୬ ଗାଡ଼ି, ସାଢ଼େ ୪ ଲକ୍ଷ ଟଙ୍କା ଜବତ
ତାଲିକାରେ ତେଲ ଟାଙ୍କି ମାଲିକ, ଠିକାଦାର

Advertisment

ଅନୁଗୁଳ : ଅନୁଗୁଳ ପୁଲିସ ହାତରେ ଧରା ପଡ଼ିଛନ୍ତି ଏକ ବଡ଼ ଡିଜେଲ୍‌ ଚୋର ଗ୍ୟାଙ୍ଗ୍‌। ପାରାଦୀପରୁ ସମ୍ବଲପୁର ଭାୟା ଜଟଣୀ ଦେଇ ଯାଇଥିବା ଆଇଓସିଏଲ୍‌ ପାଇପ୍‌ କାଟି ଡିଜେଲ୍‌ ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୨ଜଣଙ୍କୁ ପୁଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ସାଢ଼େ ୪ଲକ୍ଷ ଟଙ୍କା ସମେତ ୨ଟି ତେଲ ଟ୍ୟାଙ୍କର୍‌ ଟ୍ରକ୍‌, ଗୋଟିଏ ଲେଖାଏ ଇନୋଭା, ସ୍କର୍ପିଓ, ଇଣ୍ଡିକା ଏବଂ ହୁଣ୍ଡାଇ ଆଇ-୨୦ କାର୍‌ ଜବତ କରାଯାଇଛି। ଘଟଣାର ମାଷ୍ଟରମାଇଣ୍ଡ୍‌ ଉତ୍ତରପ୍ରଦେଶ ମଥୁରାର ବିନୀତ ଗୁପ୍ତା(୩୩) ଜଣେ ଡିପ୍ଲୋମା ଇଂଜିନିୟର ହୋଇଥିବା ବେଳେ ତାଙ୍କ ବାପା ହୃଦୟ ସାହୁ ମଥୁରା ଆଇଓସିଏଲ୍‌ ଡିଭିଜନ୍‌ରେ ଚାକିରି କରିଥିବା ଜଣାପଡ଼ିଛି।

ଆଜି ଅପରାହ୍‌ଣରେ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ୍‌ପି ବ୍ରିଜେଶ କୁମାର ରାୟ ଦେଇଥିବା ସୂଚନାନୁଯାୟୀ, ଜରପଡ଼ା ଥାନା କଞ୍ଜରା ଶ୍ମଶାନ ନିକଟରେ ଆଇଓସିଏଲ୍‌ ପାଇପ୍‌ କାଟି ଡିଜେଲ୍‌ ଚୋରି ହୋଇଥିିଲା। ଆଇଓସିଏଲ୍‌ ସମ୍ବଲପୁର ଡିଭିଜନ୍‌ର ଡିଜିଏମ୍‌ ସୁଜିତ୍‌ କୁମାର ପଟ୍ଟନାୟକ ଜରପଡ଼ା ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ। ତଦନ୍ତ କାଳରେ ପୁଲିସ ପ୍ରଥମେ ଜେଏସ୍‌ପିଏଲ୍‌ରେ ଶିଳ୍ପ ଲୋକ ସଂପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଜରଡ଼ା ଗ୍ରାମର ରବୀନ୍ଦ୍ର ସିଂହଙ୍କ ପୁଅ ରଂଜନ କୁମାର ସିଂହ(୩୩), ଜେଏସ୍‌ପିଏଲ୍‌ ସୁରକ୍ଷା କର୍ମୀ କାମାକ୍ଷା ପ୍ରସାଦ ସିଂହ(୩୨) ଏବଂ ଏମ୍‌ସିଏଲ୍‌ ଜନୈକ ଏଜିଏମ୍‌ଙ୍କ ଡ୍ରାଇଭର୍‌ ଭାବେ କାର୍ଯ୍ୟରତ ଜରଡ଼ାର ସୁବ୍ରତ ଦାସ(୩୨)ଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେମାନେ ସବୁ ସତ କଥା ମାନି ଯାଇଥିଲେ।

