ଅନୁଗୁଳ: ଏଣିକି ଗୋଟିଏ ଛାତ ତଳେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କୁ ମିଳିବ ସବୁ ପ୍ରକାର ଚିକିତ୍ସା ସୁବିଧା। ସେମାନଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଇନ୍ଡୋର ଏବଂ ଆଉଟ୍ଡୋର୍। ପ୍ରସବକାଳୀନ ଓ ପ୍ରସବୋତ୍ତର ସେବା ସବୁ ବି ଉପଲବ୍ଧ ହେବ। ଏଥିପାଇଁ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଛି। ମୋଟ୍ ୧୬ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଲୋକାର୍ପଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଲୋକାର୍ପଣ କରିବା ପରେ ଅନୁଗୁଳବାସୀଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର କେବଳ ଅନ୍ତ ଘଟିନାହିଁ; ବରଂ ମେଡିକାଲ୍ରେ ପ୍ରସୂତି ମହିଳା ଓ ଶିଶୁଙ୍କ ଉନ୍ନତମାନର ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିବାର ଆଶା ସଞ୍ଚାର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ୨୦୧୩ ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନୁଗୁଳ ଭଳି ତାଳଚେର ଉପଖଣ୍ଡରେ ମଧ୍ୟ ଏକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଚାଲିଥିବାବେଳେ ଆଗାମୀ ଦିନରେ ପାଳଲହଡ଼ା ଉପଖଣ୍ଡରେ ୮ କୋଟି ଟଙ୍କା ବ୍ୟୟରେ ଆଉ ଏକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯିବ ମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଆସନ୍ତା ୨୦୧୯-୨୦ ମସିହା ସୁଦ୍ଧା ତାଳଚେର ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବାକୁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।