ଶିମିଳିପାଳରେ ଅସୁରିକ୍ଷିତ ବାଘ-ହାତୀ; ଚାଲିଛି ବେଧଡ଼କ ଶିକାର, କେବଳ କଥାରେ କାମ ସାରୁଛନ୍ତି କର୍ତ୍ତୃପକ୍ଷ

ଭଞ୍ଜସେନା ପକ୍ଷରୁ ଆରସିସିଏଫ କାର୍ୟ୍ୟାଳୟ ଘେରାଉ ସବୁ ମୃତ୍ୟୁ ପ୍ରାକୃତିକ; ଶିକାରୀଙ୍କ ଉପସ୍ଥିତିକୁ ମଧ୍ୟ ଏଡ଼ାଇଗଲେ ଉପନିର୍ଦ୍ଦେଶକ

ବାରିପଦା: ବନ୍ୟପ୍ରାଣୀଙ୍କ ପାଇଁ ଅଭୟାରଣ୍ୟର ମାନ୍ୟତା ପାଇଥିବା ଶିମିଳିପାଳରେ ସୁରକ୍ଷିତ ନୁହନ୍ତି ସବୁଠୁ ଶକ୍ତିଶାଳୀ ବାଘ ଏବଂ ହାତୀ। ଲଗାତର ଭାବେ ଏଠାରେ ବିରଳ ଦୁଇ ପ୍ରାଣୀ ମୃତ୍ୟୁବରଣ କରୁଥିଲେ ମଧ୍ୟ କେବଳ ଓଜନିଆ ଇଂରାଜୀ ଶବ୍ଦରେ କାମ ସାରି ଦେଉଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ। ସମସ୍ତଙ୍କ ଜ୍ଞାତସାରରେ ପ୍ରତିଦିନ ହାତୀ, ବାଘ, ହରିଣ, ସମ୍ବର, ଗୁରାଣ୍ଡି, ବାର୍‌ହା ଆଦି ଜୀବଜନ୍ତୁଙ୍କ ଶିକାର ହେଉଛି। ଅଥଚ ବିଭାଗ ପକ୍ଷରୁ କିନ୍ତୁ କିଛି ହେଉନଥିବା ଭଳି ଆଚରଣ କରାଯାଉଛି। ଏପରିକି ହାତୀ, ବାଘ ମୃତ୍ୟୁର ଶବ ବ୍ୟବଚ୍ଛେଦ ନାମରେ ପ୍ରହସନ ଜାରି ରହିଛି। ନିକଟରେ ଏକ କଲରା ପତରିଆ ବାଘୁଣୀର ମୃତ୍ୟୁ ଘଟିଛି। ଏହାକୁ ସମସ୍ତେ ଶିକାରୀଙ୍କ କାର୍ଯ୍ୟକଳାପ କହୁଥିବାବେଳେ କିନ୍ତୁ ଏସ୍‌ଟିଆର ଉପନିର୍ଦ୍ଦେଶକ (ଡିଡି) ଯଜ୍ଞଦତ୍ତ ପତି କିନ୍ତୁ ଏହା ପ୍ରାକୃତିକ ମୃତ୍ୟୁ କହି ଏଡ଼ାଇଯାଇଛନ୍ତି। ସେହିପରି ମାତ୍ର କିଛି ଦିନ ପୂର୍ବରୁ ଦୁଇ ଦୁଇଟି ହାତୀର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ପୁରା ଜିଲ୍ଲାରେ ଅସନ୍ତୋଷ ତେଜୁଥିବାବେଳେ ଆଜି ରାସ୍ତାକୁ ଓହ୍ଲାଇଛି ଅଗ୍ରଣୀ ସାମାଜିକ ସଂଗଠନ ଭଞ୍ଜସେନା।

Sambad

ଆଜି ସ୍ଥାନୀୟ ଭଞ୍ଜପୁରସ୍ଥିତ ଏସ୍‌ଟିଆର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଭଞ୍ଜସେନା। କାର୍ଯ୍ୟାଳୟ ବାହାରକୁ ଆସି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିବାକୁ ସଂଗଠନ ପକ୍ଷରୁ ଉପନିର୍ଦ୍ଦେଶକଙ୍କୁ ଆହ୍ବାନ ଦିଆଯାଇଥିଲା। ଏହାପରେ ବାହାରକୁ ଆସି ସଂଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ଡିଡି ଶ୍ରୀ ପତି। ଶିମିଳିପାଳ ଅଭୟାରଣ୍ୟରେ ଅବାଧରେ ଜୀବଜନ୍ତୁ ଶିକାର, ହାତୀ ଓ ବାଘ ମୃତ୍ୟୁ ଘଟଣା ସହିତ ଜଙ୍ଗଲ ନଷ୍ଟକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଏବଂ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲା ସଂଗଠନ। ସେହିପରି ଶିମିଳିପାଳକୁ ସୁରକ୍ଷା ଦେଉଥିବା କୁମ୍‌କି ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ତୁରନ୍ତ ଫେରାଇ ଅଣାଯିବା ଉପରେ କାର୍ଯ୍ୟ କରିବାକୁ ଦାବି ହୋଇଥିଲା। ବାଘୁଣୀ ମୃତ୍ୟୁ ଘଟଣାରେ ଗଞ୍ଜାମ ବେଳକୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମୟୂରଭଞ୍ଜକୁ ବେଳକୁ କାହିଁକି ଦିଆଯାଇନାହିଁ ବୋଲି ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ହୋଇଥିବା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଯୁବ-ଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ଯୁବ ସଭାପତି ମାନସ ବେହେରା, ଛାତ୍ର ସଭାପତି ସୌମ୍ୟରଞ୍ଜନ ମିଶ୍ର, ଏସକେ ରାଜା ଖାନ, ରବୀନ୍ଦ୍ର ସାହୁ, ପ୍ରିତମ ପଣ୍ଡା, ମନୋଜ ସାହୁ, ଜିତୁ ଶିବାନନ୍ଦ, ସଞ୍ଜୟ ମହାନ୍ତ ପ୍ରମୁଖଙ୍କ ସମେତ ଶତାଧିକ ଯୁବ ଛାତ୍ର ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର