ଖୋର୍ଦ୍ଧା: ଖୋର୍ଦ୍ଧା ସାହିତ୍ୟ ସଂସଦର ୩୮ତମ ବାର୍ଷିକୋତ୍ସବ ଓ ବିଷୁବ ସାହିତ୍ୟ ମିଳନ ଆଜି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ସଂସଦର ସଭାପତି ଗୋପାଳକୃଷ୍ଣ ଦାସ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଣାଶୁଣା କଥାକାର ପଦ୍ମଜ ପାଳ, ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଓଡିଆ ଯୁବ ଲେଖକ ସମ୍ମିଳନୀର ସଭାପତି କବି ଶଙ୍କର୍ଷଣ ପରିଡ଼ା, ଫଣିଭୂଷଣ ନନ୍ଦ, ମଧୁସୂଦନ ଦାସ ମଞ୍ଚାସୀନ ଥିଲେ। ସଂସଦର ସମ୍ପାଦକ ବିଭୂପ୍ରସାଦ ହରିଚନ୍ଦନ ସଂସଦର ବାର୍ଷିକ ବିବରଣୀ ଉପସ୍ଥାବିତ କରିଥିଲେ। ଏହି ଅବସରରେ ୩୧ଗୋଟି ଗଳ୍ପ କବିତା, ପ୍ରବନ୍ଧ ଗ୍ରନ୍ଥ ରଚନା କରିଥିବା ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦେଶକ ରଞ୍ଜନ କୁମାର ଦାସଙ୍କୁ ଖୋର୍ଦ୍ଧା ବିଷୁବ ସମ୍ମାନ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଅରୁଣ କୁମାର ସାହୁଙ୍କୁ ଖୋର୍ଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଲୋଚନା ଓ କବିତା ପାଠ ଆଦି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଓଡ଼ିଆ ଗଳ୍ପର ଅତୀତ, ବର୍ତମାନ ସ୍ଥିତି ଓ ଭବିଷ୍ୟତ ରୂପରେଖ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ଡଃ. ନିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ‘ସମକାଳୀନ କଥା ସାହିତ୍ୟର ଦିଗ ଓ ଦିଗନ୍ତ’ ଶୀର୍ଷକ ଆଲୋଚନାଚକ୍ରରେ ଡଃ. ଅଜୟ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ଗାଳ୍ପିକ ପରେଶ ପଟ୍ଟନାୟକ, ସହଦେବ ସାହୁ, ଅଜୟ ମହାପାତ୍ର, ଲଲାଟେନ୍ଦୁ ସାହୁ, ତପନ ମହାପାତ୍ର, ଡଃ. କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ସମକାଳର ଗଳ୍ପ ଜୀବନଧର୍ମୀ ଓ ସାଂପ୍ରତିକ ସମୟର ନିଛକ ସମସ୍ୟା ପ୍ରତି ଅଭିପ୍ରେତ। ସମକାଳର ଗାଳ୍ପିକ ନିଜ ନିଜର ଗଳ୍ପ ନୀୟତାକୁ ନେଇ ପାଠକ ନିକଟରେ ପହଁଚିପାରନ୍ତି। କବି ସୂର୍ଯ୍ୟ ମିଶ୍ରଙ୍କ ସଭାପତିତ୍ୱରେ ‘ସମକାଳୀନ କବିତାର ଧର୍ମ’ ଶୀର୍ଷକ ଅନୁଷ୍ଠିତ ଆଲୋଚନାଚକ୍ରରେ କବି ରକ୍ଷକ ନାୟକ, କ୍ଷୀରୋଦ ପରିଡ଼ା, ଅକ୍ଷୟ ବେହେରା, ଅରୁଣ ବେହେରା, କେଦାର ମିଶ୍ର, ଭାରତ ମାଝୀ, ବୈକୁଣ୍ଠ ନାଥ ରାଜଗୁରୁ, ଡଃ. ଯୋଗେଶ ରଥ, ନଟବର ସାହୁ, ସନ୍ୟାସୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସମକାଳର କବିତା ଦୁର୍ବୋଧ୍ୟତାରୁ ମୁକ୍ତ ହୋଇ ଅନ୍ତର୍ଚେତନାକୁ ସ୍ପର୍ଶ କରିବା ସହ ସୂକ୍ଷ୍ମ ଚେତନାକୁ ଜାଗ୍ରତ କରିଥିବାରୁ ଅଧିକ ହୃଦୟଗ୍ରାହୀ। ଓଡ଼ିଆ ଯୁବଲେଖକ ସମ୍ମିଳନୀର ସମ୍ପାଦକ ପକ୍ଷୀଘର ପତ୍ରିକାର ପ୍ରତିଷ୍ଠାତା ବନୋଜ ତ୍ରିପାଠୀଙ୍କ ସମ୍ପାଦନାରେ ସଂସଦର ମୁଖପତ୍ର କସ୍ତୁରୀ ଉନ୍ମୋଚିତ ହୋଇଥିଲା। ଶିକ୍ଷାବିତ୍ ଭୀମସେନ ପ୍ରଧାନଙ୍କ ସଭାପତିତ୍ୱରେ ଡଃ. ସସ୍ମିତା ପଟ୍ଟନାୟକ ଓ ଅଖିଳେଶ ମହାପାତ୍ରଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା। ଏଥିରେ ଅତିଥି ଭାବେ ନାରାୟଣ ରାଓ ଓ ସତ୍ୟବାଦୀ ବଳିୟାରସିଂହ ବିଷୁବ ମିଳନ ଓ ନବବର୍ଷର ତାପ୍ତର୍ଯ୍ୟ ଉପସ୍ଥାପନ କରିଥିଲେ। କବି ଆରତୀ ମଞ୍ଜରୀ ଦାସ, ଡଃ. ରଜନୀ ରଣସିଂହ, ପ୍ରିୟଦର୍ଶିନୀ ମହାରଣା, କୃଷ୍ଣଚନ୍ଦ୍ର ହରିଚନ୍ଦନ, ବିକ୍ରମ ଚମ୍ପତି, ଜ୍ୟୋତିପ୍ରଭା ପଟ୍ଟନାୟକ, ଇତିଶ୍ରୀ ସାହୁ, ବିଭୂସୁନ୍ଦର ସାହୁ, ଲକ୍ଷ୍ମୀଧର ବଡ଼ଜେନା, ବଘେଇ ଚରଣ ସମାନ୍ତରାୟ, ରାହୁଳ ପ୍ରଧାନ, ବିଦ୍ୟାଧର ବେହେରା, ଚିତ୍ତରଞ୍ଜନ ସାହୁ ପ୍ରମୁଖ କବିତା ପାଠ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Khordha-Sahitya-sansad-ra-Rajyastriya-Bishuba-Milan.jpeg)