ଆଠମଲ୍ଲିକ: ବନ୍ଧୁକ ମୁନରେ ୧୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ଆଠମଲ୍ଲିକ ସହରରେ ଘଟିଛି ଏହି ଅଘଟଣ। ଆଠମଲ୍ଲିକ ସହରର ପ୍ରତିଷ୍ଠିତ ବ୍ୟବସାୟୀ ମହେଶ ଅଗ୍ରୱାଲଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଟେବୁଲରେ ବାନ୍ଧି ଚାରିଜଣ ଦୁର୍ବୃତ୍ତ ଏହି ନଗଦ ଟଙ୍କା ସହ ଦୁଇଟି ଦାମୀ ମୋବାଇଲ ଫୋନ୍ ଲୁଟି ଚମ୍ପଟ ମାରିଛନ୍ତି। ଭୋର୍ରେ ମହେଶ ତାଙ୍କ ଦୋକାନ ଖୋଲି ଗତ ରାତିର ହିସାବ କିତାବ କରୁଥିବା ବେଳେ ଦୁର୍ବୃତ୍ତ ୪ ଜଣ ଦୁଇଟି ବାଇକ୍ରେ ଆସି ଏଭଳି କାଣ୍ଡ ଭିଆଇଛନ୍ତି। ଆଠମଲ୍ଲିକ ଏନ୍ଏସି ଅଞ୍ଚଳରେ ଚୋରି, ଡକାୟତି, ରାହାଜାନୀ ବୃଦ୍ଧି ପାଉଥିବା ବେଳେ ପାଟ୍ରୋଲିଂ ଅଭାବରୁ ଆଜି ଏଭଳି ଅଘଟଣ ଘଟିଲା ବୋଲି ଅଭିଯୋଗ କରି ଆଠମଲ୍ଲିକ ବ୍ୟବସାୟୀ ସଂଘ ଆନ୍ଦୋଳନ ଡାକରା ଦେଇଛି। ଆସନ୍ତାକାଲି ଆଠମଲ୍ଲିକ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରଖିବା ପାଇଁ ସଂଘ ଡାକରା ଦେଇଛି। ଅନ୍ୟପଟେ ଘଟଣାସ୍ଥଳରେ ଢେଙ୍କାନାଳ ସାଇଣ୍ଟିଫିକ୍ ଟିମ୍ ସହ ଆଠମଲ୍ଲିକ ପୁଲିସ୍ ପହଞ୍ଚି ଛାନ୍ଭିନ୍ କରିଥିଲେ ମଧ୍ୟ ରାତି ସୁଦ୍ଧା ଦୁର୍ବୃତ୍ତଙ୍କ ଟେର ମିଳି ପାରିନାହିଁ।
ସୂଚନାରୁ ପ୍ରକାଶ ଯେ ଆଠମଲ୍ଲିକ ବଜାରରେ ମହେଶଙ୍କର ଲୁହାଛଡ଼, ସିମେଣ୍ଟ ଓ ଅନ୍ୟାନ୍ୟ ଗୃହନିର୍ମାଣ ସାମଗ୍ରୀର ଦୋକାନ ରହିଛି। ପ୍ରତ୍ୟହ ବଡ଼ି ଭୋର୍ରୁ ସେ ଗତ ରାତିର ହିସାବ ନିଅନ୍ତି। ସବୁଦିନ ପରି ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ସେ ଦୈନିକ କାରବାରର ହିସାବ କିତାବ ପାଇଁ ଦୋକାନରେ ପହଞ୍ଚଥିଲେ। ଦୋକାନର ମୁଖ୍ୟ ସଟର ନ ଖୋଲି ପାର୍ଶ୍ୱରେ ଥିବା କବାଟ ଖୋଲି ଦୋକାନରେ ବସିଥିଲେ। କାଗଜପତ୍ର ହିସାବ ସହ ନଗଦ ଟଙ୍କା ଗଣୁଥିଲେ। ହଠାତ୍ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଆସି ଦୋକାନରେ ପଶିି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ଦୁଇଜଣ ତାଙ୍କ ହାତ ଗୋଡ଼ ଓ ମୁହଁକୁ ବାନ୍ଧି ପକାଇଥିଲେ। ଲକର ଚାବି ନେଇ ୧୨ ଲକ୍ଷ ଟଙ୍କା ଏବଂ ତାଙ୍କର ୨ଟି ମୋବାଇଲ ଫୋନ୍ ନେଇ ଫେରାର