ବିଧାୟକଙ୍କ ପ୍ୟାଡ୍‌ରେ ପ୍ରାର୍ଥୀ ତାଲିକା ଘୋଷଣା

ଜଗତସିଂହପୁର : ବିଧାୟକମାନେ ଦଳୀୟ ଚିହ୍ନ ଓ ନିଜ ଦସ୍ତଖତ ଥିବା ପ୍ୟାଡରେ ପଞ୍ଚାୟତର ପ୍ରାର୍ଥୀ ତାଲିକା ପ୍ରକାଶ କରିବା ଘଟଣାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏହା ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଏଭଳି ପ୍ରାର୍ଥୀ ତାଲିକା ଘୋଷଣା କରି ବିବାଦରେ ଫସିଛନ୍ତି। ସରପଞ୍ଚ ଓ ସମିତି ସଭ୍ୟଙ୍କ ନିର୍ବାଚନ ଦଳ ଭିତ୍ତିରେ ଅଥବା ଦଳୀୟ ଚିହ୍ନରେ ହୁଏ ନାହିଁ। ଏଭଳି ସ୍ଥିତିରେ ବିଜେଡିର ବିଧାୟକମାନେ ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ ଆଜି ପାରାଦୀପଗଡ଼ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲ ପାଇଁ ଆସିଥିବା ଶୋଭାଯାତ୍ରା କୌଣସି ବିଧାୟକ ପ୍ରାର୍ଥୀଙ୍କ ଶୋଭଯାତ୍ରା ଠାରୁ କିଛି କମ୍‌ ନଥିଲା। ସରପଞ୍ଚଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ସର୍ବାଧିକ ୫ ଜଣ ସମର୍ଥକ ଯାଇ ପାରିବେ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ହେଁ ଆଜି ପାରାଦୀପଗଡ଼ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ବିରାଟ ଶୋଭାଯାତ୍ରାରେ ୫ଶହରୁ ଊର୍ଦ୍ଧ୍ବ ସମର୍ଥକ ଯୋଗ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ସହିତ କୋଭିଡ୍‌ ନିୟମକୁ ମଧ୍ୟ ନେତାମାନେ ମାଡ଼ିମକଚି ଦେଇଥିବା ବେଳେ ପ୍ରାଶାସନିକ ଅଧିକାରୀମାନେ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍‌ ରହିଛନ୍ତି।

ଅନ୍ୟପଟେ ପାରାଦୀପ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି, ସେ ଦଳୀୟ କିମ୍ବା ତାଙ୍କ ପ୍ୟାଡ୍‌ରେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହାନ୍ତି। ଦଳୀୟ ଚିହ୍ନ ଥିବା ଗୋଟିଏ କାଗଜ‌ରେ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରାଯାଇଛି। ପାରାଦୀପଗଡ଼ରେ ଏତେ ସଂଖ୍ୟାରେ ଲୋକଙ୍କୁ ନେଇ ଶୋଭାଯାତ୍ରା ବାହାରିବା ଆଦୌ ଗ୍ରହଣୀୟ ନୁହେଁ। ଏ ନେଇ ସେମାନଙ୍କୁ ତାଗିଦ୍‌ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର