୨୦୧୮ରେ ହତ୍ୟାକାଣ୍ଡ, ୨୦୨୧ରେ ପର୍ଦ୍ଦାଫାସ: ବନ୍ଧାହେଲେ ତିନି ପୂର୍ବତନ ଢାବା ପିଲା

ଛେଣ୍ଡିପଦା: ୨୦୧୮ମସିହା, ଜୁନ୍‌ ୨୩ତାରିଖ। ଜରପଡ଼ା ଥାନା କତଡ଼ା କ୍ଲାସିକ୍‌ ଢାବା(ଏବେ ଜାଇକା ଢ଼ାବା) ସମ୍ମୁଖ ୫୫ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଏକ ବର୍ବର ହତ୍ୟାକାଣ୍ଡ। ଏକ ପାଣି ଟ୍ୟାଙ୍କ୍‌ର ଚାଳକଙ୍କୁ ପିଟିପିଟି କରାଯାଇଥିଲା ହତ୍ୟା। ଏ ହତ୍ୟାକାଣ୍ଡକୁ ନେଇ ଯଦିଓ ସେତେବେଳେ ତୁମ୍ବିତୋଫାନ ହୋଇଥିଲା, କିନ୍ତୁ ପୁଲିସ ଚାପି ରଖିଥିଲା ମାମଲା। ହତ୍ୟାକାଣ୍ଡ ଉପରେ ପରଦା ପଡ଼ିଥିଲା। ଦୀର୍ଘ ପ୍ରାୟ ତିନି ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ହତ୍ୟା ଅଭିଯୋଗରେ ପୁଲିସ ସମ୍ପୃକ୍ତ ଢାବାର ତିନି ଜଣ ପୂର୍ବତନ କର୍ମଚାରୀଙ୍କୁ ବାନ୍ଧିଛି। ଆଉ ଜଣେ ଫେରାର୍ ଅଛି।
ବନ୍ଧା ହୋଇଥିବା ଏହି ତିନି ହତ୍ୟା ଅଭିଯୁକ୍ତ ହେଲେ, ବନ୍ତଳା ଥାନା ପୁକତୁଙ୍ଗା ଗ୍ରାମର ସୌଭାଗ୍ୟ ସାହୁ(୩୨), ଠାକୁରଗଡ଼ ଥାନା ବରପାଲି ଗ୍ରାମର ବିକାଶ ନାଏକ(୨୮) ଏବଂ ଜରପଡା ଥାନା ବଡ଼ହିଂସର ଗ୍ରାମର ପୁରୁଷୋତ୍ତମ ସାହୁ(୨୮)। ଜରପଡ଼ା ଥାନା ବଡ଼ହିଂସର ଗ୍ରାମର ଅନ୍ୟତମ ଅଭିଯୁକ୍ତ ବୈକୁଣ୍ଠ ସାହୁ(୩୨) ଫେରାର୍‌ ଅଛନ୍ତି।
ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ହେଲେ ଦୁର୍ଗାପୁର ଗ୍ରାମର ଜ୍ଞାନେନ୍ଦ୍ର ଦେହୁରୀ(୨୮)। ଜ୍ଞାନେନ୍ଦ୍ର ଗାୟତ୍ରୀ କନ୍‌ଷ୍ଟ୍ରକସନର ପାଣି ଟ୍ୟାଙ୍କର ଚାଳକ ଭାବେ ନିୟୋଜିତ ଥିଲେ। ଘଟଣା ଦିନ ରାତିରେ ଜ୍ଞାନେନ୍ଦ୍ର ସେହି ଢାବାକୁ ଖାଇବାକୁ ଯାଇଥିଲେ। କୌଣସି କାରଣକୁ ନେଇ ଢାବାର ଏହି କର୍ମଚାରୀମାନଙ୍କ ସହିତ ଜ୍ଞାନେନ୍ଦ୍ରଙ୍କର ବସଚା ହୋଇଥିବା କୁହାଯାଉଛି। ଏହି ଘଟଣାକୁ କେନ୍ଦ୍ର କରି ଢାବାର ଏହି ଚାରି ଜଣ ଯୁବକ ଜ୍ଞାନେନ୍ଦ୍ରଙ୍କୁ କେବଳ ମରଣାନ୍ତକ ଆକ୍ରମଣ କଲେ ନାହିଁ, ବରଂ ପିଟିପିଟି ମାରି ଦେଲା ପରେ ଗାଡ଼ିରେ ଛାଡ଼ି ଦେଇଥିଲେ। ଯାହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡ଼ିଥିଲା। ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ନେଇ ବେଶ୍ କ୍ଷୁବ୍ଧ ହୋଇଥିଲେ। ଅଞ୍ଚଳବାସୀ ଢାବା ସମ୍ମୁଖରେ ୬ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ମୃତକଙ୍କ ପରିବାର ଓ ଅଞ୍ଚଳବାସୀ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ବହୁ ବୁଝାସୁଝା ପରେ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ସିନା ହେଲା କିନ୍ତୁ ମାମଲା ଉପରୁ ପରଦା ହଟିଲା ନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ଦୀର୍ଘ ତିନି ବର୍ଷ କାଳ ମାମଲା ଗଡ଼ି ଗଡ଼ି ଚାଲିବା ପରେ ଏସ୍‌ପିଙ୍କ ନିର୍ଦେଶରେ ଆଇଆଇସି ପ୍ରଦୀପ କୁମାର ପ୍ରଧାନ ଘଟଣାର ପୁଣି ତଦନ୍ତ ଆରମ୍ଭ କରିଥିଲେ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଜଣେ ଫେରାର୍‌ ଅଛି।

ସମ୍ବନ୍ଧିତ ଖବର