣ୍ଡପରେ ବସି ୬୦୦୦ଟଙ୍କା ହାତରେ ଧରାଇ ଆଗାମୀ ଏକବର୍ଷ ପାଇଁ ନିଜର କରିନେଇଛନ୍ତି ।
ଆଦିବାସୀ ଜମି ସମେତ ସାଧାରଣ ବର୍ଗର ଲୋକଙ୍କ ଶହ ଶହ ଏକର ଜମିକୁ ଲିଜର ଦ୍ୱାହି ଦେଇ ଗତ ୧୭ବର୍ଷ ଧରି ନିଜ ଅଧିନରେ ରଖିଛନ୍ତି ଆନ୍ଧ୍ରର ବ୍ୟବସାୟୀମାନେ। ଜଗନ୍ନାଥପୁର ଗାଁର ପ୍ରଦୀପ ଗୌଡଙ୍କ ୭ ଏକର ଜମିକୁ ଗତ ୧୭ ବର୍ଷ ଧରି କବଜାରେ ରଖିଛନ୍ତି। ନିଜ ଜମି ଉଚ୍ଚ ଦରରେ ବିକ୍ରୀ କରିବା ଉଦ୍ଦେଶ୍ୟରେ ଗୋଟିଏ ଏକର ଛାଡିବା ପାଇଁ ଅନୁରୋଧ କରିବା ପରେବି ମାନୁନାହାନ୍ତି ବ୍ୟବସାୟୀମାନେ। ଯଦି ଗୋଟିଏ ଏକର ଜମି ଦରକାର, ତେବେ ୨୦ଲକ୍ଷ ଟଙ୍କା ଦେଲେ ସେ ଜମି ଛାଡିବେ ବୋଲି ଧମକପୂର୍ଣ୍ଣ ଭାବେ କହିଥିବା ପ୍ରଦୀପ ଅଭିଯୋଗ କରିଛନ୍ତି।

publive-image

ସେହିପରି ମାଛଖୁଣ୍ଟି ଗାଁ ମୁଣ୍ଡଠାରୁ ବଂଶଧାରା ନଦୀପଠା ପର୍ଯ୍ୟନ୍ତ ୨୦୦ଏକର ଜମିରେ ମଧ୍ୟ ପାମୋଲିନ ଗଛ ଲଗାଯାଇଛି। ଗୋଟିଏ ଏକର ଜମିରେ ଲାଗିଥିବା ଗଛରୁ ବାର୍ଷିକ ପ୍ରାୟ ୪ଥର ପାମୋଲିନ ଫଳ ତୋଳାଯାଏ। ଗୋଟିଏ ଗଛରୁ ଥରଟିଏ କାଟି ବିକ୍ରୀ କରିବା ପରେ ୨୦ହଜାର ଟଙ୍କା ମିଳୁଥିବା ମାଛଖୁଣ୍ଟି ଗାଁର ମହେଶ ହୁଇକା କହିଛନ୍ତି। ବର୍ଷ ତମାମ ବିକ୍ରୀପରେ ଏକ ଏକର ଜମିରୁ ପ୍ରାୟ ୧୫ରୁ ୨୭ଲକ୍ଷ ଟଙ୍କା ମିଳୁଥିବା ସେ କହିଛନ୍ତି। ତେବେ ମାଛଖୁଣ୍ଟି ଗାଁରେ ଗତ ୨୫ବର୍ଷ ଧରି ପାମୋଲିନ ଗଛ ଲାଗିଥିବା ବେଳେ କିଛି ସରକାରୀ ଜମି ମଧ୍ୟ କବଜାକୁ ନେଇ ବର୍ଷ ବର୍ଷ ଧରି ପାମୋଲିନ ଚାଷ କରିଆସୁଥିବା ଜଣାପଡିଛି।

ଓଡିଶା ସିଡ୍ୟୁଲଡ ଏରିଆସ ଟ୍ରାନ୍ସଫର ଅଫ ଇମୁଭେବଲ ପ୍ରପର୍ଟି(ଓ ଏସ ଏ ଟି ଆଇ ପି) ନିୟମ ବଳରେ କୌଣସି ଅଣଆଦିବାସୀ ଆଦିବାସୀ ଜମି କିଣିବା କିମ୍ବା ବନ୍ଧକ ରଖିବାରେ ସରକାରୀ ପ୍ରତିବନ୍ଧକ ରହିଛି। କେବଳ ଚାଷ ରୂଣ ପାଇଁ ଜଣେ ଆଦିବାସୀ ତାର ଚାଷ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ପାରିବ।ଅନ୍ୟ କୌଣସି କାରଣ ପାଇଁ କିମ୍ବା ଜଣେ ଅଣ ଆଦିବାସୀ ଲିଜ ସୂତ୍ରରେ ଆଦିବାସୀ ଜମି ବନ୍ଧକ ରଖିବା ନିୟମ ବିରୁଦ୍ଧ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଶ୍ରୀ ଲାବଣ୍ୟ ମୋହନ ପଟ୍ଟନାୟକ। ମାତ୍ର ସବୁକିଛି ଆଇନକୁ ଫୁ କରି ବେଆଇନ ଭାବେ ଜମିକୁ ନିଜ କବଜାରେ ରଖି ପାମୋଲିନ ଚାଷ କରି ଲକ୍ଷାଧିକକ ଟଂକା ରୋଜଗାର କରୁଛନ୍ତି। ଏକ ବା ଦୁଇବର୍ଷ ନୁହେଁ ୧୭ରୁ ୨୫ବର୍ଷ ଧରି ଆଦିବାସୀଙ୍କ ଜମିକୁ ନିଜ କବଜାରେ ରଖି ପାମୋଲିନ ଚାଷକରି କୋଟି କୋଟି ଟଙ୍କା ମୁନାଫା ଉଠାଉଛନ୍ତି। ମାତ୍ର ଏ ଜିଲ୍ଲାର ଗରିବ ଯେଉଁ ତିମିରେକୁ ସେ ତିମିରେ। ଏ ଘଟଣା ମୋ ନଜରକୁ ଆସିନାହିଁ।ତେବେ ଏହାକୁ ଉପ-ଜିଲ୍ଲାପାଳଙ୍କ ନଜରକୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସମନ୍ନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ। ଏ ବିଷୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ନାରାୟଣପାଟଣା ଭଳି ଜମି ଆନ୍ଦୋଳନ ଏଠାରେ ପୁନରାବୃତ୍ତି ନହେବା ଦରକାର। ଏଭଳି ବେଆଇନ ଚୁକ୍ତିନାମା ଆଇନସଙ୍ଗତ ନୁହେଁ। ଏହା ଅତି ଚିନ୍ତାର ବିଷୟ।ଜିଲ୍ଲାପାଳଙ୍କୁ ଅବଗତ କରାଇ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେବି ଓ ଆବଶ୍ୟକ ସ୍ଥଳେ ବିଧାନସଭାରେ ପ୍ରଶ୍ନ କରି ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବି ବୋଲି କହିଛନ୍ତି ଶ୍ରୀ ମୁଦୁଲି ।