ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଡ଼ଙ୍ଗାପାଳ ଜଙ୍ଗଲରେ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ୨ ମହିଳାଙ୍କୁ ଦନ୍ତା ଶୁଣ୍ଢରେ କଚାଡିବାରୁ ମହିଳା ଦ୍ବୟ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଆଜି ସକାଳ ୮ ଟାରେ ଡଙ୍ଗାପାଳ ଗ୍ରାମର ଚଞ୍ଚଳା ସାହୁ(୪୭) ଓ ମେଘୀ ସାହୁ(୪୮) ଡଙ୍ଗାପାଳ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ସେମାନେ ସେଠାରେ ଥିବା ଏକ ଗୋଠଖଣ୍ଡିଆ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଦନ୍ତା ଦୁଇ ମହିଳାଙ୍କୁ ଶୁଣ୍ଢରେ ଫୋପାଡ଼ି ଦେଇଥିବା ବେଳେ ସେମାନେ ଖଣ୍ଡିଆ ଖାବରା ହୋଇ ଗୁରୁତର ଅବସ୍ଥାରେ ପ୍ରାଣ ବଞ୍ଚେଇ ସେଠାରୁ ପଳେଇ ଆସିଥିଲେ।

Advertisment

ଉଭୟ ଏବେ ଚିକିତ୍ସାଧୀନ ଥିବା ବେଳେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅନୁଗୁଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲା ସୀମାନ୍ତରେ ଜଙ୍ଗଲ ଘେରି ରହିଥିବାରୁ ବର୍ଷ ତମାମ ଅଧିକାଂଶ ସମୟରେ ହାତୀପଲ ରହୁଛନ୍ତି। ହାତୀପଲ ମଧ୍ୟରେ ଥିବା ଗୋଟିଏ ଦନ୍ତା ସନ୍ଧ୍ୟା ହେଲେ ଜଙ୍ଗଲରୁ ହାତୀମେଳରୁ ବାହାରି ଗାଁରେ ପଶି ଭାତ ହାଣ୍ଡିରୁ ଭାତ ଖାଇବା, ଧାନ, ଚାଉଳ ବସ୍ତା ଟେକିନେଇ ଖାଇବା ଚଲେଇଛି। ପ୍ରାୟ ଦେଢ଼ମାସ ହେବ ଏଭଳି ସମସ୍ୟା ଲାଗିରହିଛି। ସୀମାନ୍ତ ଗ୍ରାମର ଆଖପାଖ ଗାଁ ତଥା ବିଶେଷକରି ନୂଆଗାଁ ଓ କଣଲୋଇ ପଞ୍ଚାୟତର ୧୨ ଟି ଗ୍ରାମରେ ହାତୀ ଆତଙ୍କ ଓ ଫସଲ ନଷ୍ଟ ହେଉଥିବାରୁ ଜନଅସନ୍ତୋଷ ଦେଖାଦେଇଛି। ବନ ବିଭାଗ ପକ୍ଷରୁ ଘଉଡେଇବା ବ୍ୟବସ୍ଥା କରୁଥିଲେ ମଧ୍ୟ ସମସ୍ୟା ଲାଗିରହୁଛି।