ବ୍ୟାଙ୍କ ଡକାୟତି ଘଟଣା:ଗୟାରେ ଅନୁଗୁଳ ପୁଲିସର ଡେରା

ଅନୁଗୁଳ:‌ ସିରିଜ୍ ବ୍ୟାଙ୍କ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅମରେନ୍ଦ୍ର ଓରଫ ମାଧବ ରବି ଦାସ(୪୫)କୁ ରିମାଣ୍ଡରେ ଆଣିବା ପାଇଁ ଅନୁଗୁଳ ପୁଲିସର ଏକ ଟିମ୍ ବିହାରର ଗୟାରେ ଡେରା ପକାଇଛି। ଏସ୍‌ଡିପିଓ ହରିହର ପାଣିଙ୍କ ନେତୃତ୍ବରେ ଯାଇଥିବା ପୁଲିସ ଟିମ୍ ମାଧବ ରବି ଦାସକୁ ରିମାଣ୍ଡରେ ଆଣିବା ପାଇଁ ସ୍ଥାନୀୟ କୋର୍ଟରେ ଆବେଦନ କରାଯାଇଛି। ମାତ୍ର ମାଧବ ରବି ଦାସ ପୁଣି ଏକ ପୁରୁଣା ମାମଲାରେ ସଂପୃକ୍ତ ଥିବା ଜାଣିବା ପରେ ଗୟା ପୁଲିସ ତା’ ନାମରେ ଯୋଡ଼ିଛି। ‌ଗୟା ଜିଲ୍ଲାର ମୂଳବାସିନ୍ଦା ମାଧବ ରବି ଦାସକୁ ରିମାଣ୍ଡରେ ନେବା ପାଇଁ ଗତ ଅକ୍ଟୋବର ମାସରେ ଆବେଦନ କରାଯାଇଥିଲା। ମାତ୍ର ଜାମତରା ପୁଲିସ ତାଙ୍କ ମାମଲାରେ ରିମାଣ୍ଡରେ ନେବା ପାଇଁ ଆଗୁଆ ଆବେଦନ କରିଥିବାରୁ ମାଧବକୁ ଅନୁଗୁଳ ଆଣିବା ସମ୍ଭବ ହୋଇନଥିଲା। ଜାମତରା ପୁଲିସର ‌ରିମାଣ୍ଡରୁ ଫେରିବା ପରେ ସେ ଜେଲ୍‌ରେ ରହିଛି। ମାଓବାଦୀରୁ ପେସାଦାର ବ୍ୟାଙ୍କ୍‌ ଡକାୟତ ଗ୍ୟାଙ୍ଗ୍‌ର ସର୍ଦ୍ଦାର ସାଜିଥିବା ମାଧବ ରବି ଦାସ ନାମରେ ୩୦ରୁ ଅଧିକ ମାମଲା ରହିଛି। ତାକୁ ଧରିବା ପାଇଁ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ରାଜ୍ୟ ପୁଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ପଶ୍ଚିମବଂଗରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲା। ଜାମତରା ବ୍ୟାଙ୍କ୍‌ ଡକାୟତିର ଠିକ୍ ଦୁଇ ମାସ ପରେ ଅପ୍ରେଲ ୬ତାରିଖରେ ଅନୁଗୁଳ ସହର ଶଙ୍କର ସିନେମା ରୋଡ଼୍‌ ସ୍ଥିତ ଆନ୍ଧ୍ର ବ୍ୟାଙ୍କ୍‌ ଶାଖା ଷ୍ଟ୍ରଙ୍ଗ୍‌ରୁମରୁ ନଗଦ ୨୨ଲକ୍ଷ ୭୯ହଜାର ୫୦୪ ଟଙ୍କା, ୨ କେଜି ୯୨୮ଗ୍ରାମ୍ ସୁନାଗହଣା ଲୁଟି ନେଇଥିଲା। ମାସକ ପରେ ଜୁନ୍‌ ୧୯ରେ ରାଉର‌୍‌କେଲାର ଜନଗହଳିପୂର୍ଣ୍ଣ ମଧୁସୂଦନମାର୍ଗ ସ୍ଥିତ ଇଣ୍ତିଆନ୍‌ ଓଭରସିଜ୍ ବ୍ୟାଙ୍କ୍‌ରେ ସଶସ୍ତ୍ର ଡକାୟତି ହେଲା। ସେଠାରୁ ଲୁଟି ନେଲେ ନଗଦ ୪୧ଲକ୍ଷ ୬୫ହଜାର ଟଙ୍କା। ଜୁଲାଇ ୭ରେ ଅନୁଗୁଳ ହରିମହୁରୀ ଛକ ସ୍ଥିତ ଇଣ୍ତିଆନ ବ୍ୟାଙ୍କ୍‌ରୁ ନଗଦ ୮ ଲକ୍ଷ ଟଙ୍କା ସହ ୧୭ କେଜି ସୁନାଗହଣା ନେଇ ଫେରାର୍ ହୋଇଯାଇଥିଲା। ଶେଷ ଥର ପାଇଁ ଗତ ସେପ୍ଟେମ୍ବରରେ ପୁଣି ବ୍ୟାଙ୍କ୍‌ ଡକାୟତି କରିଥିଲା। ପୂର୍ବରୁ ଏହି ଡକାୟତି ମାମଲାରେ ୨ ଜଣ ଧରାପଡ଼ିଥିବା ବେଳେ ‌ଅକ୍ଟୋବରରେ ମାଧବ ରବି ଦାସର ଅନ୍ୟ ଜଣେ ସହଯୋଗୀ ଯୋଗେନ୍ଦ୍ର ଦାସଙ୍କୁ ପୁଲିସ ରିମାଣ୍ଡରେ ଆଣିଥିଲା। ମାଧବ ରବି ଦାସକୁ ପଚରା ଉଚରା ପରେ ଅନେକ ତଥ୍ୟ ହାସଲ କରିବା ନେଇ ପୁଲିସ ଆଶାବାଦୀ ରହିଛି।

ସମ୍ବନ୍ଧିତ ଖବର