ସେମାନଙ୍କ ବୟାନ ଆଧାରରେ ପୁଲିସ କଟକରେ ଚଢ଼ଉ କରି ଶକ୍ତିନଗର ଭଡ଼ା ଘରୁ ମୁଖ୍ୟ ଅଭିଯୁକ୍ତ ବିନିତ୍‌ଙ୍କ ସମେତ ନୂଆଦିଲ୍ଲୀର ହଂସରାଜ ଶର୍ମାଙ୍କ ପୁଅ କରଣ ଶର୍ମା ଏବଂ ତାଙ୍କ ଗାଡ଼ି ଡ୍ରାଇଭର୍‌ ଉତ୍ତର ପ୍ରଦେଶ କୋଣ୍ଡରୀ ଅଂଚଳର ରାଜକୁମାର ବର୍ମା(୩୦)ଙ୍କୁ ଅନୁଗୁଳ ଉଠାଇ ଆଣିଥିଲା। ସେମାନଙ୍କୁ ଜେରା କରିବା ପରେ ଘଟଣାରେ ସହଯୋଗ କରିଥିବା ଅନ୍ୟ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଥିଲା। ପୁଲିସ ଏହାପରେ କଟକ କଲେଜ ଛକ ପାଟରା ସାହିରୁ ଗୌରୀଶଙ୍କର ପୃଷ୍ଟି(୪୧) ଏବଂ ତାଙ୍କ ସହଯୋଗୀ ନିଆଳିର ମଦନମୋହନ ସ୍ୱାଇଁ(୩୬), ତାଳଚେର ଗୋଡ଼ିବଂଧ ମା’ ତାରିଣୀ ଫିଲିଂ ଷ୍ଟେସନ୍‌ର ମାଲିକ ତଥା ଅନୁଗୁଳ ମାଟିଆ ସାହିର ବାସିନ୍ଦା ପ୍ରଫୁଲ୍ଲ ପ୍ରଧାନ(୪୩), ମ୍ୟାନେଜର୍‌ ହଣ୍ଡପା ଥାନା ବଡ଼ବାହାଳର ବଶିଷ୍ଠ କୁମାର ସାହୁ(୪୭), ଟ୍ୟାଙ୍କର୍‌ ଡ୍ରାଇଭର୍‌ ବଡ଼ମ୍ବା ଥାନା ବିଶ୍ୱମ୍ବରପୁରର ଅଭିମନ୍ୟୁ ଭୋଳ(୩୪), ଯାଜପୁର ସୁକିନ୍ଦା ବ୍ରାହ୍ମଣସାହିର ଠିକାଦାର ଧନଞ୍ଜୟ ଦ୍ୱିବେଦୀଙ୍କୁ ଗିରଫ କରିଥିଲା।

ତେଲ ଚୋରିରେ ବ୍ୟବହୃତ ଅଭିଯୁକ୍ତ ଗୌରୀଶଙ୍କରଙ୍କ ଦୁଇଟି ଟ୍ୟାଙ୍କର୍‌ (ଓଆର୧୯ସି-୭୨୧୧ ଏବଂ ଓଆର୦୪-୯୫୪୪), ଇନୋଭା କାର୍‌ (ଓଡ଼ି୦୫ସି-୪୧୯୪), କରଣଙ୍କ ସ୍କର୍ପିିଓ (ଓଆର ୦୨ଓ୍ଵାଇ-୬୭୬୨), ଧନଞ୍ଜୟଙ୍କ ଇଣ୍ଡିକା (ଓଆର ୦୨ବିଡି-୪୧୧୭) ଏବଂ ଆଇ-୨୦ (ୟୁପି ୮୫ଏ-୦୮୪୨) କାର୍‌କୁ ପୁଲିସ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ନୂଆଦିଲ୍ଲୀ ବାଜି ଚୌକର ସଂଜୟ ସାକ୍‌ସେନା, ଦଲବିଲ୍‌ ସିଂହ ଏବଂ ଅନ୍ୟମାନେ ଫେରାର୍‌ ହୋଇଯାଇଛନ୍ତି ବୋଲି ଏସ୍‌ପି ଶ୍ରୀ ରାୟ ସୂଚନା ଦେଇଛନ୍ତି।