ଲମତାପୁଟ: ଜଲାପୁଟ ଜଳଭଣ୍ଡାର ନିକଟରେ ବହୁ ବର୍ଷ ହେଲା ରହିଥିବା ଓଡ଼ିଆ ଫଳକକୁ ଗତ ଗୁରୁବାର ଦିନ ଆନ୍ଧ୍ର ପ୍ରଶାସନ ଜାଣିଶୁଣି ଭାଙ୍ଗି ଦେଇଥିଲା। ପ୍ରତିକ୍ରିୟାଶୀଳ ହୋଇ ଆନ୍ଧ୍ର ଏଭଳି କାର୍ଯ୍ୟ କରିଥିଲେ ସୁଦ୍ଧା କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ଖବର ନଥିଲା। ଗଣମାଧ୍ୟମରେ ଏ ସଂପର୍କିତ ଖବର ପ୍ରକାଶ ପରେ ମଧ୍ୟ ପ୍ରଶାସନ ମୁହଁ ଖୋଲୁନି। ଅନ୍ୟପଟେ ଆନ୍ଧ୍ରର ଏଭଳି ବଳପ୍ରୟୋଗକୁ ନିନ୍ଦା କରିବା ସହ ଆଜି ବିଜେପି ପ୍ରବଳ ଉଦ୍‌ବେଗ ପ୍ରକାଶ କରିଛି। ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ବରେ ଗୋଟିଏ ଟିମ୍‌ ଆଜି ଜଲାପୁଟ ପହଞ୍ଚିଥିଲା। ଆନ୍ଧ୍ର ଓପାଡ଼ିଥିବା ଫଳକକୁ ଉଠାଇ ଆଣି ପୁଣି ସେହିଠାରେ ସ୍ଥାପନ କରିଛି।

Advertisment

ବିଜେପି କର୍ମୀ ଫଳକ ଲଗାଇଲେ, ପ୍ରଶଂସା କଲେ ଧର୍ମେନ୍ଦ୍ର
ସ୍ଥିତି ଅନୁଧ୍ୟାନ କଲେ ବିଡିଓ, ତହସିଲ୍‌ଦାର

ଆନ୍ଧ୍ରର ଅନୁପ୍ରବେଶକୁ ଆଦୌ ବରଦାସ୍ତ କରାଯିବନି ବୋଲି ବିଜେପି ନେତା ଶ୍ରୀ ସାମନ୍ତରାୟ କହିଛନ୍ତି। ଓଡ଼ିଶାର ଇଞ୍ଚେ ମାଟି ମଧ୍ୟ ଆନ୍ଧ୍ର ନେଇପାରିବ ନାହିଁ। କୋଟିଆରେ ଜଳ ଓ ଜମି ଅକ୍ତିଆର ପାଇଁ ପ୍ରୟାସ କରୁଛି। ନନ୍ଦପୁର ବ୍ଲକ୍‌ର ସୀମାନ୍ତ ଗାଁକୁ ଦଖଲ ନିମନ୍ତେ ଉଦ୍ୟମ ଚଲାଇଛି। ଏବେ ଲମତାପୁଟ ବ୍ଲକ୍‌ରେ ଦାଦାଗିରି ଆରମ୍ଭ କରିଛି। ଆନ୍ଧ୍ରର କୌଣସି ଚକ୍ରାନ୍ତଙ୍କୁ ସଫଳ ହେବାକୁ ଦିଆଯିବନି। ମାଟି ପାଇଁ ଆବଶ୍ୟକ ପଡ଼ିଲେ ସଂଘର୍ଷ ହେବ ବୋଲି କହି ଶ୍ରୀ ସାମନ୍ତରାୟଙ୍କ ସହ ଈଶ୍ବର ଚନ୍ଦ୍ର ଦର୍ଲି, ନଳିନୀ କାନ୍ତ ଦାସ, ଆଦିତ୍ୟ ଶିଶା, ଖଗେଶ୍ୱର ଭାଗ, ବାବୁଲା ଖିଲ, ବଳି ପାଙ୍ଗି, ଗଙ୍ଗାଧର ବଗଡାୟତ, ସନୁ ଅମିତ ନାୟକ, ରାହୁଲ ଚାଙ୍ଗୁଡିଆ ଓ ଅନ୍ୟାମାନେ ଆନ୍ଧ୍ର ଓପାଡ଼ିଥିବା ଫଳକକୁ ଲଗାଇଛନ୍ତି। ଏହାପରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ନାରା ଦେଇଥିଲେ। ସେହିପରି ଓଡ଼ିଶା ସରକାରଙ୍କ ଉପରେ ମଧ୍ୟରେ ବିଜେପି ନେତାମାନେ ବର୍ଷିଥିଲେ।

ଏହି ସମୟରେ ସ୍ଥିତି ଅନୁଧ୍ୟାନ ପାଇଁ ନନ୍ଦପୁର ବିଡିଓ ଏବଂ ତହସିଲଦାର ପହଞ୍ଚିଥିଲେ। ଅଧିକାରୀଙ୍କୁ ଦେଖିବା ପରେ ବିଜେପି ନେତାମାନେ ତାତି ଯାଇଥିଲେ। ଅଧିକାରୀଙ୍କୁ ଘେରାଉ କରି ୪ଦିନ ହେଲା କେଉଁଠି ଥିଲ ବୋଲି ପ୍ରଶ୍ନ ପଚାରିଥିଲେ। ପ୍ରଶାସନିକ ଅଧିକାରୀମାନେ ମଧ୍ୟ ତାଜୁବ କରିବା ଭଳି ଉତ୍ତର ଦେଇଥିଲେ। ଗଣମାଧ୍ୟମରୁ ଆନ୍ଧ୍ରର ଦାଦାଗିରି ସଂପର୍କରେ ଜାଣିଥିବା କହିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ବିଜେପି କର୍ମକର୍ତ୍ତାଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଦାୟିତ୍ବରେ ଥିବା ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଓଡ଼ିଆ ଜାତି ଅସ୍ମିତା ତଥା ଓଡ଼ିଶାର ଭୌଗୋଳିକ ସୁରକ୍ଷା ପ୍ରତି ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।