ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ମୂଷାବଣି ଅଙ୍ଗନବାଡି କେନ୍ଦ୍ର ବିପଦସଂକୁଳ ଅବସ୍ଥାରେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମରେ ୨ଟି ଅଙ୍ଗନବାଡି କେନ୍ଦ୍ର ଅଛି । ସେଥିମଧ୍ୟରୁ ମୁଷାବଣୀ ଅଙ୍ଗନବାଡି କେନ୍ଦ୍ର ୧୯୯୨ ମସିହାରେ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ମୋଟ୍ ୩୦ ଜଣ କୁନି ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ନିର୍ମାଣ ହେବାର ୩୨ ବର୍ଷ ମଧ୍ୟରେ ମାତ୍ର ଥରେ ମରାମତି ହୋଇଥିଲା । ବର୍ତ୍ତମାନ ଛାତର ଅବସ୍ଥା ଏପରି ଅଛି ଯେ କେତେବେଳେ ବି ଭୁଷୁଡି ପଡିବାର ସମ୍ଭାବନା ରହିଛି । ତେବେ ଏନେଇ ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀମାନେ ପୁନଃ ନିର୍ମାଣ କିମ୍ବା ମରାମତି ପାଇଁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହା ବ୍ୟତିତ କିଛି ଅଙ୍ଗନବାଡି କେନ୍ଦ୍ରର କବାଟ ଝରକା ମଧ୍ୟ ୫୦ ପ୍ରତିଶତରୁ ଅଧିକ ନଷ୍ଟ ହୋଇଯାଇଛି । କବାଟ ନଷ୍ଟ ହୋଇଯାଇଥିବାରୁ ବିଷାକ୍ତ କୀଟପତଙ୍ଗ ଭିତରକୁ ପଶିବାର ଭୟ ରହିଛି । ତେବେ ବର୍ତ୍ତମାନ ବର୍ଷା ଦିନ ଥିବାରୁ ଛାତରୁ ଗଳୁଥିବା ବର୍ଷା ପାଣିରେ ଶିଶୁମାନେ ଓଦା ହେଉଥିବା ଅଭିଯୋଗ ହେଉଛି । କୁନି କୁନି ଶିଶୁମାନେ ବର୍ଷା ପାଣିରେ ଓଦା ହେବା ଯୋଗୁଁ କିଛି ଶିଶୁଙ୍କୁ ଜ୍ୱର ମଧ୍ୟ ହେଉଥିବାର ଅଭିଯୋଗ ହେଉଛି ।

Advertisment

ଯଦି କୋମଳମତୀ ଶିଶୁମାନେ ପାଠ ପଢୁଥିବା ସମୟରେ ତାଙ୍କ ଉପରେ ଛାତ ଭୁଷୁଡି ପଡିଲା ତାହେଲେ କିଏ ଦାୟୀ ରହିବେ ? କଣ ଅଭିଭାବକମାନେ ତାଙ୍କ ପିଲାଙ୍କୁ ଅଙ୍ଗନବାଡି ପଠାଉଛନ୍ତି ତାହା ତାଙ୍କ ଭୁଲ୍ କି? ତେବେ ଏଠାରେ ପ୍ରଶ୍ନ ଉଠୁଛି ବ୍ଲକର କିଛି ରାସ୍ତା ଓ ଗୃହଗୁଡିକ ଖରାପ ହୋଇନଥିଲେ ମଧ୍ୟ ପ୍ରତ୍ୟେକ ବର୍ଷ ମରାମତି ହେଉଥିବା ବେଳେ ଉକ୍ତ ଅଙ୍ଗନବାଡି କେନ୍ଦ୍ର ମରାମତି ନ କରି କାହିଁକି ଦୁର୍ଘଟଣା ପର୍ଯ୍ୟନ୍ତ ଅପେକ୍ଷା କରିଛି କର୍ତୁପକ୍ଷ । ଏ ସମ୍ବନ୍ଧରେ ରାଇରଙ୍ଗପୁର ସିଡିପିଓ କୁଇଲୁମଣି ଟୁଡୁଙ୍କ ସହିତ ଯୋଗାଯୋଗ କରିବାରୁ ସେ ବିପଦସଂକୁଳ ଥିବା ଅଙ୍ଗନବାଡିଗୁଡିକୁ ମରାମତି ପାଇଁ ରାଇରଙ୍ଗପୁର ବିଡିଓ ଓ ଡିଏସଡବ୍ଲୁଙ୍କୁ ଲିଖିତ ଆକାରରେ ଚିଠି କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମରାମତି ହୋଇ ପାରିନାହିଁ । ଏନେଇ ସେ ଆଉଥରେ ଚିଠି କରିବେ ଏବଂ କେମିତି ମରାମତି ହୋଇ ପାରିବ ତାହାର ସୁବିଧା କରିବେ ବୋଲି ମତ ରଖିଛନ୍ତି । ଏହା ବ୍ୟତିତ ବର୍ତ୍ତମାନ ସୁଦ୍ଧା ରାଇରଙ୍ଗପୁର ବ୍ଲକର ୫୦ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରରେ ବିଦୁ୍ୟତ୍ ସଂଯୋଗ ମଧ୍ୟ ହୋଇନଥିବା ଜଣାପଡିଛି । ଏଣୁ ଯଥାଶୀଘ୍ର ବିଦୁ୍ୟତ ସଂଯୋଗ କରିବାକୁ ଦାବି ହେଉଛି । ତେବେ ତାହା କେବେ ନିର୍ମାଣ ହେବ ତାହା ଦେଖିବାକୁ ବାକି ରହିଲା ।