ବଣାଇଗଡ଼: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ ଯୋଜନାର ଲକ୍ଷ୍ୟ ତ ସାଧିତ ହେଉନାହିଁ, ପରିସ୍ଥିତି ବି ବଦଳୁନାହିଁ। ଅନ୍ୟପକ୍ଷରେ କୋଟି କୋଟି ଟଙ୍କା ହରିଲୁଟ୍‌ ହେଉଛି। ସେହିପରି ବାରମ୍ବାର ଦାବି ସତ୍ତ୍ବେ କେଉଁଠି ମୌଳିକ ସୁବିଧା ବି ପହଞ୍ଚି ପାରୁନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ୍‌ ଭାଲୁଡୁଙ୍ଗୁରି ପଞ୍ଚାୟତ ଅଧୀନସ୍ଥ ସାନଭାଲୁଡୁଙ୍ଗୁରି ଗଣ୍ଡସାହିରେ। ଏହି ସାହିର ମିନି ଅଙ୍ଗନବାଡ଼ି କେନ୍ଦ୍ରଟି ଆଜକୁ ୧୨ ବର୍ଷରୁ ଅଧିକ ହେବ ସ୍କୁଲ ପଛପଟ ମହୁଲଗଛ ମୂଳରେ ଚାଲିଛି।

Advertisment

ସୂଚନା ଅନୁସାରେ, ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ୧୩ ଜଣ କୁନିକୁନି ପିଲା ପାଠ ପଢ଼ୁଛନ୍ତି। ୨୦୧୨-୧୨ ଆର୍ଥିକବର୍ଷରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରି ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଏଥିପାଇଁ ସ୍କୁଲ ପଛପଟରେ ଫାଉଣ୍ଡେସନ ତିଆରିହେଲା। ମାତ୍ର କୌଣସି କାରଣ ଯୋଗୁ ତାହା ଆଉ ଆଗକୁ ନ ବଢ଼ି ସେମିତି ଅଧପନ୍ତରିଆ ଭାବେ ପଡ଼ିରହିଛି। ଯାହାଫଳରେ ପିଲାମାନେ ଗଛମୂଳରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଖରାଦିନେ ଯେମିତି ହେଲେ ଚଳିଯାଏ। ମାତ୍ର ବର୍ଷାଦିନେ ଅବସ୍ଥା କହିଲେ ନ ସରେ। ବର୍ଷାହେଲେ ସ୍କୁଲବାରଣ୍ଡାରେ ବସି ପିଲାଏ ପାଠ ପଢ଼ିଥାନ୍ତି। ଗ୍ରାମବାସୀ ବାରମ୍ବାର ଏ ନେଇ ଦାବି କରୁଥିଲେ ବି ପ୍ରଶାସନର ନିଦ ଭାଙ୍ଗୁନାହିଁ। ଅଙ୍ଗନବାଡ଼ି କର୍ମୀ କଲ୍ୟାଣୀ ମୁଣ୍ଡାଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଯେ, ଏ ବାବଦରେ ବିଡିଓ ଓ ସିଡିପିଓଙ୍କୁ ଅବଗତ କରାଯାଇଛି। ସେମାନେ ହୋଇଯିବ ବୋଲି କହୁଛନ୍ତି; କିନ୍ତୁ ଏ ଯାଏଁ ଫାଉଣ୍ଡେସନ ପକାଇ ରଖାଯାଇଛି। ତେବେ ଗୁରୁଣ୍ଡିଆ ସିଡିପିଓ ଫୁଲଜେନସିଆ ଏକ୍କାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ‘ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ଏବେ ନୂଆ ଅଙ୍ଗନବାଡ଼ି ଗୃହ ମଞ୍ଜୁର ହୋଇଯାଇଛି। ଟଙ୍କା ଆସିଲେ ଗୃହନିର୍ମାଣ ହେବ।’