ହୋଇ ଯାଇଥିଲେ। କିଛି ସମୟର ପରିଶ୍ରମ ପରେ ମହେଶ ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ। ସେହି ବାଟରେ ମର୍ଣ୍ଣିଂୱାକ୍ରେ ଯାଉଥିବା ଟିମାନନ୍ଦ ମିଶ୍ର ତାଙ୍କ ହାତ ଗୋଡ଼ ଖୋଲିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଢେଙ୍କାନାଳ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚ ଅନୁସନ୍ଧାନ କରିଥିଲା। ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଆଠମଲ୍ଲିକ ଘାଟି ଅଞ୍ଚଳରେ ଗତକାଲି ଜଣେ କୃଷି ବିଭାଗ କର୍ମଚାରୀଙ୍କଠାରୁ ଦିନ ପ୍ରାୟ ୧୧ଟା ବେଳେ ୭ ହଜାର ଟଙ୍କା, ଏଟିଏମ କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଦୁଇ ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ଲୁଟି ନେଇଥିଲେ। ଏହାର କିଛି ଦିନ ପୂର୍ବରୁ ଆଠମଲ୍ଲିକ ଦୁର୍ଗା ବଜାରର ବ୍ୟବସାୟୀ ବ୍ରଜବନ୍ଧୁ ସାହୁ ଘରକୁ ଯାଉଥିବା ବେଳେ ତାଙ୍କଠାରୁ ପ୍ରାୟ ଏକ ଲକ୍ଷ ଟଙ୍କା ଲୁଟ ହୋଇଥିଲା। ସ୍ଥାନୀୟ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ମାଣପୁର ଗ୍ରାମର ବୁନୁ ରଥଙ୍କ ବାଇକ ଡିକି ଭାଙ୍ଗି ମଧ୍ୟ ଏକ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଥାନା ପାର୍ଶ୍ୱରେ ଥିବା ସଦାନନ୍ଦ ସାହୁଙ୍କ ମୋବାଇଲ ଦୋକାନରୁ ବହୁ ମୂଲ୍ୟବାନ ମୋବଇଲ ସହିତ ଟଙ୍କା ଚୋରି ହୋଇଥିଲା। ଏ ସମସ୍ତ ଘଟଣାରେ ପୁଲିସ୍ ବିଫଳ ହୋଇଥିବାରୁ ଆଠମଲ୍ଲିକ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ୍ ଅପାରଗତା ପ୍ରତିବାଦରେ ଆସନ୍ତାକାଲି ଆଠମଲ୍ଲିକ ବ୍ୟବସାୟୀ ସଂଘ ପକ୍ଷରୁ ୬ ଘଣ୍ଟିଆ ‘ଆଠମଲ୍ଲିକ ବନ୍ଦ’ ଡାକରା ଦିଆଯାଇଛି। ତେବେ ପରିସ୍ଥିତି ନସୁଧୁରିଲେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ବନ୍ଧୁକ ମୁନରେ ଲୁଟିନେଲେ ୧୨ ଲକ୍ଷ:ପୁଲିସ୍ ଅପାରଗତା ପ୍ରତିବାଦରେ ‘ଆଠମଲ୍ଲିକ ବନ୍ଦ’ ଆଜି
/sambad/media/post_attachments/wp-content/uploads/2018/06/robbery-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)