ସମସ୍ୟା ଘେରରେ ଅଂଶୁପା ଡିଗ୍ରି ମହାବିଦ୍ୟାଳୟ: ପାଚେରି, ଶୌଚାଳୟ କି’ ପକ୍କା ରାସ୍ତା ବି ନାହିଁ

ଡମପଡ଼ା: ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ସରଣ୍ଡା ଅଞ୍ଚଳରେ ପ୍ରମୁଖ ଶିକ୍ଷାନୁଷ୍ଠାନ ଅଂଶୁପା ଡିଗ୍ରି ମହାବିଦ୍ୟାଳୟ ସମ୍ପ୍ରତି ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଦେଖିବାକୁ ମିଳିଛି। ମହାବିଦ୍ୟାଳୟ ପ୍ରତିଷ୍ଠାର ୨୮ ବର୍ଷ ପରେ ବି ପାଚେରି ନିର୍ମାଣ କରାଯାଇ ନାହିଁ। ସେହିପରି ସ୍ଥାୟୀ ରାସ୍ତା ଓ ଶୌଚାଳୟ ନ ଥିବାରୁ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି।

୧୯୯୩ ମସିହାରେ ଅଂଶୁପା +୩ ଡ୍ରିଗି ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ସରକାରୀ ସ୍ୱୀକୃତି ମିଳିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମହାବିଦ୍ୟାଳୟର ବିଶେଷ ଉନ୍ନତି ହୋଇ ନ ଥିବା ଦେଖିବାକୁ ମିଳିଛି। ୨୮ବର୍ଷ ପରେ ବି’ ମହାବିଦ୍ୟାଳୟର ସୁରକ୍ଷା ପାଇଁ ଚତୁଃପାର୍ଶ୍ବରେ ପାଚେରି ନିର୍ମାଣ କରାଯାଇ ନାହିଁ। ପାଚେରି ନ ଥିବାରୁ କଲେଜ ଛୁଟି ପରେ ପରିସରରେ ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଛି। ମହାବିଦ୍ୟାଳୟ ପଛପଟେ ସରଣ୍ଡା ସଂରକ୍ଷିତ ପାହାଡ଼ ରହିଛି।

ସେଠାରୁ ବନ୍ୟଜନ୍ତୁ ଅବାଧରେ ଚଳପ୍ରଚଳ କରୁଥିବାରୁ ଛାତ୍ରଛ୍ରାତ୍ରୀ ଓ କର୍ମଚାରୀ ନିଜକୁ ସୁରକ୍ଷିତ ମଣୁ ନଥିବା ଜଣାପଡ଼ିଛି। ସେହିପରି ମହାବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଇ ନାହିଁ। ଚଳିତବର୍ଷ ସେଠାରେ ମନରେଗା ଯୋଜନାରେ କିଛି ମାଟି ପକା ଯାଇଥିଲା। ଲଗାଣ ବର୍ଷା ପରେ ମାଟି ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହୁଛି।

ଛାତ୍ରଛାତ୍ରୀ ଖାଲରେ ପଡ଼ି ଖଣ୍ଡିଆଖାବରା ହେଉଥିବା ଅଭିଯୋଗ କରିଛନ୍ତି। କଲେଜ ପରିସରରେ ଥିବା ଏକମାତ୍ର ନଳକୂପର ପାଣି ପାନୀୟ ଉପଯୋଗୀ ନୁହେଁ। କଲେଜ ପରିସରରେ ସାଇକେଲ ଷ୍ଟାଣ୍ଡ ନାହିଁ। ଛାତ୍ରଛାତ୍ରୀ ଖରାବର୍ଷାରେ ସାଇକେଲ ରଖୁଛନ୍ତି। ମହାବିଦ୍ୟାଳୟ ପରିସରରେ ଶୌଚାଳୟଟିଏ ନ ଥିବାରୁ ଛାତ୍ରଛାତ୍ରୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଅନେକ ସମୟରେ ପିଲାମାନେ ଏଥିପାଇଁ ଖୋଲା ପଡ଼ିଆକୁ ଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷା ସୁରାଜିତା ସ୍ୱାଇଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କଲେଜର ସମସ୍ୟା ସମ୍ପର୍କରେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ସୁଫଳ ମିଳି ନ ଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର