୫ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ପୁଖ୍ୟ

ବାରିପଦା: ବିଜୁ ଶ୍ରମିକ ସାମ୍ପୁଖ୍ୟ ସହ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ପକ୍ଷରୁ ୫ ଦଫା ଦାବୀ ନେଇ ଆଜି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବୀ ପତ୍ରରେ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଗରମରନ୍ଧା ଖାଦ୍ୟ ବାବଦକୁ ମିଳୁଥିବା ଟ ୬.୪୭ ପାଇସାରେ ମେନ୍ୟୁ ମୁତାବକ ସାମଗ୍ରୀ ଯୋଗାଇବା ଅସମ୍ଭବ ହୋଇପଡ଼ିଛି। ବଜାରରେ ଗୋଟିଏ ଅଣ୍ଡା ଟ ୫.୫୦ ପଇସାରୁ ଅଧିକ ମୂଲ୍ୟ କିଣିବାକୁ ପଡ଼ୁଛି। ଏହି ସମୟରେ ଅବଶିଷ୍ଟ ୦.୯୭ ପଇସାରେ ହରଡ଼ ଡାଲି, ସୋରିଷ ତେଲ, ପରିବା, ଆଳୁ, ମସଲା, ହଳଦୀଗୁଣ୍ଡ ଓ ଲେମ୍ବୁ ଆଦି କିଣି ଯୋଗାଇ ଦେବା ସମ୍ଭବ ହୋଇ ପାରୁ ନାହିଁ। ଏଣୁ ଏହି ଶୁଖିଲା ଟିଏଚଆର ବଣ୍ଟନରେ ଅଣ୍ଡା ସହ ଚାଉଳ, ପରିବା କିମ୍ବା ଡାଲି ଦେବା ନିମନ୍ତେ ଦାବୀ କରାଯାଇଛି।

ସେହିପରି ଓଡ଼ିଶାର ୯ଟି ପଛୁଆ ଜିଲ୍ଲାରେ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଗରମ ରନ୍ଧା ଖାଦ୍ୟରେ ସପ୍ତାହରେ ଗୋଟାଏ ଲେଖାଏଁ ଅଣ୍ଡା ଯୋଗାଇ ଦେବା ନିମନ୍ତେ ନିର୍ଦ୍ଦେଶ ରହିଥିବା ବେଳେ ପ୍ରତି ଅଣ୍ଡା ବାବଦକୁ ୫ ଟଙ୍କା ଲେଖାଏଁ ଦିଆଯାଉଛି। ବର୍ତ୍ତମାନ ବଜାରରେ ଅଣ୍ଡାର ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବାରୁ ଚଳିତ ମେ’ ପହିଲାରୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏଣୁ ପୂର୍ବରୁ ଧାର୍ଯ୍ୟ କରାଇଥିବା ମୂଲ୍ୟରେ ପରିବର୍ତ୍ତନ କରାଯିବା ପରେ କାର୍ଯ୍ୟକ୍ରମକୁ ପୁନଃ ଆରମ୍ଭ କରାଯିବ। ମୋବାଇଲରେ ଆପ୍ ମାଧ୍ୟମରେ ପୋଷଣ ଟ୍ରାକର କାର୍ଯ୍ୟକ୍ରମକୁ ପରିଚାଳନା କରାଯିବା ନିମନ୍ତେ ବାଧ୍ୟ କରାଯାଉଛି।

ଉକ୍ତ କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ ସ୍ୱାଗତ ଜଣାଇଛନ୍ତି। ମାତ୍ର ସମସ୍ତ କର୍ମୀ ଓ ସହାୟିକା ମାନେ ଏଥି ନିମନ୍ତେ ଯୋଗ୍ୟତା ଅର୍ଜନ କରିପାରି ନାହାଁନ୍ତି। ପୁଣି ସମସ୍ତଙ୍କ ନିକଟରେ ସ୍ମାର୍ଟଫୋନ ନାହିଁ। ଏଣୁ ସରକାରଙ୍କ ଘୋଷଣା ଅନୁସାରେ ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ସ୍ମାର୍ଟଫୋନ, ସିମ୍ ଯୋଗାଇ ଦେବା ସାଙ୍ଗକୁ ଉପଯୁକ୍ତ ତାଲିମ ପ୍ରଦାନ କରାନଯିବା ପର୍ଯ୍ୟନ୍ତ ଏହି ମୋବାଇଲରେ ଆପ୍ ମାଧ୍ୟମରେ ପୋଷଣ ଟ୍ରାକର କାର୍ଯ୍ୟକ୍ରମ ପରିଚାଳନାକୁ ସ୍ଥଗିତ ରଖାଯାଉ। ପୁଣି ଏଥି ନିମନ୍ତେ ଅଧିକ ପରିଶ୍ରମ ନେଟୱାର୍କ (ଡାଟା) ଦେୟ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଶେଷରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ କୋଭିଡ୍‌ ପରିଚାଳନା କ୍ଷେତ୍ରରେ ଆଗଧାଡ଼ିରେ ଥାଇ ଯୁଦ୍ଧା ଭାବେ ଫିଲ୍ଡ଼‌ରେ ଘରେଘରେ ବୁଲି କାର୍ଯ୍ୟ କରୁଛନ୍ତି। ଏଣୁ ଏମାନଙ୍କର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇ ପ୍ରତ୍ୟେକଙ୍କୁ ପିପି କିଟ୍‌, ଗ୍ଲୋବ୍ସ, ମାସ୍କ, ସାନିଟାଇଜର ଆଦି ଯୋଗାଇ ଦେବା ସାଙ୍ଗକୁ ଯୁଦ୍ଧରେ ଜୀବନ ହରାଇଲେ ମୃତ୍ୟୁ ଜନିତ ବୀମାରାଶି ସଠିକ ଭାବେ ସେମାନଙ୍କ ପରିବାର କିପରି ପାଇ ପାରିବେ ସେଥି ନିମନ୍ତେ ସଂଘ ପକ୍ଷରୁ ଦାବୀ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କୁ ଏହି ଦାବୀପତ୍ର ପ୍ରଦାନ ସମୟରେ ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା, ଜିଲ୍ଲା ସଭାପତି ସୌଭାଗ୍ୟ ମଞ୍ଜରୀ କରଣ, ଜିଲ୍ଲା ସମ୍ପାଦିକା ନନ୍ଦିତା ଦତ୍ତ, ସହସମ୍ପାଦିକା କଳ୍ପନା ସେନାପତି, ଜିଲ୍ଲା ଉପସଭାପତି ହୀରାମଣି ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ ଦାବୀପତ୍ରର ଏକ ନକଲ ମଧ୍ୟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅନୁସୂୟା ପାତ୍ର ଓ ଯୋଜନା ଅଧିକାରିଣୀ ମିନତୀ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର