ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମର ନୂତନ ଅଙ୍ଗନବାଡ଼ି ଗୃହଟି ତିନିବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି। ନୂତନ ଗୃହର ଚଟାଣ ଓ ରଙ୍ଗକାମ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଅଙ୍ଗନବାଡ଼ି ଗୃହଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଥିବାରୁ କେନ୍ଦ୍ରର ୪୦ଜଣ ଛାତ୍ରଛାତ୍ରୀ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପାଇଁ ହଇରାଣ ହେଉଛନ୍ତି। ୩୦ ବର୍ଷ ପୂର୍ବରୁ ମାତ୍ର ୩୦ ହଜାର ଟଙ୍କାରେ ନିର୍ମିତ ହୋଇଥିବା ମାଟିଘରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ଏହି ଟାଇଲ ଛପର ଗୃହଟି ବିପଦସଙ୍କୁଳ ଅବସ୍ଥାରେ ପଡିଛି।

Advertisment

ବର୍ଷା ହେଲେ ଘରେ ପାଣି ଗଳିବା ସହ କାନ୍ଥ ଫାଟିଯାଇଛି। ମାଟି ଚଟାଣକୁ ମୂଷା ଖୋଳି ଗାତ କରିଦେଉଛି। ବିକଳ୍ପ ବ୍ୟବସ୍ଥା ନଥିବାରୁ ଅଙ୍ଗନବାଡ଼ି କର୍ମୀ ବାଧ୍ୟ ହୋଇ ସେହି ବିପଦସଙ୍କୁଳ ଗୃହରେ କେନ୍ଦ୍ର ଚଳାଇଛନ୍ତି। ତୁରନ୍ତ ନୂତନ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରି ତାହାକୁ ହସ୍ତାନ୍ତର କରିବାପାଇଁ ଗ୍ରାମବାସୀ ବହୁବାର ବ୍ଲକ୍‌ ଓ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ହେଲେ ଘର କାମ ସମ୍ପୂର୍ଣ୍ଣ ହେଉନଥିବା କହିଛନ୍ତି। ବିପଦସଙ୍କୁଳ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଅଙ୍ଗନବାଡ଼ି ଗୃହ ନିର୍ମାଣ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଗ୍ରାମର ମାର୍କଣ୍ଡ ଜୁଆଙ୍ଗ, ହଳଧର ଜୁଆଙ୍ଗ, ମୁରଲୀ ଜୁଆଙ୍ଗ, ବିଜୁ ମହାକୁଡ଼, ମାନସ ଅରୁକ, ଦୁଃଶାସନ ଜୁଆଙ୍ଗ ପ୍ରମୁଖ ଦାବି କରିଛନ୍ତି।