ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ନଭେମ୍ବର ୨୧ ତାରିଖ ଠାରୁ ଅଙ୍ଗନବାଡି କର୍ମୀମାନେ ବିଭିନ୍ନ ଦାବି ନେଇ ନିଜ ନିଜ ବ୍ଲକର ଆସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଲ ଓଡିଶା ଅଙ୍ଗନବାଡି ୱାକର୍ସ ସଂଘ ତରଫରୁ ଚେତାବନୀ ଦିଆଯାଇଛି। ତେବେ ଜିଲ୍ଲାରେ ରହିଥିବା ୧୩୨୪ ଅଙ୍ଗନବାଡି କେନ୍ଦ୍ରର ଅର୍ଦ୍ଧାଧିକ ଅଙ୍ଗନବାଡି କେନ୍ଦ୍ର ଖୋଲୁନଥିବା ଦେଖିବାକୁ ମିଳିଛି।୧୩୨୪ ଅଙ୍ଗନବାଡି କେନ୍ଦ୍ରରୁ ୧୭ଟି ଅଙ୍ଗନବାଡି କେନ୍ଦ୍ରରେ କେହି ଅଙ୍ଗନବାଡିକର୍ମୀ ଆଜି ପର୍ଯ୍ୟନ୍ତ ନିଯୁକ୍ତି ପାଇ ନାହାନ୍ତି। ସମସ୍ତ ବ୍ଲକର ଦୁର୍ଗମ ଅଙ୍ଗନବାଡି କେନ୍ଦ୍ର ବର୍ଷ ତମାମ ଖୋଲୁନଥିବା ବେଳେ ଏବେ ଆନ୍ଦୋଳନରେ କେତେ ଖୋଲୁଥିବା ତାହା ସହଜରେ ଅନୁମେୟ। ତେବେ ବିଭାଗ କିନ୍ତୁ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ସୁପରଭାଇଜର ମାନେ ଦେଖାଶୁଣା କରୁଥିବା ଯୁକ୍ତି ବାଢିଛନ୍ତି। ତେବେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉନଥିବା ବେଳେ ଛତୁଆ ଏବଂ ଅଣ୍ଡା ପ୍ରଦାନ କରାଯାଉଥିବା କହିଛନ୍ତି। ତେବେ ଯାହା ରିପୋର୍ଟ ମିଳିଛି ପ୍ରାୟ ଅର୍ଦ୍ଧାଧିକ ଅଙ୍ଗନବାଡି ଖୋଲୁ ନଥିବାରୁ ନା ରନ୍ଧା ଖାଦ୍ୟ, ଛତୁଆ ଓ ଅଣ୍ଡା ଶିଶୁମାନଙ୍କୁ ମିଳୁଛି। ପ୍ରତିଦିନ ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଖାଲି ହାତରେ ଫେରୁଥିବା ଅଭିଭାବକ ମାନେ କହନ୍ତି। ତେବେ ଏହି ଆନ୍ଦୋଳନ ଆହୁରି କେତେ ଦିନ ଚାଲିବ କେହି ଜାଣିନଥିବା ବେଳେ ଅକାରଣରେ କମଳମୋତି ଶିଶୁମାନେ ଏଥିପାଇଁ ବଳି ପଡୁଥିବା କୁହାଯାଇଛି। ସେମାନଙ୍କର ହକ୍ ସେମାନଙ୍କୁ ମିଳିପାରୁ ନାହିଁ। ଜିଲ୍ଲାରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଲାଣି। ଦେଢମାସ ହେଲା ଅଙ୍ଗନବାଡି କେନ୍ଦ୍ର ଖୋଲୁ ନଥିବାରୁ ସେହି ଅଞ୍ଚଳରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହେଲାଣି।

Advertisment

publive-image Sambad

ଅଙ୍ଗନବାଡିକର୍ମୀଙ୍କ ସହ ରୋଷେୟା ମାନେ ମଧ୍ୟ ଆନ୍ଦୋଳନ କରୁଥିବାରୁ ରନ୍ଧା ଖାଦ୍ୟ ସଂପୂର୍ଣ୍ଣ ବନ୍ଦ ରହିଛି। କେବଳ ଶିଶୁମାନେ ହିଁ ନୁହେଁ, ଗର୍ଭବତୀ ମହିଳା, ପ୍ରସୂତୀ ମହିଳା ଏବଂ କିଶୋରୀ ବାଳିକାମାନେ ମଧ୍ୟ ନିଜର ପ୍ରାପ୍ୟ ପାଇପାରୁ ନାହାନ୍ତି। ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ରହିଥିବା ଛତୁଆ ସେଣ୍ଟର ଗୁଡିକ ଛତୁଆ ପ୍ରଦାନ କରୁଛନ୍ତି କି ନାହିଁ ତାହା ବିଭାଗର କର୍ମଚାରୀ ମାନେ ଦେଖାଶୁଣା କରିବା କଥା କିନ୍ତୁ ଏହା ଠିକ ରୂପେ କରାଯାଉନଥିବା ଅଭିଯୋଗ ହୋଇଛି। ଛତୁଆ ନେଇଥିବା ସ୍ବିୟଂ ସହାୟକ ଗୋଷ୍ଠୀଙ୍କ ସହ ଭିତିରିଆ ସଲାସୁତରା ହୋଇ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ପ୍ରଦାନରେ ଢିଲା କରାଯାଇଥିବା କୁହାଯାଇଛି। ଏହାର ତଦନ୍ତ ହେଲେ ସବୁ ପଦାରେ ପଡିବ ବୋଲି କୁହାଯାଇଛି। ଜିଲ୍ଲା ପ୍ରଶାସନ ଏଥିପାଇଁ ଏକ ତଦନ୍ତ ଟିମ ଗଠନ କରି କିପରି ଅଙ୍ଗନବାଡି କେନ୍ଦ୍ର ଚାଲିଛି ଏବଂ ଛତୁଆ ଓ ଅଣ୍ଡା ପ୍ରଦାନ କରାଯାଉଛି କି ନାହିଁ ତାହାର ତଦନ୍ତ କରନ୍ତୁ ବୋଲି ଦାବି ହୋଇଛି। ତେବେ ଅଙ୍ଗନବାଡି କେନ୍ଦ୍ର ଏତେ ଦିନ ଧରି ବନ୍ଦ ରହିଥିବାରୁ ଅଭିଭାବକ ମାନେ ମଧ୍ୟ ଅସନ୍ତୋଷ ଜାହିର କଲେଣି। ଆଗକୁ ଅଙ୍ଗନବାଡି କେନ୍ଦ୍ର ନ ଖୋଲିଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଛି। ସରକାର ଶିଶୁ ଓ ମାଆଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର ସୁଦୁପଯୋଗ ନହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ବଢୁଛି। ଏେନେଇ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ କୌଣସି ପଦକ୍ଷେପ ନେଇ ସମାଧାନ କରିବାକୁ ଦାବି ହୋଇଛି।